ବାଲିଅନ୍ତା ବ୍ଲକ ଅଞ୍ଚଳରେ ଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁ ନାହାନ୍ତି ସ୍ୱାସ୍ଥ୍ୟକର୍ମୀ : ୧୭ଟିରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ଥିବା ୨୦ଟି ଉପ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଏବେ ୧୭ଟି କେନ୍ଦ୍ରରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏସବୁ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ କର୍ମୀ ରହୁ ନଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରାଥମିକ ସ୍ବାସ୍ଥ୍ୟସେବା ପାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟକର୍ମୀ ରହୁ ନଥିବା ନେଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ରୋଗୀ କଲ୍ୟାଣ ସମିତି ବୈଠକରେ କମିଟି ସଭ୍ୟ ବୃନ୍ଦ ଅଭିଯୋଗ କରିଥିଲେ। ହେଲେ ଇତିମଧ୍ୟରେ ୨ ମାସ ବିତି ଯାଇଥିଲେ ହେଁ ଡାକ୍ତରଖାନା କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ଏ ସଂପର୍କରେ ସଂପୃକ୍ତ ପଞ୍ଚାୟତର ଲୋକମାନେ ସ୍ଥାନୀୟ ବିଧାୟକ ଡ. ଅରବିନ୍ଦ ଢାଲିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ୨୦ଟି ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୭ଟି ଉପ ସ୍ବାସ୍ଥ୍ୟକେନ୍ଦ୍ରର ନିଜସ୍ବ ବିଲ୍‌ଡିଂ ଓ କ୍ବାର୍ଟର୍‌ ରହିଛି। ସେଗୁଡ଼ିକ ହେଲା, ସରକଣା, ଝିଣ୍ଟିଶାସନ, ପୂରଣପଧାନ, ଖମଙ୍ଗ, ପାହାଳ, ପାରିବାସୁଦେଇପୁର ଓ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍ଥିତ ଉପ ସ୍ବାସ୍ଥ୍ୟକେନ୍ଦ୍ର। ନିଜସ୍ବ ବିଲ୍‌ଡିଂ ଥିବାରୁ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟକର୍ମୀ ଏଠାରେ ରହି ରୋଗୀ ସେବା କରିବା କଥା। ହେଲେ ସେଥିମଧ୍ୟରୁ ୩ଟି ଉପସ୍ବାସ୍ଥ୍ୟକେନ୍ଦ୍ର ଯଥା ପାହାଳ, ଖମଙ୍ଗ ଓ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ରହୁଥିବା ବେଳେ ଅନ୍ୟ ସମସ୍ତେ ଭୁବନେଶ୍ବରରେ ରହୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ କେବଳ ଟିକାକରଣ ବାରି ଦିନ ଛାଡ଼ି ଦେଲେ ଅନ୍ୟ ଦିନମାନଙ୍କରେ ନିଜ ଅଞ୍ଚଳରେ ଦେଖିବାକୁ ମିଳି ନଥାଏ। ସେହିପରି ନିଜସ୍ବ ବିଲ୍‌ଡିଂ ନଥିବା‌ ଆଳରେ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଅଞ୍ଚଳରେ ରହି ରୋଗୀ ସେବା କରି ନଥାନ୍ତି। ଫଳରେ ଝାଡ଼ାବାନ୍ତି, ଡାଇରିଆ, ମ୍ୟାଲେରିଆ ଭଳି ରୋଗର ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀମାନେ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ଖୋର୍ଧା ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀଙ୍କୁ ପଚାରିବାରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର