୫ ଦିନ ଯାଏ ଘନ କୁହୁଡ଼ି : ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥ‌ାନରେ ଘନ କୁହୁଡ଼ି ପଡ଼ିବ, ୨୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବନି

ଭୁବନେଶ୍ବର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୁହୁଡ଼ିରୁ ନିସ୍ତାର ମିଳିବନି। ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥ‌ାନରେ ଘନ କୁହୁଡ଼ି ପଡ଼ିବ। ସ୍ଥାନେ ସ୍ଥାନେ କୁହୁଡ଼ିର ମାତ୍ରା ଏତେ ରହିବ ଯେ ୨୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବନି। ରାଜଧାନୀରେ ଗତକାଲି ଏପରି କୁହୁଡି ରହିଥିଲା ଯେ ବିଳମ୍ବିତ ସକାଳ ପର୍ଯ୍ୟନ୍ତ ସ୍ଥିତିରେ ଉନ୍ନତି ହୋଇ ନ ଥିଲା। ଗତକାଲି ପରି ଆଜି ରାତିରେ ମଧ୍ୟ କୁହୁଡି ସାଧାରଣ ଜୀବନ ଯାତ୍ରା ପ୍ରଭାବିତ କରିଛି। ଏହା ଦ୍ବାର‌ା ଜାତୀୟ ରାଜପଥରେ ଗାଡ଼ି ଚାଳକ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତାରେ ଦୃଶ୍ୟମାନ ବହୁତ କମ୍‌ ଥିବ‌ାରୁ ଗାଡ଼ି ଚାଳକ ରାସ୍ତା କଡ଼ରେ ଗା୍‌ଡ଼ି ରଖି ଦେବାକୁ ବାଧ୍ୟ ହୋଇଥିଲେ।

ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କୁହୁଡ଼ିର ପରିମାଣ ଅଧିକ ରହିବ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରିସ୍ଥିତି ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜି ଭଳି ସ୍ଥିତି ଶନିବାର ବି ଜାରି ରହିବ। ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଖୋର୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁଡୁଡ଼ି ହେବ। ୧୯ ଓ ୨୦ ତାରିଖ କୁହୁଡ଼ି ସାମାନ୍ୟ କମିବ। ୨୧ ଓ ୨୨ ତାରିଖରେ ଘନ କୁହୁଡ଼ି ହେବା ସହ ଅଧିକାଂଶ ସ୍ଥାନରେ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବନି।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ଭଦ୍ରକ, ପୁରୀ, ପାରାଦୀପ, ଜଗତସିଂହପୁର, ଟିଟିଲାଗଡ଼, ସୁନ୍ଦରଗଡ଼, ଫୁଲବାଣୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ିଥିଲା। ଭୁବନେଶ୍ୱରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚାନ୍ଦବାଲିରେ ସବୁଠୁ ଅଧିକ କୁହୁଡ଼ି ଆଚ୍ଛାଦିତ କରି ରଖିଥିଲା। ସକାଳେ ଏଠାରେ ୨୦ ମିଟର ପରେ ଆଉ କିଛି ଦୃଶ୍ୟମାନ ହେଉ ନଥିଲା। ସେହିପରି ପାରାଦୀପ ଓ ଅନୁଗୁଳରେ ୩୦ ମିଟର, କଟକ, ଭୁବନେଶ୍ୱର ଓ ପୁରୀରେ ୫୦ ମିଟର ପରେ କିଛି ଦେଖାଯାଉ ନଥିଲା।

ସମ୍ବନ୍ଧିତ ଖବର