ଅସହାୟ ତିନି ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ

ଖୋର୍ଧା/ଭୁବନେଶ୍ୱର : ଗତ ୧୧ ତାରିଖରେ ‘ସମ୍ବାଦ’ ମହାନଗର ପୃଷ୍ଠାରେ ପ୍ରକାଶିତ ‘ଦୁଃଖ ଯେବେ ଆସେ.. ବାପା ଚାଲି ଯାଇଥିଲେ ମା’ ବି ଚାଲିଗଲେ, ଅସୁରକ୍ଷିତ ଅବସ୍ଥାରେ ତିନି ଭଉଣୀ’ ଶୀର୍ଷକ ଖବର ପ୍ରକାଶିତ ହେବା ପରେ ଖୋର୍ଧା ଜିଲ୍ଲା ପ୍ରଶାସନ ସେମାନଙ୍କୁ ସହାୟତାର ହାତ ବଢ଼ାଇଛି। ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ନିର୍ଦେଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ବାଣିଶ୍ରୀ ପଟ୍ଟନାୟକ ଏହି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ମିଳିବା ପରେ ଆଜି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସଂପୃକ୍ତ ତିନି ଭଉଣୀ ସସ୍ମିତା ବଳିୟାରସଂହ, ଦେବସ୍ମିତା ଓ ମଧୁସ୍ମିତାଙ୍କୁ ଦଶହଜାର ଟଙ୍କା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ ବ୍ୟବସ୍ଥା କରିଥିଲେ।

ଭୁବନେଶ୍ୱର ଉପଜିଲ୍ଲାପାଳ ମାନସ ରଞ୍ଜନ ସାମଲ, ଡିସିପିଓ ବାଣିଶ୍ରୀ ପଟ୍ଟନାୟକ ସଂପୃକ୍ତ ଅସହାୟ ତିନି ଭଉଣୀଙ୍କୁ ତାଙ୍କ ସହିଦ ନଗରସ୍ଥିତ ଘରେ ଭେଟି ସହାୟତା ପ୍ରଦାନ କରିଥିଲେ। ଏଥିସହ ବଡ଼ ଭଉଣୀ ସସ୍ମିତା (୧୭)କୁ ଏକ ନିର୍ଦ୍ଦିଷ୍ଟ ବିଷୟରେ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରିବା ସହ ଅନ୍ୟ ଦୁଇ ଭଉଣୀଙ୍କୁ ସରକାରୀ ପଞ୍ଜୀକୃତ ଶିଶୁ ଯତ୍ନ ଅନୁଷ୍ଠାନରେ ଅବସ୍ଥାପିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପରାମର୍ଶ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ‘ସମ୍ବାଦ’ରୁ ଏହି ଖବର ପଢ଼ିବା ପରେ ସଂପୃକ୍ତ ତିନି ଭଉଣୀଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିଙ୍କ ନିକଟରୁ ସହାୟତା ସୁଅ ଛୁଟିଛି। ଗତ ଶୁକ୍ରବାର ଦିନ କେ-୧ ସିକ୍ୟୁରିଟି ସଂସ୍ଥା ସସ୍ମିତାଙ୍କୁ ସମ୍ବାଦ ଭବନ ପରିସରରେ ନିଜ ସଂସ୍ଥାରେ ଚାକିରି ପାଇଁ ନିଯୁକ୍ତିପତ୍ର ପ୍ରଦାନ କରିବା ସହ ଅନ୍ୟ ଦୁଇ ଭଉଣୀଙ୍କ ପାଠପଢ଼ା ଦାୟିତ୍ୱ ହାତକୁ ନେଇଥିଲା।

ସମ୍ବନ୍ଧିତ ଖବର