ବୁଡ଼ି ଯାଉଛି ଚାଷ ବେଉସା ନାଟକ ‘ହେ ସ୍ରଷ୍ଟା’

ଭୁବନେଶ୍ୱର: ‘ଜୟ ଯବାନ, ଜୟ କିସାନ’ ଭଳି ପରିଚିତ ସ୍ଲେଗାନକୁ କିଏ ବା ନ’ ଜାଣେ। କିନ୍ତୁ ଆଜି ଏହାର ଗୁରୁତ୍ୱ କେଉଁଠି ଦେଖାଯାଉ ନାହିଁ। କୃଷକ ଏବେ ସମାଜରେ ଅବହେଳିତ। କୃଷକର ଜୀବନ ଓ ତା’ର ବେଉସା ସମୟର ଚକରେ ଧୀରେଧୀରେ ଲୀନ ହୋଇଯାଉଛି। ଆଜିର ଯୁବପିଢ଼ି ସୈନିକ ହେବାକୁ ଇଚ୍ଛା କରୁଛନ୍ତି, କିନ୍ତୁ କୃଷକ ହେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। କୃଷକର ଜୀବନ କ’ଣ ସୈନିକ ଜୀବନଠାରୁ ଅଧିକ କଷ୍ଟମୟ? କୃଷି କାର୍ଯ୍ୟ କ’ଣ ଯୁଦ୍ଧ ବିଦ୍ୟାଠାରୁ ଅଧିକ କଠିନ? ଭାରତ ପରି ଏକ କୃଷି ପ୍ରଧାନ ଦେଶରେ କୃଷି ଓ କୃଷକକୁ ପ୍ରାଥମିକତା କେବେ? ଏଥିପାଇଁ କ’ଣ କୃଷକଙ୍କୁ ଆତ୍ମବଳି ଦେବାକୁ ପଡ଼ିବ? ଏମିତି ଏକ ନାଟକ ‘ହେ ସ୍ରଷ୍ଟା’ ପଞ୍ଚଧ୍ୱନି ନାଟ୍ୟ ପରିଷଦ ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ। ‘ଏବଂ ଆମେ’ ପକ୍ଷରୁ ଚାଲିଥିବା ୬ଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଏମିତି ଏକ ରାଷ୍ଟ୍ରୀୟ ଭାବାବେଗକୁ ନେଇ ପରିବେଷିତ ନାଟକ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ପଞ୍ଚାନନ ଦାଶଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତି ରଞ୍ଜନ ଦାଶ। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ରବିନାରାୟଣ ନନ୍ଦ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ସଚ୍ଚି ଦାସ ଓ ସମ୍ପାଦକ ଶୁଭକାନ୍ତ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର