ବରିଷ୍ଠ ନାଗରିକଙ୍କ ପାଇଁ ‘ସ୍ମାର୍ଟ ଓ୍ଵଲ୍‌ନେସ୍‌ ସେଣ୍ଟର’ : ଆନନ୍ଦ ଆଣିବ ‘ଆନନ୍ଦ’

ଭୁବନେଶ୍ୱର: ଏଣିକି ବରିଷ୍ଠ ନାଗରିକ ଆଉ ନିଃସଙ୍ଗ ଅନୁଭବ କରିବେନି। ଅବସର ପରେ ବିନୋଦନର ଭରପୂର ସୁଯୋଗ ଦେବ ସ୍ମାର୍ଟ ଓ୍ଵଲ୍‌ନେସ୍‌ ସେଣ୍ଟର। ଚିତ୍ତ ବିନୋଦନ ସହ ବରିଷ୍ଠ ନାଗରିକଙ୍କ ନିମନ୍ତେ ଆନୁଷଙ୍ଗିକ ସୁବିଧା ଖଞ୍ଜିଦେବ ପ୍ରୋଜେକ୍ଟ ‘ଆନନ୍ଦ’। ଭୁବନେଶ୍ୱରରେ ରହୁଥିବା ବରିଷ୍ଠ ନାଗରିକଙ୍କ ଲାଗି ଏଭଳି ପରିକଳ୍ପନା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସହିଦନଗରସ୍ଥିତ ଭବାନୀ ମଲ୍‌ରେ ଖୋଲିବ ଏହି ‘ସ୍ମାର୍ଟ େଓ୍ଵଲ୍‌ନେସ୍‌ ସେଣ୍ଟର’। ଓଡ଼ିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍‌ଏସ୍‌ଇପିଡି) ଓ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ୧୫ ହଜାର ବର୍ଗ ଫୁଟ ଜାଗାରେ ଏହି କେନ୍ଦ୍ର ସ୍ଥାପନ ହେବ। ନାଁ ରହିବ ‘ଆନନ୍ଦ’।

ଭବାନୀ ମଲ୍‌ରେ ୧୫ ହଜାର ବର୍ଗ ଫୁଟ୍‌ ଜାଗାରେ ଖୋଲିବ, ଭବିଷ୍ୟତରେ ଜିଲ୍ଲାକୁ ସମ୍ପ୍ରସାରଣ କରିବାକୁ ଯୋଜନା

ଏହି କେନ୍ଦ୍ର ପରିସରରେ ବିକ୍ରୟ କେନ୍ଦ୍ର, ହେଲ୍‌ଥ କେୟାର ସେଣ୍ଟର, ଆଧାର/ପ୍ୟାନ୍‌/ଭୋଟର ପରିଚୟପତ୍ର ସମ୍ପର୍କିତ ସହାୟତା କେନ୍ଦ୍ର, ଚିତ୍ତ ବିନୋଦନ କେନ୍ଦ୍ର, ଲାଇବ୍ରେରି, ପଢ଼ାଗୃହର ବ୍ୟବସ୍ଥା ରହିବ। ଅବସର ପରେ ବରିଷ୍ଠ ନାଗରିକଙ୍କୁ ସକ୍ରିୟ ରହିବା ସହ ବିନୋଦନ ଯୋଗାଇ ଦେବା ପାଇଁ ଏହା ଏକ ଅନୁକୂଳ ପରିବେଶ ସୃଷ୍ଟି କରିବ। ଏହି କେନ୍ଦ୍ରର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ରାଜଧାନୀର ଅନ୍ୟ ସ୍ଥାନଗୁଡ଼ିକୁ ସମ୍ପ୍ରସାରଣ କରାଯିବ। ଯଦି ଭୁବନେଶ୍ୱରରେ ଏହି ପ୍ରକଳ୍ପ ସଫଳ ହୁଏ ତେବେ ଏହାକୁ ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ମଧ୍ୟ ସ୍ଥାପନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଏସ୍‌ଏସ୍‌ଇପିଡିର ଯୁଗ୍ମ ସଚିବ ଦେବପ୍ରସାଦ ଦାଶ କହିଛନ୍ତି। ‘ଆନନ୍ଦ’ ପରିସରରେ ଟାଟା ଟ୍ରଷ୍ଟ ପକ୍ଷରୁ ଚା’, କଫି, ଖାଦ୍ୟ କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରାଯିବ। ଏଠାରେ ଆୟୁର୍ବେଦିକ ସାମଗ୍ରୀଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ବରିଷ୍ଠ ନାଗରିକମାନେ ଯେପରି ଚିନ୍ତାମୁକ୍ତ ରହିବେ ଓ ଅବସର ସମୟକୁ ଉପଭୋଗ କରିପାରିବେ ସେହି ଅନୁଯାୟୀ ମେଡଲ୍‌ଗୁଡ଼ିକ ପ୍ରସ୍ତୁତ ହେବ। ଏହି ମଡେଲ୍‌ଟି ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି। ନିଷ୍ପତ୍ତି ଅନୁଯାୟୀ ଏସ୍‌ଏସ୍‌ଇପିଡି ଓ ଟାଟା ଟ୍ରଷ୍ଟ ମିଳିତ ଭାବେ ପ୍ରଥମ ୫ ବର୍ଷ ପାଇଁ ଏହାର ପରିଚାଳନା ଦାୟିତ୍ୱ ନେବେ। ଏହାପରେ ବରିଷ୍ଠ ନାଗରିକମାନେ ହିଁ ନିଜେ ‘ଆନନ୍ଦ’ର ପରିଚାଳନା କରିବେ। କେନ୍ଦ୍ରକୁ ବରିଷ୍ଠ ନାଗରିକଙ୍କ ଅନୁକୂଳ କରିବା ଲାଗି ଅଭ୍ୟନ୍ତରୀଣ ସୌନ୍ଦର୍ଯ୍ୟର ଡିଜାଇନ୍‌ ଏସ୍‌ଏସ୍‌ସିପିଡି ପ୍ରସ୍ତୁତ କରିବ। ଫଳରେ ବରିଷ୍ଠ ନାଗରିକମାନେ ଏଠାରେ ସମୟ ବିତାଇବା ପାଇଁ ଏକ ଉପଯୁକ୍ତ ପରିବେଶ ପାଇବେ। ତେଣୁ ନିଜ ସନ୍ତାନସନ୍ତତିଙ୍କଠାରୁ ଦୂରେଇ ରହିଥିବା ବରିଷ୍ଠ ନାଗରିକଙ୍କୁ ‘ଆନନ୍ଦ’ ଏକ ସ୍ୱଚ୍ଛନ୍ଦ ଜୀବନ ଯୋଗାଇ ଦେବ ବୋଲି ଟାଟା ଟ୍ରଷ୍ଟର ସୀମା ଗୁପ୍ତା କହିଛନ୍ତି। ଏନେଇ ଆଜି ବିଏମ୍‌ସି ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଡେଡ୍‌ ପକ୍ଷରୁ ଆୟୋଜିତ ‘ବରିଷ୍ଠ ନାଗରିକଙ୍କ ସମସ୍ୟା ଏବଂ ସକ୍ରିୟତା’ ଶୀର୍ଷକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର