ଜଳବନ୍ଦୀ : ପାଣି ଘେରରେ ୮ଘଣ୍ଟା

ଭୁବନେଶ୍ୱର : ଆଜିର ଦିନଟି ରାଜଧାନୀବାସୀଙ୍କ ପାଇଁ ଏକ ଅଭୁଲା ଦିନ ହୋଇ ରହିଯିବ। କାରଣ ସକାଳୁ ଉଠିଲା ବେଳକୁ ଘର ବାହାରେ ଚାଲୁଥିଲା ତିନିରୁ ଚାରି ଫୁଟ ଉଚ୍ଚରେ ପାଣି। ଆଖି ଯେଉଁ ଯାଏଁ ପାଉଥିଲା ଖାଲି ପାଣି ଆଉ ପାଣି ଦେଖାଯାଉଥିଲା। କ’ଣ କରିବେ ଭାବିଲା ବେଳକୁ ଘରେ ପାଣି ପଶିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣିର ସୁଅ ଛୁଟୁଥିବାରୁ ଅଧିକାଂଶ ଅଞ୍ଚଳରେ ଲୋକ ପ୍ରାୟ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦୀର୍ଘ ୮ଘଣ୍ଟା କାଳ ଜଳବନ୍ଦୀ ହୋଇ ରହିଥିଲେ। ବିଏମ୍‌ସି, ଅଗ୍ନିଶମ ବିଭାଗ କେତେକ ସ୍ଥାନରେ ପମ୍ପ ଯୋଗେ ପାଣି ନିଷ୍କାସନ କରିବାରୁ ଲୋକ ଆଶ୍ୱସ୍ତ ହୋଇଥିଲେ।

ଚଳିତ ମୌସୁମୀର ସବୁଠୁ ବଡ଼ ବର୍ଷାରେ ଆଜି ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଥିଲା। ୨୪ଘଣ୍ଟା ମଧ୍ୟରେ ୧୨୩.୫ ମିମି ବର୍ଷା ଏବଂ ଆଜି ସକାଳୁ ୩୨.୭ମିମି ବର୍ଷା ହେବାରୁ ରାଜଧାନୀର ରାସ୍ତାଘାଟରୁ ଆରମ୍ଭ କରି ଘର, ଆପାର୍ଟମେଣ୍ଟ, ମନ୍ଦିର ସବୁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଏକ ନମ୍ବର ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ଖୁବ୍‌ ଶୀଘ୍ର ଏକ ସ୍ମାର୍ଟ ସିଟିରେ ପରିଣତ ହେବାକୁ ଯାଉଥିବାବେଳେ ଆଜିର ବର୍ଷା ରାଜଧାନୀର ଅସଲ ଚିତ୍ରକୁ ପଦାରେ ପକାଇ ଦେଇଛି।

ବର୍ଷା ହେଲେ ରାଜଧାନୀରୁ ଜଳ ନିଷ୍କାସନ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଆଜି ଯେମିତି ସବୁ ଫେଲ୍‌ ମାରି ଯାଇଥିଲା। ଡ୍ରେନ୍‌ରେ ପାଣି ଚାଲୁଥିଲା କିନ୍ତୁ ତାହାଠାରୁ ଢେର୍‌ ଅଧିକ ପାଣି ରାସ୍ତାରେ ସୁଅ ଛୁଟୁଥିଲା। ପାଣି ଖସିବାକୁ ସବୁ ବାଟ ଯେପରି ବନ୍ଦ ହୋଇଯାଇଥିଲା। ରାଜଧାନୀରେ ରହିଲେ ବନ୍ୟା କ’ଣ ଜାଣିପାରିବେନି ବୋଲି ଯେଉଁମାନେ ଦମ୍ଭୋକ୍ତି ମାରୁଥିଲେ ଆଜି ସେମାନେ ବନ୍ୟାର ଲାଇଭ୍‌ ସୋ’ ଦେଖିଥିଲେ।

ଲଗାଣ ବର୍ଷାରେ ବେହାଲ ବୈରାଗୀ ନଗର, ସତ୍ୟବିହାର

ଲଗାଣ ବର୍ଷାରେ ଆଜି ଜଗନ୍ନାଥ ନଗର, ବୈରାଗୀ ନଗର, ସତ୍ୟ ବିହାର ଓ ପଳାଶୁଣୀ ଆଦି ଅଞ୍ଚଳର ହାଲ୍‌ ବେହାଲ ହୋଇଯାଇଥିଲା। ଜଳ ନିଷ୍କାସନରେ ଅସୁବିଧା ହେତୁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାତାୟାତରେ ନାନା ଅସୁବିଧା ସୃଷ୍ଟି ହୋଇଥିଲା। ବୈରାଗୀ ନଗରରେ ପାଣି ଏପରି ଜମି ରହିଥିଲା ଯେ ଲୋକ ଘରୁ ବାହାରି ପାରି ନ ଥିଲେ। ପ୍ରତି ବର୍ଷ ଏହି ସମସ୍ୟା ସୃଷ୍ଟି ହେଉଥିଲେ ବି ସମାଧାନର ବାଟ ବାହାରିପାରୁନି। ପୁଣି ସତ୍ୟ ବିହାର ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇଯାଇଥିଲା। ରାସ୍ତା ସାରା ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଥିବା ବେଳେ କିଛି ସ୍ଥାନରେ ଲୋକଙ୍କ ଘରେ ପଶି ଯାଇଥିଲା। ସେହି ଅଞ୍ଚଳରେ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ ଓ ସରସ୍ୱତୀ ବିଦ୍ୟାମନ୍ଦିର ଆଦି ୨ଟି ସ୍କୁଲ ଥିଲେ ମଧ୍ୟ ଲଗାଣ ବର୍ଷା ଓ ଜଳବନ୍ଦୀ ଅବସ୍ଥା ଯୋଗୁ ପିଲାମାନେ ସ୍କୁଲ ଯାଇ ପାରି ନ ଥିଲେ। ବିଏମ୍‌ସିର ପ୍ରସ୍ତୁତି ଅଭାବ ଓ ଡ୍ରେନେଜ୍‌ ବ୍ୟବସ୍ଥାର ଅବ୍ୟବସ୍ଥା ପାଇଁ ମୌସୁମୀ ଲୋକଙ୍କ ଦୁଃଖର କାରଣ ସାଜୁଛି ବୋଲି ସଚେତନ ନାଗରିକ ମତ ଦେଇଛନ୍ତି। ସେହିପରି ରସୁଲଗଡ଼-ପଳାଶୁଣୀ ରାସ୍ତା ଅବସ୍ଥା ସଙ୍ଗିନ ହୋଇ ଉଠିଥିଲା। ଏହି ରାସ୍ତାରେ ଥିବା ବଡ଼ ବଡ଼ ଖାଲ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଥିଲା।

୧୫ ଓ୍ଵାର୍ଡରେ ସ୍ଥିତି ସାଂଘାତିକ, ବିଏମ୍‌ସି ଓ ଅଗ୍ନିଶମ ବିଭାଗ ଜଳବନ୍ଦୀରୁ ମୁକୁଳାଇଲେ

ରାଜଧାନୀର ଅଧିକାଂଶ ଅଞ୍ଚଳରେ ପାଣି ପଶିଯିବା ପରେ ଲୋକ ଅସ୍ତବ୍ୟସ୍ତ ହୋଇ ଯାଇଥିଲେ। କିଏ କ’ଣ କରିବେ ଜାଣିପାରି ନଥିଲେ। ବିଏମ୍‌ସିର ବର୍ଷା ମୁକାବିଲା ପାଇଁ ହେଲ୍ପଲାଇନ୍‌ ନମ୍ବର ନଥିବାରୁ କେଉଁଠିକୁ ଫୋନ୍‌ କରିବେ ଲୋକ ଜାଣିପାରି ନଥିଲେ। ଘରେ ପାଣି ପଶିଯାଉଥିବା ଦେଖି ଲୋକ ବିକଳରେ ୧୦୦କୁ ଡାଏଲ୍‌ କରିଥିଲେ। ଏହାପରେ ଭୁବନେଶ୍ୱର ଅପରେସନ ସେଣ୍ଟର୍‌ରୁ ବିଏମ୍‌ସିକୁ ଉଦ୍ଧାର କାର୍ଯ୍ୟ ପାଇଁ ସୂଚନା ଯାଇଥିଲା। ବିଏମ୍‌ସିର ୪୦ଜଣ ଅଧିକାରୀ ଏବଂ ୧୨୦ ଜଣ କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ତିଆରି ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଜଳ ନିଷ୍କାସନ କାର୍ଯ୍ୟ। ପ୍ରାୟ ୧୦ଘଣ୍ଟା ପରେ ବିଏମ୍‌ସି ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଜଳବନ୍ଦୀରୁ ମୁକୁଳାଇଥିଲା। ଏଥିପାଇଁ ୯ଟି ପମ୍ପ ନିୟୋଜିତ ହୋଇଥିଲା। ଏଥିରେ ବିଏମ୍‌ସିର ୪ଟି ଥିବାବେଳେ ଅଗ୍ନିଶମ ବିଭାଗର ୫ଟି ପମ୍ପସେଟ୍‌ ଥିଲା।

ଆଜି ରାଜଧାନୀର ପ୍ରାୟ ୧୫ଟି ଓ୍ଵାର୍ଡରେ ବର୍ଷା ପାଣି ଲୋକଙ୍କ ନିଦ ହଜାଇ ଦେଇଥିଲା। ବହୁ ଅଞ୍ଚଳ ଜଳମଗ୍ନ ଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଖବର ପହଞ୍ଚିପାରୁନଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଥିଲା। ଏହାପରେ ବର୍ଷା ଜଳ ନିଷ୍କାସନ ପାଇଁ ହେଲ୍ପଲାଇନ୍‌ ନମ୍ବର ‘୦୬୭୪-୨୪୩୨୨୮୧’ ନମ୍ବର ଜାରି ହୋଇଥିଲା। ନମ୍ବର ଜାରି ହେବା ପରେ ସଂଧ୍ୟା ୭ଟା ସୁଦ୍ଧା ୫୫ଜଣ ଅଭିଯୋଗ କରିଥିଲେ। ବିଏମ୍‌ସି କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନକୁ ଯାଇ ପମ୍ପ ମାଧ୍ୟମରେ ଜଳ ନିଷ୍କାସନ କରିବା ସହ କେତେକ ସ୍ଥାନରେ ଅବରୋଧ କରୁଥିବା ପାଚେରି ଓ ନିର୍ମାଣକୁ ଭାଙ୍ଗିଥିଲେ।

ଆଜି ଓ୍ଵାର୍ଡ ୬୩ର ଜାଗମରା ନିକଟସ୍ଥ ମଲ୍ଲିକ କମ୍ପ୍ଲେକ୍ସ, ଓ୍ଵାର୍ଡ ୪୯ର ଚିଦାନନ୍ଦ ବିହାର, ଓ୍ଵାର୍ଡ ୫୯ର ସାରଦା ମଠ ଲେନ୍‌, ଓ୍ଵାର୍ଡ ୫୦ର ପାଇକ ନଗର, ଓ୍ଵାର୍ଡ ୧୩ର ନୀଳମାଧବ ବସ୍ତି, ପଟିଆ ଅଞ୍ଚଳର ଶାଶ୍ୱତୀ ବିହାରରେ ପାଣି ଜମିଥିବାବେଳେ ଏଠାରୁ ପମ୍ପ୍‌ ମାଧ୍ୟମରେ ବର୍ଷା ପାଣି ନିଷ୍କାସନ କରାଯାଇଥିଲା।

ସେହିପରି ଓ୍ଵାର୍ଡ ୩୩ର ଶାନ୍ତି ନଗର, ଓ୍ଵାର୍ଡ ୧୮ର ପଳାସୁଣି, ଓ୍ଵାର୍ଡ ୫୯ର ଗୌରୀଶଙ୍କର ଇଂରାଜୀ ମାଧ୍ୟମିକ ସ୍କୁଲ ଅଞ୍ଚଳ, ଓ୍ଵାର୍ଡ ୬ର ପ୍ରଗତି ବିହାରରେ ପାଣି ନିଷ୍କାସନ ହୋଇ ନପାରିବାରୁ ରାସ୍ତା ଖୋଳାଯାଇଥିଲା।

ଜଗମେହାନ ନଗର ଅଞ୍ଚଳରେ ମାସନ୍‌ ଆପାର୍ଟମେଣ୍ଟର ପାଚେରି ପାଣି ନିଷ୍କାସନରେ ବାଧକ ସାଜିବାରୁ ଏହାକୁ ଭଙ୍ଗାଯାଇଛି। ଓ୍ଵାର୍ଡ ୨୭ରେ ଇନ୍ଦ୍ରଧନୁ ମାକେର୍ଟ ଅଞ୍ଚଳରେ ପାଣି ନିଷ୍କାସନରେ ସମସ୍ୟା ହୋଇଥିଲା। ଲକ୍ଷ୍ମୀସାଗର ଅଞ୍ଚଳରେ ମୁଖ୍ୟ ଡ୍ରେନ୍‌ରେ ପାଣି ନିଷ୍କାସନ ସମସ୍ୟା ହେବାରୁ ପାଚେରିକୁ ଭଙ୍ଗାଯାଇଛି। ସେହିପରି ମେ ଫେୟାର ନିକଟରେ ଥିବା ଘନଶ୍ୟାମ ଆପାର୍ଟମେଣ୍ଟ, ଓ୍ଵାର୍ଡ ୬୦ର ଗୌରୀ ଗାର୍ଡେନ୍‌ , ଶ୍ରୀରାମ ନଗର ଲେନ୍‌ ୧୦, ଓ୍ଵାର୍ଡ ୫୦ର ବରମୁଣ୍ଡାରେ ପ୍ଲଟ୍‌ ନଂ ୧୪୦୧ରୁ ଅଗ୍ନିଶମ ବିଭାଗର ପମ୍ପ ଏବଂ ଜେସିବି ସହାୟତାରେ ଜଳ ନିଷ୍କାସନ କରାଯାଇଥିଲା। ବର୍ଷା ଜଳ ନିଷ୍କାସନ ପାଇଁ ଆଜି ସଂଧ୍ୟାରେ ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ବସି ସ୍ଥିତିର ସମୀକ୍ଷା କରାଯାଇଛି।

ବୁଡ଼ିଲେ ଠାକୁର

ପୁରୁଣା ଭୁବନେଶ୍ୱର : ବର୍ଷା ଯୋଗୁଁ ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ମନ୍ଦିର ବେଢ଼ାରେ ଓ ଗର୍ଭଗୃହରେ ପାଣି ଜମିଥିଲା। ଟଙ୍କପାଣି ରୋଡ୍‌ ମେଘେଶ୍ୱର ମନ୍ଦିରରେ ମହାଦେବ ସମ୍ପୂର୍ଣ୍ଣ ପାଣିରେ ବଡ଼ି ରହିଥିଲେ। କେଦାରଗୌରୀ ମନ୍ଦିରରେ ଆଣ୍ଠୁଏ ପାଣି ଜମିଥିବା ବେଳେ ପ୍ରଭୁ କେଦାରେଶ୍ୱର ମଧ୍ୟ ସମ୍ପୂର୍ଣ୍ଣ ଜଳରେ ବୁଡ଼ି ରହିଥିଲେ। ବୋଇତାଳ ଓ ଶିଶିରେଶ୍ୱର ମନ୍ଦିର ବେଢ଼ାରେ ପାଣି ଜମିଥିଲା। ଶ୍ରୀଲିଙ୍ଗରାଜ ମନ୍ଦିରରେ ବାଇଶି ପାହାଚ, ମନ୍ଦିରର ନାଟ୍ୟ ମଣ୍ଡପ, ବାସୁଆବଳଦ ମନ୍ଦିର, ପାର୍ବତୀ ମନ୍ଦିରରେ ପାଣ ଗଳିଥିଲା। ଗ୍ୟାରେଜ୍‌ ଛକ ନିକଟ ଗୌରୀ ନଗରର ଗୌରୀ ଗାର୍ଡେନ୍‌ ଆପାଟ୍‌ର୍ମେଣ୍ଟ୍‌ର ୧୫୦ଟି ପରିବାର ପାଣି ଘେରରେ ରହିଥିଲେ। ଲୋକଙ୍କ ସୋଫା, ବେଡ୍‌, ଆସବାବ ପତ୍ର, ଗାଡ଼ି ମଟର ବୁଡ଼ି ଯାଇଥିଲା। ଦମକଳ ବାହିନୀ ମଟର ଲଗାଇ ପାଣି ନିଷ୍କାସନ କରିଥିଲା।

ଫସିଲେ ୩୦ ବସ୍‌ ଯାତ୍ରୀ

ଇସ୍କନ୍‌ ସମ୍ମୁଖରେ ଗୋଟିଏ ଯାତ୍ରୀବାହୀ ବସ୍‌ରେ ୩୦ଜଣ ଯାତ୍ରୀ ଯାଉଥିବାବେଳେ ଏହି ରାସ୍ତାରେ ଫସି ଯାଇଥିଲେ। ଗାଡ଼ିର ଇଞ୍ଜିନ୍‌ରେ ପାଣି ପଶିଯିବାରୁ ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା। ଯାତ୍ରୀମାନେ ଭୟରେ ଗାଡ଼ିରୁ ଓହ୍ଲାଇ ନଥିଲେ। ଏପଟେ ପାଣି ଗାଡ଼ି ଭିତରେ ବଢ଼ିବଢ଼ି ଚାଲିଥିଲା। କିଛି ସମୟ ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ରାସ୍ତାରେ ପାର୍କିଂ ହୋଇଥିବା କେତୋଟି ବାଇକ୍‌, ସ୍କୁଟି ଭାସି ଯାଇଥିଲା। ଜାତୀୟ ରାଜପଥରୁ ପାଣି ଆସି ନୂଆପଲ୍ଲୀ ବେହେରା ସାହି, ମଙ୍ଗଳାମନ୍ଦିର, ବନଦୁର୍ଗା ମନ୍ଦିର, ବାଲିତୋଟା ସାହି, ନୂଆସାହି, ମୁଣ୍ଡାସାହି ବସ୍ତି ଆଦି ଅଞ୍ଚଳରେ ପଶିଥିଲା।

ଭାସିଗଲେ ପିଲା, ବୁଡ଼ିଗଲା କାର୍‌

ଚନ୍ଦ୍ରଶେଖରପୁର : ଲଗାଣ ବର୍ଷା ଯୋଗୁ ନନ୍ଦନବିହାର ମୁଖ୍ୟ ରାସ୍ତା ପାର ହେଉଥିବା ବେଳେ ଦୁଇ ଜଣ ପିଲା ଭାସିଯାଇଥିଲେ। ୧୦୦ ମିଟର ପର୍ଯ୍ୟନ୍ତ ଭାସିଯିବା ପରେ ଦୁଇ ଜଣ ଯୁବକ ସେମାନଙ୍କୁ ଏକ ଡ୍ରେନ୍‌ରୁ ଉଦ୍ଧାର କରିଥିଲେ। ଉଭୟ ସାଇକୃପା ବସ୍ତିର ବୋଲି ଜଣାପଡ଼ିଛି। ସେହିପରି ଡମଣା ଅଞ୍ଚଳର ପଦ୍ମାବତୀ ବିହାର, ସରସ୍ୱତୀ ବିହାର, କନକ ଦୁର୍ଗା ନଗର, ଡମଣା ହାଟ ଓ ଡମଣା-ଗାଡ଼କଣ ମୁଖ୍ୟ ରାସ୍ତାରେ ୩ ଫୁଟରୁ ଅଧିକ ପାଣି ଚାଲିଥିଲା। ପଦ୍ମାବତୀ ବିହାର କଲୋନିରେ ଲୋକଙ୍କ କର୍‌ ଓ ବାଇକ୍‌ ବୁଡ଼ିଯାଇଥିଲା। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଝରଣାସାହି (ଖ)ରେ ବର୍ଷାପାଣି ପଶିଯିବା ଦ୍ୱାରା ପ୍ରାୟ ୧୦୦ ପରିବାର ହନ୍ତସନ୍ତ ହୋଇଛନ୍ତି। ଏହାବ୍ୟତୀତ ପଟିଆ ଶ୍ରୀବିହାର, କିଟ୍‌ ଛକ, ଇନ୍‌ଫୋସିଟି ରାସ୍ତା, ଗାଡ଼କଣ, ଧିରିକୁଟି ବସ୍ତି, ମହାବୀର ନଗର ବସ୍ତି, କନ୍ୟାଶ୍ରମ ବସ୍ତି, ଚନ୍ଦ୍ରଶେଖରପୁର ମୁଣ୍ଡା ବସ୍ତି, ରଙ୍ଗମାଟିଆ, ଭୋଟପଡ଼ା, ପଣ୍ଡାପାର୍କ ବସ୍ତି, ଗଣେଶ ବିହାର, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ପ୍ରେସ୍‌ ଛକ ବସ୍ତି, ବୈଦନାଥ ନଗର ଓ ରଙ୍ଗନାଥ ନଗରବାସିନ୍ଦା ବର୍ଷା ପାଣି ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ବୁଡ଼ିଲା ତଳି, ରୁଆ ଧାନ

ବାଲିପାଟଣା : ଲଗାଣ ବର୍ଷା ଯୋଗୁ ବାଲିପାଟଣାରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳ ସୁଦ୍ଧା ବାଲିପାଟଣାରେ ୧୪୫.୪ମିମି ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ବିଲରେ ତଳି ଓ ରୁଆ ଧାନ ପାଣିରେ ବୁଡ଼ି ରହିଛି। ୩ ଦିନ ଧରି ବୁଡ଼ିବା କାରଣରୁ ତଳି ନାଳୁଆ ହୋଇ ମୂଳ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ହେକ୍ଟର ହେକ୍ଟର ପରିବା ଚାଷ ବି ବୁଡ଼ି ରହିଛି। ବର୍ଷାରେ କେତେ ଚାଷ ନଷ୍ଟ ହୋଇଛି ତାର ରିପୋର୍ଟ ପ୍ରସ୍ତୁତ କରିବାକୁ କୃଷିବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବ୍ଲକ କୃଷି ଅଧିକାରୀ ବିଭୂଦତ୍ତ ସାହୁ କହିଛନ୍ତି। ସେହିପରି ରାଜସ ମେଡ଼ିକାଲ ଭିତରେ ଆଜି ବର୍ଷା ପାଣି ଜମିଥିଲା। ଏଠାରେ ରୋଗୀସେବା ଘୋର ବାଧାପ୍ରାପ୍ତ ହୋଇଥିଲା। ଏତଦ୍‌ବ୍ୟତୀତ ବ୍ଲକର ବଡ଼ପଡ଼ାରୁ ମଠସାହି ମୁଖ୍ୟରାସ୍ତାରେ ପ୍ରାୟ ୧୦ଫୁଟର ଘାଇ ହୋଇଛି। ଫଳରେ ବଡ଼ପଡ଼ା, ବିତିଲୋ, ବାରହଳ, ବଦଳାପଡ଼ା, କାଜିପୁର, କଳାବୁଣା, ରଅଡ଼ଦେଉଳି ଆଦି ବହୁ ଗାଁ ରାଜସ ମଠସାହିଠାରୁ ବିଚ୍ଛିନ୍ନ ହୋଇଯାଇଛି। ସ୍ଥାନୀୟ ମଝିହରା ଓ ଗାରେଡ଼ିପାଞ୍ଚଣ ସେବା ସମବାୟ ସମିତି କାର୍ଯ୍ୟାଳୟ ଭିତରେ ବର୍ଷାପାଣି ପଶିଯାଇଛି। ଫଳରେ ବହୁ ମୂଲ୍ୟବାନ କାଗଜପତ୍ର ନଷ୍ଟ ହୋଇଛି।

ପାଠପଢ଼ା ବାଧାପ୍ରାପ୍ତ

ବର୍ଷା ଯୋଗୁଁ ରାଜଧାନୀରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ବ୍ୟାହତ ହୋଇଛି। ସ୍କୁଲଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ, ସବୁଠି ଛାତ୍ରଛାତ୍ରୀଙ୍କ ମରୁଡ଼ି ହୋଇଥିଲା। ଅନ୍ୟ ଦିନଗୁଡ଼ିକ ତୁଳନାରେ ଆଜି ପିଲାଙ୍କ ଉପସ୍ଥାନ ନୈରାଶ୍ୟଜନକ ଥିଲା। ମଧ୍ୟାହ୍ନଭୋଜନ ପରେ ଛୁଟି ହୋଇଯାଇଥିଲା। ସହର ଉପକଣ୍ଠରେ ଥିବା କେତେକ ବିଦ୍ୟାଳୟ କ୍ୟାମ୍ପସରେ ପାଣି ଜମି ରହିଥିବାରୁ ପିଲାମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କଲେଜ ଓ ବିଶ୍ୱବିଦ୍ୟାଳୟରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଉପସ୍ଥାନ କମ୍‌ ରହିଥିଲା। ଅଳ୍ପ କିଛି ଛାତ୍ରଛାତ୍ରୀଙ୍କୁ ନେଇ କଲେଜଗୁଡ଼ିକ ଆଜିଠୁ କ୍ଲାସ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର