ତଳକୁ ଝୁଲିଛି ୧୧ କେଭି ତାର : ଗଙ୍ଗପଡ଼ାରେ ଗଜରାଜଙ୍କୁ ବିପଦ

ଖଣ୍ଡଗିରି : ଆସିଲାଣି ଧାନ ଅମଳ ସମୟ। ତେଣୁ ହାତୀମାନେ ଏଣିକି ଗାଁ ମୁହାଁ ହେବା ସ୍ବାଭାବିକ। ଧାନ ଖାଇବା ପାଇଁ ଏବେ ହାତୀମାନେ ଜଙ୍ଗଲ ଛାଡ଼ି ଗାଁ ନିକଟରେ ଡେରା ପକାଇବେ। ମାତ୍ର ଚନ୍ଦକା ଅଭୟାରଣ୍ୟର ହାତୀମାନଙ୍କ ପାଇଁ ଗଙ୍ଗପଡ଼ାରେ ବସିଛି ବିଦ୍ୟୁତ୍ ଫାଶ। ୩ ଫେଜ୍ ବିଶିଷ୍ଟ ୧୧ କେଭି ଏଲ୍‌ଟି ଲାଇନ୍ ତାର ବିପଜ୍ଜନକଭାବେ ବେଶ୍ ତଳକୁ ଝୁଲି ପଡ଼ିଥିବାରୁ ହାତୀମାନେ ଏହି ଫାଶରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ହାତୀମାନଙ୍କର ଏହି ଚଳପ୍ରଚଳ ରାସ୍ତାରେ ବିଦ୍ୟୁତ୍ ତାର ଏଭଳି ବିପଜ୍ଜନକ ଭାବେ ଥିବା ଦେଖିବା ପରେ ଗ୍ରାମବାସୀମାନେ ଖୋର୍ଧା ସେସୁର ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି। ତୁରନ୍ତ ପ୍ରତିକାର ପାଇଁ ଗ୍ରାମବାସୀମାନେ ଦାବି କରିଥିବା ଜଣାଇଛନ୍ତି।

ଗଙ୍ଗପଡ଼ା ଓ ଭାତଖୁରୀ ଗାଁ ପଛପାର୍ଶ୍ବସ୍ଥ ଜଙ୍ଗଲିଆ ପଡ଼ିଆ ଦେଇ ଯାଇଥିବା ଏଲ୍‌ଟି ଲାଇନ୍‌ର ୪ଟି ସ୍ପାନ୍ ତାର ତଳକୁ ଓହଳିପଡ଼ିଛି। ପରିଜା ଛେଳି ଫାର୍ମଠାରୁ ରାଉତରାୟ କ୍ରସର୍‌ ମଧ୍ୟରେ ଯାଇଥିବା ୧୧ କେଭି ଲାଇନ୍ ଭୂମିଠାରୁ ପ୍ରାୟ ୪/୫ ମିଟର ଉଚ୍ଚରେ ରହିଛି। ତେଣୁ ଏହି ରାସ୍ତା ଦେଇ ହାତୀ ଯାତାୟାତ କଲାବେଳେ, ସେମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଆଶଙ୍କା ରହିଛି। ଗ୍ରାମବାସୀଙ୍କ କହିବା କଥା ଏହି ଅଞ୍ଚଳଟି ହିଁ ହାତୀମାନଙ୍କର ଚଳପ୍ରଚଳ ରାସ୍ତା। ଆଉ କିଛି ଦିନ ପରେ ଗହୀରରୁ ଓ ଖଳାବାଡ଼ିରୁ ପାଚିଲା ଧାନ ଖାଇବା ପାଇଁ ହାତୀମାନେ ଗାଁ ମୁହାଁ ହେବେ ଓ ଏଠାରେ ମରଣଯନ୍ତାରେ ପଡ଼ିବେ। ତେଣୁ ଗ୍ରାମବାସୀମାନେ ବନ ବିଭାଗ ଓ ସେସୁର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ନେଇ ଖୋର୍ଧା ସେସୁ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସଙ୍କୁ ଯୋଗାଯୋଗ କରିବାରେ ସେ ଏଭଳି ଅଭିଯୋଗ ପାଇଥିବା ସ୍ବୀକାର କରିଥିଲେ। ଏହା ଏଲ୍‌ଟି ଲାଇନ୍ ହୋଇଥିବାରୁ ଏହାର ମରାମତି ଓ ଅନ୍ୟାନ୍ୟ କାମ ଫେଡ୍‌କୋ ଅଧୀନରେ ରହିଛି। ତେଣୁ ସେ ଏ ନେଇ ଫେଡ୍‌କୋକୁ ନିର୍ଦେଶ ଦେଇଥିବା କହିଛନ୍ତି। ତେଣୁ ଖୁବ୍ ଶୀଘ୍ର ଏହି ତାରକୁ ଉପରକୁ ଉଠାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସ କହିଥିଲେ।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏବେ ଚନ୍ଦକା ଅଭୟାରଣ୍ୟରେ ପ୍ରାୟ ୧୧ଟି ହାତୀ ଚଳପ୍ରଚଳ ହେଉଛନ୍ତି। ଡମପଡ଼ା ରେଂଜ୍‌ରେ ୫ଟି, ଚନ୍ଦକା ରେଂଜ୍‌ରେ ୪ଟି ଓ ଭରତପୁର ସଂରକ୍ଷିତ ଜଙ୍ଗଲରେ ୨ଟି ହାତୀ ରହିଛନ୍ତି। ବିଶେଷକରି ଧାନ ଅମଳ ସମୟ ହେଲେ ଏହି ହାତୀମାନେ ଜଙ୍ଗଲ ନିକଟ ଗାଁ ଆଡ଼କୁ ମୁହାଁଇଥାଆନ୍ତି। ଚନ୍ଦକା ଜଙ୍ଗଲକୁ ଲାଗି ରହିଥିବା ରତନପୁର ସଂରକ୍ଷିତ ଜଙ୍ଗଲ ଦେଇ ପ୍ରତିବର୍ଷ ହାତୀମାନେ ଗଙ୍ଗପଡ଼ା ଅଞ୍ଚଳକୁ ଆସିଥାଆନ୍ତି। ପ୍ରତିବର୍ଷ ଏହା ହୁଏ। ଏମିତିକି ଗଙ୍ଗପଡ଼ା ଓ ଭାତଖୁରୀ ଗାଁର ଗହୀରରୁ ଧାନ କଟା ସରିଗଲେ ମଧ୍ୟ ହାତୀମାନେ ଏହି ଅଞ୍ଚଳ ଛାଡ଼ି ଯାଆନ୍ତି ନାହିଁ। ବହୁ ସମୟରେ ଗାଁ ଭିତରକୁ ପଶି ଆସି ଖଳାବାଡ଼ିରୁ ଅମଳ ଧାନ ଖାଇଯାଆନ୍ତି। ତେଣୁ ତଳକୁ ଓହଳି ପଡ଼ିଥିବା ବିଦ୍ୟୁତ୍ ତାର ଉପରକୁ ଉଠାଇବା ବ୍ୟବସ୍ଥା କରା ନଗଲେ, ଚଳିତ ବର୍ଷ ଗଙ୍ଗପଡ଼ାରେ ଢେଙ୍କନାଳ ସଦର ରେଂଜ୍‌ରେ ହାତୀ ମୃତ୍ୟୁ ଘଟଣାର ପୁନରାବୃତ୍ତି ଘଟିପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର