ହରିଭାଇ କମେଡି କ୍ଲବ୍‌ର ହାସ୍ୟ ସନ୍ଧ୍ୟା : କନ୍ଦାଉଥିବା କାହାଣୀ ହସାଇଲା

‘ତଅପୋଇ ଭାଇରାଲ୍‌’ ମଞ୍ଚସ୍ଥ

ଭୁବନେଶ୍ୱର : ଦୀର୍ଘ ବର୍ଷ ଧରି ତଅପୋଇ କାହାଣୀ ସମସ୍ତଙ୍କୁ କନ୍ଦାଇଛି। କିନ୍ତୁ ଆଜି ସେଇ କାହାଣୀ ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଥିଲା। ଦର୍ଶକଙ୍କୁ ହସାଇ ନଥା’ନ୍ତା ବା କାହିଁକି ନାଟକଟି ଯେ ପ୍ରସ୍ତୁତ ହୋଇଥିଲା ଦର୍ଶକଙ୍କୁ ହସାଇବାର ଭୀଷ୍ମ ପ୍ରତିଜ୍ଞା ନେଇ। ‘ହରି ଭାଇ କମେଡି କ୍ଲବ୍‌’ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ଏହି ନାଟକ। ସେହି ପୁରୁଣା ତଅପୋଇ କାହାଣୀରେ ହିଁ ହାସ୍ୟରସର ଖୋରାକ୍‌ ଖଞ୍ଜି ପରିବେଷିତ ହୋଇଥିଲା ନାଟକ  ‘ତଅପୋଇ ଭାଇରାଲ୍‌’। ଏହାର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ଖୋଦ୍‌ ହାସ୍ୟ ଅଭିନେତା ହରିହର ମହାପାତ୍ର। ୭୦ ଜଣ କଳାକାରଙ୍କୁ ନେଇ ନାଟକଟି ମଞ୍ଚସ୍ଥ ହୋଇଥିଲା।

ଆଜି ସ୍ଥାନୀୟ ଉତ୍କଳ ମଣ୍ଡପଠାରେ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ହାସ୍ୟରସାତ୍ମକ ସନ୍ଧ୍ୟାରେ ପ୍ରକୃତିର ପ୍ରତିକୂଳ ପରିବେଶ ମଧ୍ୟରେ ହସର ଲହଡ଼ି ଛୁଟିଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ନାଟ୍ୟ କଳାକାର ଭାନୁଚରଣ ମାଝୀ ଓ ବୀଣାପାଣି ସିଂହଙ୍କୁ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୫୦୦୦ ଟଙ୍କା ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଛି। ଏଥିସହ ଜୀବନଦଶା ମଧ୍ୟରେ ସେମାନଙ୍କୁ ମାସିକ ୧୦୦୦ ଟଙ୍କା ପେନ୍‌ସନ୍‌ ମଧ୍ୟ କ୍ଲବ୍‌ ପକ୍ଷରୁ ପ୍ରଦାନ କରାଯିବ ବୋଲି ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତି। ପୁଣି ସ୍ୱର୍ଗତ ନାଟ୍ୟ ନିର୍ଦ୍ଦେଶକ ଶରତଚନ୍ଦ୍ର ମହାନ୍ତିଙ୍କ ବୃତ୍ତି ଅର୍ଥାତ୍‌  ମାସିକ ହଜାରେ ଟଙ୍କାର ପେନ୍‌ସନ୍‌ ତାଙ୍କ ପତ୍ନୀଙ୍କୁ ଜୀବନର ଶେଷ ପର୍ଯ୍ୟନ୍ତ ମିଳିବ ବୋଲି କ୍ଲବ୍‌ ପକ୍ଷରୁ କୁହାଯାଇଛି। କ୍ଲବ୍‌ର ନିୟମ ଅନୁଯାୟୀ, ଏହି ପେନ୍‌ସନ୍‌ କେବଳ କଳାକାରଙ୍କୁ ମିଳିବା କଥା। ସ୍ୱର୍ଗତ ମହାନ୍ତିଙ୍କ ପତ୍ନୀଙ୍କ ଦୁର୍ଦ୍ଦଶା ଦେଖି କ୍ଲବ୍‌ ପକ୍ଷରୁ ଏହା ଦିଆଯାଉଛି। ଆଜିର କାର୍ଯ୍ୟକ୍ରମରେ ଶିଳ୍ପଦ୍ୟୋଗୀ ସୁନୀଲ ମୁରାର୍କା, ଡାକ୍ତର ଅକ୍ଷୟ ରାଉତ, ଡାକ୍ତର ମୋନାଲିସା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀନିବାସ ଘଟୁଆରୀ ମଞ୍ଚ ସଂଯୋଜନା କରିଥିଲେ ଓ ହରିହର ମହାପାତ୍ର ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର