ଫ୍ଲାଏ ଓଭରରେ ହେଲ୍‌ମେଟ୍‌ ବାଧ୍ୟତାମୂଳକ: ଜିଲ୍ଲାପାଳ

ଭୁବନେଶ୍ୱର : ରାଜଧାନୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଘାତକ ସାଜିଛି। ଗତ ମାସରେ ୭ ଦିନରେ ୮ଟି ମୁଣ୍ଡ ଗଡ଼ିବା ପରେ ପୁଲିସ ଏହି ରାସ୍ତାରେ ୫ଟି ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ମାନସ ମନ୍ଥନ କରିଛି। ସ୍ଥାନୀୟ ସର୍କିଟ ହାଉସ୍‌ରେ ବସିଥିବା ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଏହାକୁ ନେଇ ଏକ ନିଷ୍ପତ୍ତି ନିଆଯାଇଛି। ରସୁଲଗଡ଼ଠାରୁ ଖଣ୍ଡଗିରି ପର୍ଯ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦୁଇଚକିଆ ଯାନ ଚାଳକ ହେଲ୍‌ମେଟ୍‌ ପିନ୍ଧିବା‌ ବାଧ୍ୟତାମୂଳକ କରାଯାଇଛି। ଏ ନେଇ ଡିସିପି ଓ ଉଭୟ ଆରଟିଓଙ୍କୁ ଚିଠି କରାଯାଇଛି। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯିବ। ଏହି ରାସ୍ତାରେ ଯାଞ୍ଚ କରିବା ପାଇଁ ଅଧିକାରୀମାନେ ଜଗି ରହିବେ। କୌଣସି ଜଣେ ହେଲେ ଚାଳକକୁ ଛଡ଼ା ଯିବ ନାହିଁ। ବାରମ୍ବାର ଉଲ୍ଲଂଘନ କରୁଥିବା ଚାଳକର ଲାଇସେନ୍ସ ରଦ୍ଦ କରାଯିବ। ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଭୁପନ୍ଦ୍ରେ ସିଂହ ପୁନିଆ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

ତେବେ ଭୁବନେଶ୍ବରର ସମସ୍ତ ଜାଗାରେ ହେଲ୍‌ମେଟ୍‌ ବ୍ୟବହାର କଡ଼ା କଡ଼ି କରାଯାଇଛି। ଅନ୍ୟପଟେ ବୃଦ୍ଧି ପାଉଥିବା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଏହି ବ୍ୟବସ୍ଥାରେ ଯେ କମିଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଚିହ୍ନିତ ବ୍ଲାକ୍‌ସ୍ପଟ୍‌ରେ ଷ୍ଟପ୍‌ବୋର୍ଡ କିମ୍ବା ବ୍ୟାରିକେଡ୍‌ କରାଯାଇ ଦ୍ରୁତଗତିରେ ଚଳାଉଥିବା ଚାଳକଙ୍କ ଗତି ଉପରେ ରୋକ୍‌ ଲଗାଯିବା ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା। ବ୍ଲାକ୍‌ସ୍ପଟ୍‌ ଠାରୁ ଅନେକ ଦୂରରୁ ଚାଳକଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବାକୁ ମଧ୍ୟ କୁହାଯାଇଥିଲା। ଏ ସବୁ କମିସନରେଟ୍‌ ପୁଲିସର ଯୋଜନାରେ ସୀମିତ ଥିବା ବେଳେ ଜିଲ୍ଲାପାଳଙ୍କର ଏହି ଘୋଷଣା କେତେଦୂର କାମ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର