କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ମନ୍ତ୍ର

କମାଣ୍ଡୋ। ଶବ୍ଦଟି ଶୁଣୁଶୁଣୁ ମନରେ ଭରିଯାଏ ଆତ୍ମବିଶ୍ୱାସ। ଗର୍ବରେ ଛାତି ଫୁଲିଯାଏ। ଏକ ହିରୋର ପ୍ରତିଛବି ମନରେ ଉଙ୍କିମାରେ। ଏଭଳି ଏକ ନାମ ପୂର୍ବତନ ମେରାଇନ୍‌ କମାଣ୍ଡୋ ପ୍ରବୀଣ ତିୟୋତିଆଙ୍କ ନିଶ୍ଚୟ। ୨୬/୧୧ ତାଜ୍‌ ଆକ୍ରମଣରେ ଆତଙ୍କବାଦୀଙ୍କ ସହ ପ୍ରାଣମୂର୍ଚ୍ଛା ସଂଘର୍ଷ କରି ନିଜର କର୍ତ୍ତବ୍ୟ ପାଳନ କରିଥିଲେ ସେନାର ଏହି ବୀର ଯବାନ। ନିଜେ ମୃତ୍ୟୁ ସମ୍ମୁଖରେ ଠିଆ ହୋଇଥିଲେ ମଧ୍ୟ ନିରାପଦରେ ହୋଟେଲ ଭିତର ଲୋକଙ୍କୁ ମୁକୁଳାଇବାରେ ସକ୍ଷମ ହୋଇଥିଲେ। ସେହି ଅପରେସନ୍‌ରେ ତାଙ୍କ ଦେହରେ ଭେଦିଥିଲା ୪ଟି ଗୁଳି। ଯାହାକି ତାଙ୍କ ଯକୃତକୁ ଖରାପ କରିବା ସହ ଆଂଶିକ ଭାବେ ଶ୍ରବଣ ଶକ୍ତି ହ୍ରାସ ଘଟିଥିଲା। ଅସୁସ୍ଥ କାରଣରୁ ନେଭିରେ ସେ ବହୁ ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହୋଇଥିଲେ। ପରେ ନିଜକୁ ସୁସ୍ଥ ଓ ଫିଟ୍‌ ଦର୍ଶାଇବା ପାଇଁ ସଂଘର୍ଷ କରି ଶେଷରେ ଦକ୍ଷିଣ ଆଫ୍ରିକାରେ ଲୌହମାନବ ଟାଇଟଲ୍‌ ଜିତି ଦେଶକୁ ଗୌରାବାନ୍ଵିତ କରିଥିଲେ। ଆଜି ସେ ଭୁବନେଶ୍ୱର ଆସିଥିବା ବେଳେ ‘ସମ୍ବାଦ’ ପକ୍ଷରୁ ସସ୍ମିତା ସାହୁଙ୍କ ସହ ଆଳାପର କିଛି ଅଂଶ…

୨୬/୧୧ ଆକ୍ରମଣର ଅନୁଭୂତି ବିଷୟରେ କିଛି କହିବେ?
ଆତଙ୍କବାଦୀ ଆକ୍ରମଣ ସମୟରେ ଗୋଟିଏ ଟିମ୍‌ ହୋଇ କାମ କରିବା ଦ୍ୱାରା ସଫଳତା ମିଳିଥାଏ। ଟିମ୍‌ ବିନା ଏକୁଟିଆ କିଛି କରି ହୁଏନା। କିନ୍ତୁ ଗୋଟିଏ ଟିମ୍‌ ଭିତରେ ବି ପ୍ରତିଟି ବ୍ୟକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ। ସେଠି ଗୋଟିଏ କୋଠରି ଭିତରେ ୪ ଜଣ ଆତଙ୍କବାଦୀଙ୍କ ସମ୍ମୁଖରେ ମୁଁ ଏକୁଟିଆ ପଡ଼ିଗଲି। ସେଠାରୁ ବଞ୍ଚିବା କଷ୍ଟକର ଥିଲା। କିନ୍ତୁ ମୋତେ ମୋର ୧୦୦% ଦେବାର ଥିଲା। ଆଖିବୁଜା ଗୁଳିଚାଳନା ଚାଲିଲା। ଶେଷରେ ଜଣେ ଆତଙ୍କବାଦୀଙ୍କୁ ମୁଁ ଆହତ କରିବାରେ ସକ୍ଷମ ହୋଇଥିଲି। ପାଖ କୋଠରିରେ ଥିବା ୧୫୦ ଜଣ ଅତିଥିଙ୍କୁ ମଧ୍ୟ ସଫଳତାର ସହ ଉଦ୍ଧାର କରାଗଲା। ସମସ୍ତଙ୍କର ଅଲଗା ଅଲଗା ଭୂମିକା ଥାଏ। ନିଜ ଭୂମିକା ମୁଁ ପୂରଣ କଲି। ବାକି ଈଶ୍ୱରଙ୍କ ନିଷ୍ପତ୍ତି ଥିଲା, ବଞ୍ଚିବାର ଅଛି କି ସହିଦ ହେବାର।

ଏବେ ଆପଣ କେତେ ଫିଟ୍‌?
ମୁଁ ୧୦୦% ଫିଟ୍‌ ଅଛି। କିନ୍ତୁ ଏଥିପାଇଁ ପ୍ରତିଦିନ ଅଭ୍ୟାସର ଆବଶ୍ୟକତା ରହିଛି। ଆଗକୁ ବଢ଼ିବାକୁ ହେଲେ ଝାଳ ବୁହାଇବାକୁ ପଡ଼େ। କଠୋର ପରିଶ୍ରମ କରିବାକୁ ପଡ଼ିଥାଏ।

କିଛି ଅକ୍ଷମତା ଦେଖାଗଲେ ସେନାବାହିିନୀରୁ କାଢ଼ି ଦିଆଯାଏ। କ’ଣ ଆପଣଙ୍କ ସହ ସେମିତି କିଛି ଘଟିଛି?
ନାହିଁ ସେମିତି କିଛି ନାହିଁ। ସେନାବାହିନୀରେ କିଛି ନିୟମ କାନୁନ୍‌ ରହିଛି। ମୁଁ ମୋର ପ୍ରଥମ ୧୫ ବର୍ଷ ଭିନ୍ନକ୍ଷମ ସତ୍ତ୍ୱେ ସେଠାରେ ପୂରଣ କରିଛି। କିନ୍ତୁ ମୋ ସହ ସମସ୍ୟା ଅଲଗା ଥିଲା। ଯଦି ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ ତ’ ଠିକ୍‌ ଅଛି । ସେହି ଅନୁଯାୟୀ ସ୍ଥାନ ମିଳିଯାଏ। କିନ୍ତୁ ମୋର ଆଭ୍ୟନ୍ତରୀଣ ଭାଗ ଅର୍ଥାତ ଶ୍ୱାସକ୍ରିୟାରେ ଅସୁବିଧା ହେଉଥିଲା ତ’ ମତେ ସେ ଦୃଷ୍ଟିରୁ କୌଣସି ସୁବିଧା ମିଳୁ ନ ଥିଲା। ପରେ ନିଜକୁ ପ୍ରମାଣିତ କରିବା ପାଇଁ ମୁଁ ନେଭିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲି।

ଯକୃତ ଖରାପ ପୁଣି ଶ୍ୱାସକ୍ରିୟାରେ ଅସୁବିଧା, ତଥାପି ଦକ୍ଷିଣ ଆଫ୍ରିକାରେ ଆପଣ ‘ଲୌହ ମାନବ’ର ଟାଇଟଲ୍‌ ହାସଲ କରିପାରିଛନ୍ତି। ତାହା କେମିତି?
ଡାକ୍ତର କହିଥିଲେ ମୁଁ ଦୌଡ଼ିବା କିମ୍ବା କୌଣସି ପ୍ରକାର ଶାରୀରିକ ପରିଶ୍ରମ କରିବା ସମ୍ଭବ ନୁହେଁ। କିନ୍ତୁ ଏହା ମୁଁ କେବେ ଗ୍ରହଣ କରିପାରିନଥିଲି। ଦିନ ରାତି ଅଭ୍ୟାସ କଲି। କଠିନ ପରିଶ୍ରମ କଲି ଓ ଶେଷରେ ସଫଳ ହେଲି। ଲୌହମାନବ ହେବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଏକ ଦୂରତା ଅତିକ୍ରମ କରିବାକୁ ପଡ଼ିଥାଏ। ୩.୮ କିମି ସନ୍ତରଣ ୨ ଘଣ୍ଟା ୨୦ ମିନିଟ୍‌ରେ, ତା’ପରେ ୧୮୦ କିମି ସାଇକେଲିଂ ୮ ଘଣ୍ଟା ୧୦ ମିନିଟ୍‌ରେ, ଏହା ପରେ ଏହିଭଳି ବାକି ସାଢ଼େ ୧୬ ଘଣ୍ଟାର କଠିନ ଟାକ୍ସ ପରେ ଜିତିବାରେ ମୁଁ ସଫଳ ହୋଇଥିଲି। ଏହା ବିଶ୍ୱର ସବୁଠାରୁ କଷ୍ଟକର ପ୍ରତିଯୋଗିତା ଅଟେ।

ଆଗକୁ କ’ଣ ଯୋଜନା ରହିଛି?
ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ‘ଅଲ୍‌ଟ୍ରା ମ୍ୟାନ୍‌’ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚାଲିଛି।

ଭିନ୍ନକ୍ଷମଙ୍କ ପାଇଁ କ’ଣ ବାର୍ତ୍ତା ଦେବେ?
ଶବ୍ଦକୁ ବିଶ୍ୱାସ ନ କରି ନିଜକୁ ବିଶ୍ୱାସ କର। ପରିଶ୍ରମ କର। ଝାଳ ବୁହାଅ। ନିଜକୁ ପ୍ରମାଣ କର। ତା’ ପରେ ସମାଜକୁ ନିର୍ଣ୍ଣୟ କରିବାକୁ ଦିଅ। ତୁମେ ଭିନ୍ନକ୍ଷମ ନା ଭିନ୍ନ ଭାବେ ସକ୍ଷମ।

ଆପଣଙ୍କ ମତରେ ସଫଳତାର ମନ୍ତ୍ର କ’ଣ ରହିଛି?
କଠିନ ପରିଶ୍ରମ। ସଫଳତାର ସର୍ଟକଟ ନଥାଏ। ସର୍ଟକଟ୍‌ରେ ଉପରକୁ ଉଠିଥିବା ମଣିଷ ବି ଯେତେବେଳେ ଖସେ ତା’ ପାଇଁ ତଳେ ଭୂଇଁ ବି ନଥାଏ। କିନ୍ତୁ ପରିଶ୍ରମ କରି ଉପରକୁ ଉଠିଥିବା ମଣିଷ ପାଇଁ ତଳେ ନିହାତି ଏକ ପ୍ଲାଟ୍‌ଫର୍ମ ପ୍ରସ୍ତୁତ ଥାଏ ତାକୁ ସମ୍ଭାଳିବା ପାଇଁ।

ସମ୍ବନ୍ଧିତ ଖବର