ସ୍ବାସ୍ଥ୍ୟ ବିଭାଗର ସଚେତନତା ଆରମ୍ଭ, ଝରଣା ସାହିରେ ଜଣ୍ଡିସ୍

ଭୁବନେଶ୍ବର: ଝରଣା ସାହିରେ ଜଣେ ଯୁବତୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହେବା ନଜରକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଚେଇଁ ଉଠିଛି। ଆଜିଠାରୁ ସାହିରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯେପରି ସାହିର ଅଧିକ ଲୋକ ଏଥିରେ ଆକ୍ରାନ୍ତ ନ ହୁଅନ୍ତି ସେଥିପାଇଁ ବିଭାଗ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜର ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିବା ସହ ଜଣ୍ଡିସ୍ ନେଇ ସଚେତନତା ସୃଷ୍ଟି କରିଥିଲେ। ଆଗାମୀ ଦିନରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଜଣ୍ଡିସ୍ ଖବର ଜଣାପଡ଼ିବା ପରେ ଆଜି ବିଏମ୍‌ସି ଓ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଝରଣା ସାହିରେ ପହଞ୍ଚି ଏହାର ତନାଘନା କରିଥିଲେ। କେଉଁ ପରିସ୍ଥିତିରେ ଯୁବତୀଜଣକ ଜଣ୍ଡିସ୍‌ରେ ଆକ୍ରାନ୍ତ ହେଲେ, ତାହାର କାରଣ ଖୋଜିବା ପାଇଁ ଉଦ୍ୟମ କରିଥିଲେ। ତେବେ ଦୂଷିତ ପାଣି କିମ୍ବା ଅନ୍ୟ ସ୍ଥାନରୁ ଖାଦ୍ୟ ଖାଇ ଯୁବତୀ ଜଣକ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ତାହା ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖ‌ଯୋଗ୍ୟ, ୨୦୧୬ ମସିହାରେ ଝରଣା ସାହିରେ ଜଣ୍ଡିସ୍ ଆତଙ୍କ ସୃଷ୍ଟି କରିଥିଲା। ଏହି ବର୍ଷ ସେଠାରେ ପ୍ରାୟ ଶହେ ଜଣ ବ୍ୟକ୍ତି ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିଲେ। ପରବର୍ତୀ ବର୍ଷଗୁଡ଼ିକରେ ମଧ୍ୟ ସେଠାରେ ଜଣ୍ଡିସ୍‌ ଜାରି ରହିଛି।

ସମ୍ବନ୍ଧିତ ଖବର