ନିରାଶ୍ରିତ ରୋଗୀଙ୍କୁ ଭଗବାନ ଭରସା

ରାତି ୧୦ ପରେ ସ୍ଥିତି ବିଗିଡ଼ିଯାଏ

ଭୁବନେଶ୍ବର : ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପାଟିରୁ କଥା ବାହାରୁ ନ ଥିଲ‌ା ଆଖିରୁ ନିଗିଡ଼ି ଆସୁଥିଲା ଲୁହ। ତାଙ୍କ ପାଖେ କେହି ଠିଆ ହେବା କ୍ଷଣି ଯନ୍ତ୍ରଣା ଉପଶମ ପାଇଁ ଯେମିତି ନେହୁରା ହେଉଥିଲେ। ମାତ୍ର ଶୁଣିବା ପାଇଁ ଡାକ୍ତର ନ ଥିଲେ କି କୌଣସି ସେବିକା। ଶେଷରେ ଯନ୍ତ୍ରଣାରେ ଛଟପଟ ‌ହୋଇ ତାଙ୍କ ଜୀବନ ଚାଲିଗଲା। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ନିରାଶ୍ରିତ ରୋଗୀଙ୍କ ଏଭଳି ହୃଦୟ ବିଦାରକ ଦୃଶ୍ୟ ଯେ କୌଣସି ବ୍ୟକ୍ତିର ମନକୁ ନିଶ୍ଚୟ ଦୋହଲାଇ ‌‌ଦେବ।

ନିରାଶ୍ରିତ ୱାର୍ଡରେ ଚିକିତ୍ସ‌ାଧୀନ ଗଂଜାମର ପୂର୍ଣ୍ଣ ନାୟକଙ୍କର ଆବଶ୍ୟକ ଚିକିତ୍ସା ଅଭାବରୁ ଜୀବନ ଚାଲିଗଲା। ତେବେ ଖାଲି ପୂର୍ଣ୍ଣ ନୁହନ୍ତି, ଉପଯୁକ୍ତ ଡାକ୍ତର ପରାମର୍ଶ ଓ ଆବଶ୍ୟକ ମେଡିସିନ୍‌ ଅଭାବରୁ ଅନେକ ନିରାଶ୍ରିତଙ୍କର ଜୀବନ ଏହି ୱାର୍ଡରେ ଚାଲି ଯାଉଥିଲେ ହେଁ ସରକାର ଚେତୁ ନାହାନ୍ତି।

ନିରାଶ୍ରିତ ରୋଗୀଙ୍କୁ ବଞ୍ଚିବାର ରାହା ଦେଖାଇବା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରହିଛି ଏହି ସ୍ବତନ୍ତ୍ର ନିରାଶ୍ରିତ ୱାର୍ଡ। ରୋଗ ବେଳେ ଆହା ପଦେ କହିବାକୁ କେହି ନ ଥିବାରୁ କେତେ ଆଶା ନେଇ ରୋଗୀମାନେ ଏଠିକୁ ଧାଇଁ ଆସନ୍ତି ଅବା ସେମାନଙ୍କୁ କେହି ସ୍ବେଚ୍ଛାସେବୀ ଆଣି ଏଇ ୱାର୍ଡରେ ଭର୍ତି କରିଦେଇ ଯାଆନ୍ତି। ମାତ୍ର ଦୁର୍ଭାଗ୍ୟ ଯେ ନିରାଶ୍ରିତ ବୋଲି ଡାକ୍ତର ଏହି ୱାର୍ଡକୁ ତାଙ୍କ ଇଚ୍ଛାରେ ଆସନ୍ତି। ମେଡିସିନ୍‌ ପ୍ରେସ୍‌କ୍ରିପ୍‌ସନ ସିନା ଧରେଇ ଦିଆଯାଏ, କିନ୍ତୁ ଯଦି ରୋଗୀର ଅଣ୍ଟାରେ ବଳ ନ ଥାଏ ତେବେ ଆଣିଦେବାକୁ କେତେ କାହାକୁ‌ ଖୋସାମତ କରିବାକୁ ପଡ଼େ। ଇଂଜେକ୍ସନ୍‌ ମନ ଇଚ୍ଛା ଅର୍ଥାତ୍‌ ଅନିୟମିତ ଭାବେ ଦିଆଯାଏ। ସାଲାଇନ୍‌ ଯଦି ସରିଯାଏ, ତାକୁ ଖୋଲିବାକୁ ବି ଆଉ ସେବିକା ଦିଦିଙ୍କ ମନେ ନ ଥାଏ। ଏକଥା ଆମେ କହୁ ନାହୁଁ, ସମ୍ପୃକ୍ତ ୱାର୍ଡରେ ରହୁଥିବା ରୋଗୀମାନେ ହିଁ ଏପରି ବୟାନ ଦେଇଛନ୍ତି। ମାତ୍ର ୱାର୍ଡରେ ଥିବା ବେଳେ କାଳେ ତାଙ୍କ ପ୍ରତି କେହି ରାଗ ବା ଆକ୍ରୋଶ ମନୋଭବ ରଖିବେ, ସେ ଭୟରେ ସେମାନେ ‌ଖୋଲାଖୋଲି କିଛି କହି ପାରୁ ନାହାନ୍ତି କି କାହା ଆଗେ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଏ ଅବସ୍ଥା କିନ୍ତୁ ଏବେର ନୁହେଁ ବରଂ ଦୀର୍ଘଦିନର।

ରାତି ହେଲେ ଚିନ୍ତା ମାଡ଼ି ବସେ
ଏଠାକୁ ଆସୁଥିବା ଅଧିକାଂଶ ବ୍ୟକ୍ତି ନିତ୍ୟକ୍ରମ ବା ପାଇଖାନା ପର୍ଯ୍ୟନ୍ତ ଯିବା ବେଳେ ବେଳେ ସମ୍ଭବ ହୁଏ ନାହିଁ। ତେଣୁ ସେମାନଙ୍କ ସେବା ଶୁଶ୍ରୂଷା ପାଇଁ ଆଟେଣ୍ଡାଣ୍ଟ୍‌ଙ୍କ ଆବଶ୍ୟକତା ପଡ଼େ। ଦିନ ବେଳା ଏଥିପାଇଁ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସ୍ବେଚ୍ଛାକୃତ ଭାବେ ସେବା ଯୋଗାଇ ଦିଆଯାଏ। ମାତ୍ର ରାତି ୧୦ଟା ପରେ ଚିନ୍ତା ମାଡ଼ି ଆସେ। ୱାର୍ଡର ଫାଟକରେ ଚାବି ପଡ଼ିଯିବା ପରେ ରୋଗୀଙ୍କ ଭାଗ୍ୟ ନିଜ ହାତକୁ ଚାଲିଯାଏ। ବଞ୍ଚାଅ ବଞ୍ଚାଅ..ବୋଲି ଡାକିଲେ ବି କେହି ଶୁଣନ୍ତି ନାହିଁ କି କାହା କାନରେ ପଡ଼େନାହିଁ। ଖାଲି ସେତିକି ନୁହେଁ ଏଠାକୁ ଆସୁଥିବା ଅନେକ ରୋଗୀଙ୍କ ମାନସିକ ସ୍ଥିତି ଭଲ ନ ଥାଏ। ତେଣୁ କେତେବେଳେ ଯଦି କିଏ କ’ଣ କରି ବସିବ ତା’ର ବି ଗ୍ୟାରେଣ୍ଟି ନ ଥାଏ।

ଏମିତିକି ରାତି ଅଧରେ ଯନ୍ତ୍ରଣାରେ ଛଟପଟ ହୋଇ କେତେକଙ୍କ ଜୀବନ ଚାଲିଯିବାର ନଜିର ରହିଛି ବୋଲି ଜଣେ ସ୍ବେଚ୍ଛାସେବୀ କହିଛନ୍ତି। ଚଟାଣରେ ଜୀବନ ବିତେ, ଅରୁଚିକର ଖାଦ୍ୟ ଖାଇବାକୁ ପଡ଼ିଥାଏ। ନିରାଶ୍ରିତ ହୋଇ ଥିବାରୁ ବେଡ୍‌ଟିଏ ପାଇଁ ଅଳି କରିବାକୁ ସାହସ ନ ଥାଏ। ବରଂ ଜୋର ଯାହାର ମୂଲକ ତା’ର ନ୍ୟାୟରେ ଭେଣ୍ଡିଆମାନଙ୍କୁ ବେଡ୍‌ ଯୋଗାଇ ଦିଆଯାଇଥାଏ। ବୃଦ୍ଧ ବୃଦ୍ଧାଙ୍କୁ ଅନେକ ସମୟରେ ତଳେ ଶୁଆଇ ଦିଆଯାଏ। ଏହି ୱାର୍ଡରେ ୧୧ଟି ବେଡ୍‌ର ବ୍ୟବସ୍ଥା ରହିଛି। ଏଠାକୁ ଯଦି ଅକସ୍ମାତ ଅଧିକ ନିରାଶ୍ରିତ ରୋଗୀ ଆସନ୍ତି ସେମାନଙ୍କୁ ତଳେ ଶୋଇ ଚିକିତ୍ସିତ ହେବାକୁ ପଡ଼େ।

ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ସେହି ୱାର୍ଡର ପରିବେଶ। ୱାର୍ଡ ମଧ୍ୟରେ ପ୍ରବେଶ ମାତ୍ରେ ଗନ୍ଧରେ ନାକ ଫାଟିଯାଏ। ଫଳରେ ସେଇ ଦୁର୍ଗନ୍ଧ ମଧ୍ୟରେ ଅନ୍ୟ ରୋଗୀମାନେ ରହିବାକୁ ବାଧ୍ୟ ହୋଇଥାନ୍ତି। ଏଠାରେ ଯଦିଓ ଖାଦ୍ୟ ଯୋଗାଇ ଦିଆଯାଏ, ମାତ୍ର ତାହା ଅରୁଚିକର ବୋଲି ଜଣେ ରୋଗୀ କହିଛନ୍ତି।

ମାସ ମାସ ଧରି ମାଡ଼ି ବସିଛନ୍ତି ବେଡ୍‌
ରୋଗୀଟିଏ ମେଡିକାଲ୍‌ରେ ଭର୍ତି ହେବା ପରେ ତାକୁ ଉପଯୁକ୍ତ ଚିକିତ୍ସା ସେବା ଦେଇ ୩ ମାସ ମଧ୍ୟରେ ଭଲ କରିବା ପାଇଁ ଚେଷ୍ଟା କରାଯାଏ। ୩ ମାସରେ ସୁସ୍ଥ ନ ହେଲେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ବ୍ୟବସ୍ଥା କରାଯାଏ। ସେଠାରେ ପ୍ରତି‌ ରୋଗୀଙ୍କୁ ଆଟେଣ୍ଡାଣ୍ଟ୍‌ ଖର୍ଚ ବାବଦରେ କିଛି ଅର୍ଥ ବି ଦିଆଯାଏ। ମାତ୍ର ଏହା ସତ୍ତ୍ବେ କିଛି ରୋଗୀଙ୍କୁ ଏଠାରୁ ସ୍ଥାନାନ୍ତର କରାଗଲେ ସେମାନେ ଯାଉ ନାହାନ୍ତି। ଫଳରେ କିଏ ପର୍ଯ୍ୟାୟ କ୍ରମେ ଯାଇ ଆସି ୩ ବର୍ଷ ରହିଲାଣି ତ କିଏ ବର୍ଷେ ହେଲା ବେଡ୍‌କୁ ଦଖଲରେ ରଖିଲାଣି। ଫଳରେ ଅନ୍ୟ ରୋଗୀମାନେ ବେଡ୍‌ ପାଇବାରେ ସମସ୍ୟା ସୃଷ୍ଟି ହେଉଛି। ସରକାର ୫-ଟି ନାଁରେ ସ୍ବପ୍ନ ବୁଣିବାରେ ଲାଗିଛନ୍ତି। ଏଣେ ବଡ଼ପଣ୍ଡାମାନଙ୍କ ବାସଭବନ ପାଖରେ ଯେ ନିରାଶ୍ରିତଙ୍କ ପାଇଁ ଉଦ୍ଦିଷ୍ଟ ୱାର୍ଡରେ ସ୍ଥାୟୀ ଭାବେ କାହାକୁ ଯତ୍ନ ନେବାର ଦାୟିତ୍ବ ଦିଆ ଯାଇନି ସେକଥା ଉପରେ କାହାରି ନଜର ପଡ଼ୁନାହିଁ।

ସମ୍ବନ୍ଧିତ ଖବର