ଲଗାଣ ବର୍ଷାରେ ଭୁଶୁଡ଼ିଲା ୨୦ ଘର

ବାଲିଅନ୍ତା : ୨ ଦିନ ଧରି ଲଗି ରହିଥିବା ବର୍ଷାରେ ବାଲିଅନ୍ତା ବ୍ଲକର ବିଶେଷ କରି ଜୟଦେବ ପଞ୍ଚାୟତରେ ଅନେକ କଚାଘର କାନ୍ଥ ଭାଙ୍ଗି ଯାଇଛି। ଏଥିସହିତ ଘରର ଆଜବେଷ୍ଟସ୍‌ ଚଦର ଓ ଛଣ ଛପର ଉଡ଼ିଯାଇଛି। ସାହେବନଗର, ମହୁଖଣ୍ଡା ଓ କେନ୍ଦୁବିଲ୍ଵ ଗ୍ରାମରେ ୨୦ଟି ଗରିବ ପରିବାର ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ସଂପର୍କରେ ସ୍ଥାନୀୟ ଜୟଦେବ ପଞ୍ଚାୟତ ସରପଞ୍ଚ ପ୍ରଜ୍ଞାପରମିତା ଜେନାମଣିଙ୍କ ନିକଟରେ ଅଭିଯୋଗ ହୋଇଥିବା ନେଇ ସେ ଜଣାଇଛନ୍ତି। ଏଥିସହିତ ବିଲରେ ଘନଘନ ବଜ୍ରପାତ ହେବା ଫଳରେ ବ୍ଲକ ଅଞ୍ଚଳରେ ଧୋଡ଼ମୁଖା ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଜଣାପଡ଼ିଛି। ରଣପୁର ଗ୍ରାମର ସନାତନ ବିଶ୍ୱାଳ, ସୁଶାନ୍ତ ରାଉତ , ବିନୋଦ ପରିଡ଼ା ଓ ବ୍ରଜବନ୍ଧୁ ପ୍ରଧାନଙ୍କର ପାଖାପାଖି ୧୦ ଗୁଣ୍ଠ ପରିମିତ ଧାନଫସଲ ଜଳିଯାଇଥିବା ଜଣାପଡ଼ିଛି। ଏଥିସହିତ ଲଗାତାର ବର୍ଷା ସାଙ୍ଗକୁ ପବନ ହେବା ଫଳରେ ବାଲିଅନ୍ତା ବ୍ଲକରେ ୨୫୦ ହେକ୍ଟର ଥୋଡ଼ଧାନ କେଣ୍ଡାର ସାମୁକାରେ ପାଣିପଶି କ୍ଷୀର ନଷ୍ଟ ହୋଇଯାଇଥିବା ସଂକ୍ରାନ୍ତରେ ଶତାଧିକ ଚାଷୀ ପରିବାର ବ୍ଲକ କୃଷି କାର୍ଯାଳୟରେ ଅଭିଯୋଗ କରିଛନ୍ତି। ଏଥିସହିତ ବିଭିନ୍ନ ପଞ୍ଚାୟରେ ପନିପରିବା ଫସଲ ଓ ଘର ଭାଙ୍ଗି ଯାଇଥିବାର ସୂଚନା ମିଳିଛି । ତୁରନ୍ତ ଏହାର ତଦନ୍ତ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଦିଗରେ ଉପରୋକ୍ତ ଦୁଇ ବିଭାଗର କର୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

ସମ୍ବନ୍ଧିତ ଖବର