‘ହେଲ୍‌ଥ ଭିଲ୍’ର ଉଦ୍‌ଘାଟନ ‘ଉତ୍ତମ ସ୍ୱାସ୍ଥ୍ୟ ବୌଦ୍ଧିକ ପରିବର୍ତ୍ତନ ଆଣିପାରେ’

ଚନ୍ଦ୍ରଶେଖରପୁର/ତ୍ରିଶୁଳିଆ: ବାରଙ୍ଗର ଭାଲୁଙ୍କାସ୍ଥିତ ଶାନ୍ତିବନଠାରେ ଆଜି ପୂର୍ବ ଭାରତର ବୃହତ୍‌ ଯୋଗ ଓ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ‘ହେଲ୍‌ଥଭିଲ୍’(ସ୍ୱାସ୍ଥ୍ୟଗ୍ରାମ) ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଶିକ୍ଷା ଓ ସ୍ୱାସ୍ଥ୍ୟ ଯେକୌଣସି ରାଷ୍ଟ୍ରର ସାମଗ୍ରିକ ବିକାଶ ପ୍ରକ୍ରିୟାର ମୂଳ ଆଧାର। ଉତ୍ତମ ସ୍ୱାସ୍ଥ୍ୟ ହିଁ ବୌଦ୍ଧିକ ତଥା ମାନସିକ ପରିବର୍ତ୍ତନ ଆଣି ପାରିଥାଏ ବୋଲି ପ୍ରଫେସର୍‌ ଶ୍ରୀ ଲାଲ୍‌ କହିଥିଲେ। ହେଲ୍ଥଭିଲ୍‌ର ଚେୟାରମ୍ୟାନ୍‌ ତଥା ଶିକ୍ଷାବିତ୍‌ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ସ୍ୱାସ୍ଥ୍ୟଗ୍ରାମର ଫଳକ ଉନ୍ମୋଚନ କରିବା ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପ୍ରାକୃତିକ ସ୍ୱାସ୍ଥ୍ୟସେବା ସହ ଆକ୍ୟୁପଙ୍କଚର୍‌, ଡାଏଟ୍‌ଥେରାପି ଭଳି ସେବା ଯୋଗାଣ କ୍ଷେତ୍ରରେ ‘ହେଲ୍‌ଥଭିଲ୍’ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହ ଆୟୁର୍ବେଦର ଏହି ଚିକିତ୍ସା କେନ୍ଦ୍ର ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠା ଲାଭ କରିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଡ. ମୀନକେତନଙ୍କ ଦ୍ୱାରା ରଚିତ ଉତ୍ତମ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ୪ଟି ଉପାଦେୟ ପୁସ୍ତକୁ ରାଜ୍ୟପାଳ ଲୋକାର୍ପଣ କରିଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗ ଦେଇ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଚେୟାରମ୍ୟାନ ଡ. ମୀନକେତନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଯୁବପିଢ଼ିକୁ ଏକ ସୁସ୍ଥ ସୁନ୍ଦର ନିରାମୟ ଜୀବନଯାପନ ଶୈଳୀ ଆପଣାଇବା ନିମନ୍ତେ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷୀ‌ରେ ହେଲଥ୍‌ ଭିଲ୍‌ର ମ୍ୟାନେଜିଂ ଟ୍ରଷ୍ଟି ଇନ୍ଦୁମତୀ ରାୟ, ଓଡିଏମ୍ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର୍‌ ଡ. ପି.କେ ଦାସ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ସିଓଓ ସ୍ୱୟନ୍ ସତ୍ୟେନ୍ଦୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର