ଭୁବନେଶ୍ୱର: ତଣ୍ଟିଯାଏଁ ପାଣି ଭର୍ତି ହୋଇଯାଇଥିଲା। ଥଣ୍ଡାରେ ଶରୀର ଥରୁଥିଲା। ଆଉ ମାତ୍ର ୨୦ ମିନିଟ୍ ଡେରି ହୋଇଥିଲେ ସବୁ ସରିଯାଇଥା’ନ୍ତା। ମାତ୍ର ବନ୍ୟାପାଣିର ସ୍ରୋତ ଏବଂ ଉଦ୍ଧାର ହେବା ପର୍ଯ୍ୟନ୍ତ ମହିଳାଙ୍କ ହାତରେ ଥିବା ସ୍ପଞ୍ଜ ଚପଲ ତାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଥିଲା। ସୋମବାର କୁଆଖାଇକୁ ଡେଇଁ ୭କିଲୋମିଟର୍ ଯାଏ ପାଣିରେ ଭାସିଯିବା ପରେ ସୁମିତ୍ରା ଦାସ ନୂଆ ଜୀବନ ପାଇବା ପରେ ସଭିଏଁ ପ୍ରଭୁଙ୍କ ଦ୍ୱାହି ଦେଇଛନ୍ତି। ମାତ୍ର ମରଣ ମୁହଁରୁ ସୁମିତ୍ରାଙ୍କୁ ଟାଣି ଆଣିଥିବା ଅଗ୍ନିଶମ ବାହିନୀର ୧୩ ଜଣିଆ ଟିମ୍ ଯେ ତାଙ୍କ ପାଇଁ ଦେବଦୂତଙ୍କଠୁ କମ୍ ନଥିଲେ ତାହା କାଲିର ଘଟଣାରୁ ପ୍ରମାଣିତ ହୋଇଛି। ନଦୀରେ ବନ୍ୟାର ପ୍ରଖର ଜଳସ୍ରୋତ। ଏ ସମୟରେ ପାଣିକୁ ଗୋଡ଼ ବଢ଼େଇବା ବି ମନା। ମାତ୍ର ଏଥିକୁ ଖାତିର ନକରି ନଦୀକୁ ଡେଇଁଥିଲା ଅଗ୍ନିଶମ ବିଭାଗ। ଘଟଣାସ୍ଥଳରେ ପହଞ୍ଚିବା ପରେ ସମସ୍ତଙ୍କୁ ସାହସ ଦେଇ ଡିଏଫ୍ଓ ରମେଶ ଚନ୍ଦ୍ର ମାଝୀ କହୁଥିଲେ, ସେ ମହିଳା ଆମ ପରିବାରର ସଦସ୍ୟ। କୌଣସି ମତେ ତାଙ୍କୁ ଆମେ ବଞ୍ଚାଇବା। ବ୍ରିଜ୍ ନିକଟରେ ଉକ୍ତ ମହିଳାଙ୍କ ପରିବାର ସଦସ୍ୟ ପହଞ୍ଚି ଭୋ ଭୋ ହୋଇ କାନ୍ଦୁଥିଲେ। ଏଏଫ୍ଓ ସରୋଜ କୁମାର ବେହେରାଙ୍କ କହିବା ଅନୁଯାୟୀ ପ୍ରଥମେ ଆମେ ନିଜକୁ ଦୃଢ଼ କଲୁ। ପାଣିରେ କିଛି ସମୟ ଖୋଜାଖୋଜି ପରେ ପାଇଲୁନି। ତେଣୁ ପାଣିର ସ୍ରୋତ ବହି ଚାଲିଥିବା ଦିଗକୁ ଆଗେଇଥିଲୁ। ବ୍ରିଜ୍ରେ ରୁଣ୍ଡ ହୋଇଥିବା ଲୋକ କିନ୍ତୁ ପାଖାପାଖି ଜାଗାରେ ଖୋଜିବାକୁ କହୁଥାନ୍ତି। ଆମେ କିନ୍ତୁ ଲୋକଙ୍କ କଥାରେ ଭାସି ନଯାଇ ସ୍ରୋତ ଦିଗରେ ଆଗେଇଥିଲୁ। ଏନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ ଗୁରୁତ୍ୱ ନଦେଇ ଲାଇଫ୍ ବୋଟ୍ରେ ମହିଳାଙ୍କୁ ଖୋଜିଥିଲୁ। ଶେଷରେ ଟଙ୍କପାଣି ରୋଡ୍ସ୍ଥିତ ବ୍ରିଜ୍ ନିକଟରେ ମହିଳାଙ୍କୁ ଠାବ କରିପାରିଥିଲୁ। ଅଗ୍ନିଶମ ବାହିନୀର ୨ଘଣ୍ଟାର ନିରନ୍ତର ପ୍ରଚେଷ୍ଟା ଯୋଗୁଁ ଏକ ମୂଲ୍ୟବାନ ଜୀବନ ବଞ୍ଚିଗଲା। ଲାଇଫ୍ ବୋଟ୍ ବନ୍ୟାଜଳ ତଳେ ଥିବା ଗଛରେ ବାଜି ଫାଟିଯିବାର ସମ୍ଭାବନା ଥିଲା। ନଦୀ ସ୍ରୋତ ବି ଚାଲିଥିଲା। ମାତ୍ର ଯେବେ ଆମେ ମହିଳାଙ୍କୁ କିଛି ଦୂରରେ ଦେଖିଲୁ ବିନା ଲାଇଫ୍୍ ଜ୍ୟାକେଟ୍ରେ ଡେଇଁ ପଡ଼ିଥିଲୁ ବୋଲି କହିଛନ୍ତି ଅଗ୍ନିଶମ ସୁରକ୍ଷା ବଳ ସଦସ୍ୟ ଶରତ କୁମାର ଖଣ୍ଡା। ବନ୍ୟା ପରିସ୍ଥିତି ଯୋଗୁଁ ଅଗ୍ନିଶମ ସୁରକ୍ଷା ବଳର ସଦସ୍ୟମାନେ ୨ ଦିନ ଧରି ଅନିଦ୍ରା ଥିଲେ ମଧ୍ୟ ମହିଳାଙ୍କୁ ଉଦ୍ଧାର କରିବା ନେଇ ଅସୀମ ସାହସର ଉଦାହରଣ ସୃଷ୍ଟି କରିଥିଲେ।