‘ତିତ୍‌ଲି’ ଭୟ, ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତିତ୍‌ଲି’ ଗୁରୁବାର ସକାଳ ସୁଦ୍ଧା ଓଡ଼ିଶା ଉପକୂଳକୁ ଛୁଇଁବ। କିନ୍ତୁ ଏହା ପ୍ରଭାବରେ ରାଜଧାନୀରେ ବୁଧବାର ସକାଳୁ ବର୍ଷା ଆରମ୍ଭ ହୋଇଯିବ। ଦିନବେଳା ବର୍ଷା ସହ ପବନ ଘଣ୍ଟାପ୍ରତି ୪୦ରୁ ୫୦କିମି ବେଗରେ ବହିବ। ରାତିରେ ଏହା ୮୦ରୁ ୯୦ କିମି ଛୁଇଁବ। ଭୋର୍ ବେଳକୁ ପବନ ଘଣ୍ଟା ପ୍ରତି ୧୨୫ କିମି ବେଗରେ ବହିବ। ପାଣିପାଗ ବିଭାଗ ଏପରି ପୂର୍ବାନୁମାନ କରିବା ପରେ ରାଜଧାନୀବାସୀଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଯଦିଓ ୧୯୯୯ ମହାବାତ୍ୟା ଓ ୨୦୧୩ ଫାଇଲିନ୍‌ ଭଳି ଏହା ପ୍ରଳୟଙ୍କରୀ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନିି କିନ୍ତୁ ରାଜଧାନୀବାସୀ ବାତ୍ୟା ‘ତିତ୍‌ଲି’କୁ ନେଇ ଭୟଭୀତ ହୋଇଯାଇଛନ୍ତି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଥିବା ବେଳେ ରାଜଧାନୀବାସୀ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସହ ଦୁଇରୁ ତିନି ଦିନ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। କେତେକ ସ୍ଥାନରେ ଆବଶ୍ୟକସ୍ଥଳେ ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ସହର ମଧୢରେ ଯେପରି ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବ ସେଥିପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ବାତ୍ୟା ‘ତିତ୍‌ଲି’ର ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ସେଣ୍ଟ୍ରାଲ କ‌େଣ୍ଟ୍ରାଲ ରୁମ୍ ଖୋଲାଯାଇଛି। ଏଥିରେ ଅଗ୍ନିଶମ ବିଭାଗ, ବିଡିଏ, ବିଏମ୍‌ସି, ଜନସ୍ବାସ୍ଥ୍ୟ, ପୂର୍ତ୍ତ, ସେସୁ ଓ ପ୍ରାଚୀ ଡିଭିଜନ୍‌ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏହି ଅଧିକାରୀମାନେ ତିନିଟି ସିଫ୍ଟରେ କାର୍ଯ୍ୟ କରିବେ। କଣ୍ଟ୍ରୋଲ ରୁମ୍‌କୁ ଆସିବାକୁ ଥିବା ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ରାଜଧାନୀବାସୀ ବର୍ଷା କି ବାତ୍ୟା ଜନିତ କୌଣସି ସମସ୍ୟାରେ ପଡ଼ିଲେ ତୁରନ୍ତ ୧୮୦୦୩୪୫୦୦୬୧ ଏବ˚ ୦୬୭୪-୨୪୩୨୨୮୧ ନମ୍ବରରେ କଲ୍‌ କରିବାକୁ କୁହାଯାଇଛି। ବିଏମ୍‌ସିର ୧୩ ଟି ସବ୍‌ଜୋନ୍‌ର ନୋଡାଲ ଅଧିକାରୀ ଏବ˚ ତାଙ୍କର ଟିମ୍‌, ୪୦ ଜଣ ଇ˚ଜିନିୟରଙ୍କୁ ସଜାଗ ରହିବାକୁ କୁହାଯାଇଛି। ବିଏମ୍‌ସିର ଉତ୍ତର ଜୋନ୍‌ରେ ୪ଜଣ ସେକ୍ଟର ଅଧିକାରୀ, ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୪ ଏବଂ ଦକ୍ଷିଣ ପୂର୍ବ ଜୋନ୍‌ରେ ୫ଜଣ ସେକ୍ଟର ଅଧିକାରୀ ରହିବାକୁ କୁହାଯାଇଛି। ସମ୍ବେଦନଶୀଳ ଥିବା ୨୭ଟି ୱାର୍ଡର ବିଭିନ୍ନ ସ୍ଥାନରେ ଆଗୁଆ ପାଣି ପମ୍ପ ରଖିବାକୁ ନିଷ୍ପତ୍ତି ହୋ‌ଇଛି। ଆଜି ରାତିରେ ମଲ୍ଲିକ କମ୍ପ୍ଲେକ୍ସ, ପାଇକ ନଗର, ଗାୟତ୍ରୀ ନଗର, ସ୍ଲାବ ଇଣ୍ଡଷ୍ଟ୍ରି, ପାହାଳ ଭୋଇ ସାହି, ହଂସପାଳ, ଅଢ଼େଇ ଖାଲରେ ପାଣି ପମ୍ପ ମୁତୟନ କରାଯାଇଛି। ଅକ୍ଟୋବର ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ସମସ୍ତ ବିଏମ୍‌ସି କର୍ମଚାରୀଙ୍କୁ ଛୁଟି ନନେବାକୁ ନିର୍ଦ୍ଦେଶ ଦିଆଯାଇଛି। କେହି ବି ମୁଖ୍ୟାଳୟ ଛାଡ଼ି ବାହାରକୁ ଯିବେନି। ବର୍ଷା ସମୟରେ ରାଜଧାନୀର କୌଣସି ସ୍ଥାନରେ ଯେପରି ପାଣି ନଜମିବ ସେଥିପାଇଁ ୫୨ଟି ପାଣି ପମ୍ପ୍‌ ନିୟୋଜିତ କରିବା ସହ ୧୫ଟି ଜେସିବି, ପ୍ରୋକ୍ଲେନ୍‌ ମେସିନ୍‌ ନିୟୋଜିତ ହେବ। ତିନିଟି ସଫେଇ ସ˚ସ୍ଥାର ମୋଟ୍‌ ୨୭୦୦ ସଫେଇ କର୍ମଚାରୀ ଏଥିରେ ସାମିଲ୍‌ ହେବାକୁ କୁହାଯାଇଛି। ସବ୍‌ଜୋନ୍‌ ଗୁଡ଼ିକରେ ନୋଡାଲ ଅଧିକାରୀମାନେ ତୁରନ୍ତ ଆବଶ୍ୟକୀୟ ନିଷ୍ପତ୍ତି ନେବାକୁ ଥିବାବେଳେ ତାଙ୍କୁ ସହଯୋଗ କରିବା ପାଇଁ ୪ରୁ ୫ଜଣ କର୍ମଚାରୀ ରହିବେ। ଵାର୍ଡ ଅଫିସର ଓ କମ୍ୟୁନିଟି ଅର୍ଗାନାଇଜର‌୍‌ମାନେ ସେମାନଙ୍କ ଵାର୍ଡ ଛାଡ଼ି ନଯିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

‘ତିତ୍‌ଲି’ ତୁ ଆସେନା,ପୂଜା ଅନୁଷ୍ଠାନ ଛାନିଆ

ଭୁବନେଶ୍ବର: ତୋରଣରେ ବାଜିମାତ କରିବାକୁ ଲକ୍ଷଲକ୍ଷ ଟଙ୍କା ପାଣି ଭଳି ଖର୍ଚ କରି ସାରିଲେଣି। ସହରରେ ପରସ୍ପରକୁ ଟକ୍କର ଦେବାକୁ ବିଶାଳ ତୋରଣ ଛିଡ଼ା ହୋଇସାରିଲାଣି। ମାତ୍ର ‘ତିତ୍‌ଲି’ ସବୁ ଉତ୍ସାହକୁ ଫିକା କରି ଦେଇଛି। ବାତ୍ୟା ଓଡ଼ିଶାର ଯେତେ ନିକଟତର ହେଉଛି, ପୂଜା ମଣ୍ଡପର କର୍ମକର୍ତାଙ୍କ ଛାତିର ଧକ୍‌ଧକ୍‌ ସେତେ ତୀବ୍ର ହେଉଛି। କିଛି ପୂଜା ମଣ୍ଡପ ତିତ୍‌ଲିକୁ ଯେମିତି ନଆସିବା ପାଇଁ ରାଣ ଖାଇଲେଣି। ସହର ଓ ଉପକଣ୍ଠରେ ୧୭୬ ପୂଜା ମଣ୍ଡପ ସଜେଇ ହେଉଛି। ସହରରେ ପୂଜା ବଜେଟ୍‌ ଏଥର ୩୦ କୋଟି ଛୁଇଁଛି। ସେଥିମଧ୍ୟରୁ ସିଂହଭାଗ ଖର୍ଚ ତୋରଣ ଓ ଆଲୋକ ତୋରଣ ସଜାରେ ଖର୍ଚ କରାଯାଉଛି। ବଡ଼ ପୂଜା ମଣ୍ଡପଗୁଡ଼ିକ ୧୨ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କେବଳ ତୋରଣରେ ଖର୍ଚ କରୁଛନ୍ତି। ତୋରଣ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଛୋଟ ପୂଜା ମଣ୍ଡପ ମଧ୍ୟ ତୋରଣ ଓ ଆଲୁଅ ଖଞ୍ଜି ସାରିଲେଣି। କିନ୍ତୁ ତିତ୍‌ଲିର ପ୍ରକୋପ କଥା ଶୁଣି ହଂସା ଉଡ଼ିଗଲାଣି। କେତେକ ସ୍ଥାନରେ ତୋରଣ ନିର୍ମାଣ ଯେତିକି ହୋଇଛି ସେତିକିରେ ଅଟକାଇ ଦେଇଛନ୍ତି ପୂଜା ଅନୁଷ୍ଠାନ। ଆଉ କିଛି ସ୍ଥାନରେ ଡରିମରି କାମ ଜାରି ରଖିଛନ୍ତି। କାମ ସୋମବାର ପୂର୍ବରୁ ଯେମିତି ସରିବ ସେନେଇ ଶେଷ ସ୍ପର୍ଶ ବାକି ଥିବାରୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସବୁ‌ ଯେମିତି ମା’ଙ୍କ ଉପରେ ଛାଡ଼ି ଦେଇଛନ୍ତି। ମା’ଙ୍କ ପାଖରେ କିଛି ପୂଜା ମଣ୍ଡପ ପକ୍ଷରୁ ଦୀପ ଜଳା ହେଲାଣି। ପୂଜା ମଣ୍ଡପ ଯେମିତି କ୍ଷତିଗ୍ରସ୍ତ ହେବାରୁ ବର୍ତି ପାରିବ ସେନେଇ ଯେତିକି ତୋରଣ ନିର୍ମାଣ ସରିଛି ତାକୁ ଢେରା ଦେଇ ବାନ୍ଧି ରଖି ବାତ୍ୟା ଦାଉରୁ ବଞ୍ଚାଇବାକୁ କସରତ ଆରମ୍ଭ ହୋଇଯାଇଛି। କିଛି ପୂଜା ମଣ୍ଡପ ତୋରଣ ପାଇଁ ହଠାତ ବୀମା କରିବାକୁ ମନସ୍ଥ କରୁଥିଲେ ହେଁ ଘରୋଇ ବୀମା କମ୍ପାନିର ଦର ଶୁଣି ମନ ମରିଯାଉଛି। ଭୁବନେଶ୍ବରରେ ତିତ୍‌ଲିର ପ୍ରଭାବ କେତେ ପ୍ରଭାବିତ କରିବ ତାହା ଏବେଠୁ ଆକଳନ କରିବା ସମ୍ଭବ ନୁହେଁ। ତଥାପି ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ପ୍ରାୟତଃ ଥିବାରୁ ଏହାର ପ୍ରଭାବ ତୋରଣ ଉପରେ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଅଧିକାଂଶ ପୂଜା ମଣ୍ଡପ ତୋରଣରେ ବାଉଁଶ ଉପରେ ପ୍ଲାଏ, ସୋଲ, କାଉଁରିଆ, ସନ୍‌ମାଇକାର ବ୍ୟବହାର ହୋଇଛି। ତେଣୁ ବାତ୍ୟା ଦାଉରେ ଯଦି ପବନ ଜୋର୍‌ ହୁଏ ସିଧାସଳଖ ତା ଉପରେ ମାଡ଼ ହୋଇ କ୍ଷତିଗ୍ରସ୍ତ କରିବାର ସମ୍ଭାବନା ରହିଛି। ପାଣିପାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପାଖାପାଖି ୭୦ କିଲୋମିଟର ବେଗରେ ପବନ ବହିପାରେ। ଏହାର ଦାଉରେ ଗଛ, ବିଦ୍ୟୁତ ଖୁଣ୍ଟି ଉପୁଡ଼ିପାରେ। ତେଣୁ ଏଥିପ୍ରତି ପୂଜା ମଣ୍ଡପ ସଜାଗ ରହିବା ଆବଶ୍ୟକ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

୮୦ କିମିରୁ ଅଧିକ ପବନ ବହିଲେ ଲାଇନ୍ କଟିବ
ବାତ୍ୟା ପ୍ରଭାବରେ ରାଜଧାନୀରେ ଯଦି କେବଳ ବର୍ଷା ହୁଏ ତେବେ ବିଦ୍ୟୁତ ସରବରାହ ବ୍ୟାହତ ହେବନି। ୪୦ରୁ ୫୦କିମି ପର୍ଯ୍ୟନ୍ତ ବର୍ଷା ହେଲେ ବି ବିଦ୍ୟୁତ ସଂଯୋଗ କଟାଯିବନି। ଘଣ୍ଟା ପ୍ରତି ୮୦କିମିରୁ ଅଧିକ ପବନ ବହିଲେ ହିଁ ଲାଇନ୍ କଟାଯିବ। ଏଥିପାଇଁ ପ୍ରତ୍ୟେକ ଗ୍ରିଡ୍‌କୁ ଜଣାଇ ଦିଆଯାଇଛି। ଡିଭିଜନ ସ୍ତରରେ କୌଣସି ସମସ୍ୟା ଥିଲେ ତୁରନ୍ତ ସମାଧାନ କରାଯିବ। ଯଦି କୌଣସି ସ୍ଥାନରେ ତାର ଛିଣ୍ଡିଯାଏ କି ଗଛ ପଡ଼ିଯାଏ ସେଠାରେ ତୁରନ୍ତ ମରାମତି କାର୍ଯ୍ୟ ସାରିବାକୁ ଅଧିକ କର୍ମଚାରୀଙ୍କୁ ମୁତୟନ କରାଯିବ ବୋଲି ସେସୁର ଅଧୀକ୍ଷଣ ଯନ୍ତ୍ରୀ ଜେ.କେ ମିଶ୍ର କହିଛନ୍ତି। ଟ୍ୟାଙ୍କରରେ ପାଣି ଦିଆଯିବ ରାଜଧାନୀବାସୀଙ୍କୁ ଯେପରି ବିଶୁଦ୍ଧ ପାଣି ଯୋଗାଣ ହୋଇପାରିବ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଭୁବନେଶ୍ବରରେ ଥିବା ତିନିଟି ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ବିଶୋଧନାଗାର ଏବଂ ଓଭରହେଡ୍ ଓ ୟୁଜିଆର୍ ଥିବା ସ୍ଥାନରେ ଜେନେରେଟର ରଖିବାକୁ କୁହାଯାଇଛି। ବିଦ୍ୟୁତ ସଂଯୋଗ କଟିଲେ ବି ପାଣି ଯୋଗାଣ ଯେପରି ବ୍ୟାହତ ନହେବ ସେଥିପାଇଁ ଧ୍ୟାନ ଦିଆଯାଉଛି। ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇବାକୁ ଆବଶ୍ୟକୀୟ ଟ୍ୟାଙ୍କର ମହଜୁଦ୍ ରଖାଯାଇଛି ବୋଲି ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତରଂଜନ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର