ରାଜଧାନୀରେ ତାତି ଅସହ୍ୟ : ଦିନକରେ ବଢ଼ିଲା ୩ ଡିଗ୍ରି, ୨୩ ପରେ ଅସମ୍ଭାଳ ତାତି!

ଭୁବନେଶ୍ବର : ମେ ୩ରେ ହୋଇଥିବା ବାତ୍ୟା ପରେ ରାଜଧାନୀରେ ପାରଦ ୪୦ଡିଗ୍ରି ଟପି ନଥିଲା। ଗତ ଦୁଇ ସପ୍ତାହ ହେଲା ପାରଦ ୩୪ରୁ ୩୭ଡିଗ୍ରି ମଧ୍ୟରେ ରହୁଥିଲା। ହେଲେ ସବୁଜିମା ହରାଇଥିବା ରାଜଧାନୀରେ ପ୍ରବଳ ତାତି ଅନୁଭୂତ ହେଉଥିଲା। ପାରଦ ୪୦ଡିଗ୍ରି ଟପୁ ନଥିଲେ ହେଁ ୪୫ଡିଗ୍ରିରୁ ଅଧିକ ଖରା ଭଳି ତାତି ଓ ଗରମ ହେଉଥିଲା। କିନ୍ତୁ ଆଜି ପାରଦ ୪୦ଡିଗ୍ରି ଟପିଛି। ଶୁକ୍ରବାର ରାଜଧାନୀରେ ତାତି ୩୭.୪ଡିଗ୍ରି ରେକର୍ଡ ହୋଇଥିବାବେଳେ ଆଜି ୪୦.୨ ଡିଗ୍ରି ରେକର୍ଡ ହୋଇଛି। ଦିନକରେ ପ୍ରାୟ ୩ଡିଗ୍ରି ବଢ଼ିଯାଇଛି। ହଠାତ୍ ପାରଦ ତିନି ଡିଗ୍ରି ବଢ଼ିଯିବାରୁ ଲୋକ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଖରା ବଢ଼ିଯିବାରୁ କିଏ ଘରେ ଏସି, କୁଲର, ଫ୍ୟାନ୍ ଲଗାଇ ବସିଥିଲେ ତ କିଏ ବାହାରେ ଛାଇ ଖୋଜୁଥିଲେ। ହେଲେ ବାତ୍ୟା ପରେ ରାଜଧାନୀରେ ଗଛ ଛାଇ ହଜି ଯାଇଥିବାରୁ ଲୋକମାନେ ବ୍ରିଜ୍ ତଳେ, ବିଭିନ୍ନ ଦୋକନ ନିକଟରେ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଇ ଖରାରୁ ଟିକେ ଆଶ୍ବସ୍ତି ପାଇଥିଲେ।

ଏପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ରବିବାର ତାତି ଆହୁରି ବଢ଼ିବ। ୨୦ରୁ ଯଦିଓ କିଛି ମାତ୍ରାରେ ତାତି କମିବ କିନ୍ତୁ ୨୩ପରେ ସ୍ଥିତି ଅସମ୍ଭାଳ ହେବ। ୨୩ରୁ ୨୭ ତ ଲୋକ ଗରମରେ ସିଝିବେ। ଏହି ସମୟରେ ପାରଦ ଉପରମୁହାଁ ହୋଇ ୪୩ଡିଗ୍ରି ଛୁଇଁପାରେ।

ଯଦି ଏହି ପୂର୍ବାନୁମାନ ସତ ହେଲା ତେବେ ରାଜଧାନୀରେ ଅଂଶୁଘାତ ପରିସ୍ଥିତି ହେବା ଥୟ। ରାଜଧାନୀବାସୀ ଏଥର ଜବୀନର ସବୁଠୁ କଷ୍ଟଦାୟକ ଗ୍ରୀଷ୍ମ ଋତୁକୁ ସାମ୍ନା କରିବେ।

ଅଂଶୁଘାତରେ ୮ ଶ୍ରମିକ ଗୁରୁତର

ଚନ୍ଦ୍ରଶେଖରପୁର : ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୮ ଶ୍ରମିକ ଅଂଶୁଘାତର ଶିକାର ହୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଛନ୍ତି। ସେମାନେ ହେଲେ ସାଲିଆ ସାହିର ଧ୍ରୁବଚରଣ ଦିଗାଲ, ସୁକାନ୍ତୀ ନାୟକ, ଗୋପବନ୍ଧୁ ବସ୍ତିର କଣ୍ଡରା ବେହେରା, ଝରଣାବସ୍ତିର ମମତା ସାହୁ ଓ ଅନ୍ନପୂର୍ଣ୍ଣା ସାହୁ, ମଞ୍ଚେଶ୍ବର ମୁଣ୍ଡାସାହିର ବାପି ମୁର୍ମୁ ଓ ଜଗଦୀଶ ମୁର୍ମୁ ଏବଂ ଚିରଗାଲଟୋଲାର ଦେବରାଜ ନାୟକ। ଏମାନେ ଡମଣା ଛକରେ ରାସ୍ତା କାମ, ଶିଖରଚଣ୍ଡୀ ନିକଟ ଏକ କମ୍ପାନିରେ କୋଠା କାମ ଓ ରଘୁନାଥପୁର ଅଞ୍ଚଳରେ ଏକ ପାଚେରି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରବଳ ଖରାରେ କାମ କରୁଥିବା ବେଳେ ଘଟଣାସ୍ଥଳରେ ଅଚେତ ହୋଇଯିବାରୁ ପଟିଆ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ସମସ୍ତଙ୍କୁ ଭର୍ତି କରାଯାଇଥିଲା। ତେବେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର