ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

କ୍ୟାପିଟାଲ ହସ୍ପିଟାଲ ହେବ ଅତ୍ୟାଧୁନିକ ମଡେଲ ହସ୍ପିଟାଲ

ଭୁବନେଶ୍ୱର: ଏକ ମଡେଲ ହସ୍ପିଟାଲରେ ପରିଣତ ହେବ କ୍ୟାପିଟାଲ ହସ୍ପିଟାଲ। ଉନ୍ନତମାନର ହସ୍ପିଟାଲରେ ପରିଣତ କରିବା ପାଇଁ ଆବଶ୍ୟକ ଏକ ନିର୍ଦ୍ଦିଷ୍ଟ ଯୋଜନା ଆସନ୍ତା ୧୫ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା।

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲ କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ସମସ୍ୟାରେ ଅନେକ ସମସ୍ୟା ଦେଖା ଦେଉଛି। କେତେବେଳେ ପାଣି ଅଭାବ ତ ଆଉ କେତେବେଳେ ବିଦ୍ୟୁତ୍‌ କାଟ। ତେଣୁ ଏହିସବୁ ସମସ୍ୟାର ସମାଧାନ କରିବା ପାଇଁ ଆଲୋଚନା ହୋଇଛି। ହସ୍ପିଟାଲର ବିଭିନ୍ନ ସମସ୍ୟା, ଆବଶ୍ୟକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହେବା ସହିତ ହସ୍ପିଟାଲର ସଂପ୍ରସାରଣ, ସୌନ୍ଦର୍ଯ୍ୟକରଣ, ପାର୍କିଂ, ଅକ୍ସିଜେନ୍‌ ଯୋଗାଣ ଓ ଅହରହ ବିଦ୍ୟୁତ ଯୋଗାଣ ପାଇଁ ଜେନେରେଟର୍‌ ବ୍ୟବସ୍ଥା କରିବା ଉପରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ। ହସ୍ପିଟାଲ କର୍ତୃପକ୍ଷ, ବିଭାଗୀୟ ପଦାଧିକାରୀ ଓ ଅନ୍ୟାନ୍ୟ ବିଭାଗ ସହିତ ଯୋଗସୂତ୍ର ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।

ଏହି ବୈଠକରେ ପୂର୍ତ ବିଭାଗ ସଚିବ ନିଳିନୀକାନ୍ତ ପ୍ରଧାନ, ସ୍ୱତନ୍ତ୍ର ସଚିବ ଡା.ବିନୋଦ ମିଶ୍ର, ଖୋର୍ଧା ଜିଲ୍ଲାପାଳ ନିର୍ମଳ କୁମାର ମିଶ୍ର, ରାଜ୍ୟ ମେଡିକାଲ ନିଗମର ପରିଚାଳନା ନିର୍ଦେଶକ ଆର୍‌.ପି ସିଂହ, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବ୍ରଜ କିଶୋର ବ୍ରହ୍ମା, ଅତିରିକ୍ତ ସଚିବ ଡା.ଅଜିତ ମିଶ୍ର, କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ସି.ଆର ଦାସଙ୍କ ସମେତ ବିଏମ୍‌ସି, ପୂର୍ତ ବିଭାଗ ଓ କମିସନରେଟ ପୁଲିସର ଅଧିକାରୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଆନେସ୍ଥେଟିକ୍‌ ଡାକ୍ତର ନାହାନ୍ତି। ଜଣକ ପରେ ଜଣେ ବିଭିନ୍ନ ମେଡିକାଲ କଲେଜକୁ ପଳାଉଥିବାରୁ ହସ୍ପିଟାଲରେ ଆନେସ୍ଥେଟିକ୍‌ ଡାକ୍ତରଙ୍କ ଘୋର ଅଭାବ ଦେଖା ଦେଇଛି। ପରିଣାମ ସ୍ୱରୂପ ହସ୍ପିଟାଲରେ ନିୟମିତଭାବେ ହେଉଥିବା ଅସ୍ତ୍ରୋପଚାର ଆଉ ଦିନ କେଇଟା ପରେ ସଂପୂର୍ଣ୍ଣଭାବେ ବନ୍ଦ ହୋଇଯିବାର ଆଶଙ୍କା ଉପୁଜିଛି।

କ୍ୟାପିଟାଲ ହସ୍ପିଟାଲକୁ ଏକ ମଡେଲ ହସ୍ପିଟାଲରେ ପରିଣତ କରିବାକୁ ଯୋଜନା ହେଉଛି। ମାତ୍ର ଡାକ୍ତରଙ୍କ ଅଭାବ ପୂରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଯାହାଫଳରେ ହସ୍ପିଟାଲକୁ ଅସ୍ତ୍ରୋପଚାର ପାଇଁ ଆସୁଥିବା ସାଧାରଣ ଓ ଗରିବ ରୋଗୀ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେବେ ବୋଲି ସ୍ପଷ୍ଟ ହୋଇଯାଇଛି।
ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ହେଉଥିବା ରୋଗୀଙ୍କ ଭିଡ଼ ପାଇଁ ଅତିକମ୍‌ରେ ୫ଜଣ ଆନେସ୍ଥେଟିକ୍‌ ଡାକ୍ତରଙ୍କ ଆବଶ୍ୟକତା ରହିଛି। ମାତ୍ର ହସ୍ପିଟାଲରେ କିଛିଦିନ ପୂର୍ବରୁ ୪ଜଣ ଆନେସ୍ଥେଟିକ୍‌ ଡାକ୍ତର ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ଆଉ ଜଣଙ୍କର ମେଡିକାଲ କଲେଜ୍‌କୁ ବଦଳି ହୋଇଯାଇଛି। ଆସନ୍ତାମାସରେ ଆଉ ଜଣେ ଡାକ୍ତରଙ୍କ ମଧ୍ୟ ମେଡିକାଲ କଲେଜକୁ ବଦଳି ହୋଇଯିବେ। ଏହାପରେ ହସ୍ପିଟାଲରେ ମାତ୍ର ଜଣେ ମାତ୍ର ଆନେସ୍ଥେଟିକ ଡାକ୍ତର ଉପଲବ୍ଧ ହେବେ। ଏଭଳି ପରିସ୍ଥିତିରେ ଜଣେ ଡାକ୍ତର ହସ୍ପିଟାଲରେ ଅସ୍ତ୍ରୋପଚାର ସମୟରେ ଆନେସ୍ଥେସିଆ ପ୍ରଦାନ କରିବା ସମ୍ଭବ ନୁହେଁ।

କ୍ୟାପିଟାଲ ହସ୍ପିଟାଲରେ ଏବେ ପ୍ରତିଦିନ ସାଧାରଣଭାବେ ୨୫/୩୦ଜଣ ଅସ୍ତ୍ରୋପଚାର ହେଉଥିବା ବେଳେ ଅସ୍ଥିଶଲ୍ୟରେ ୧୦ଟି ଓ ଇଏନ୍‌ଟିରେ ୮/୧୦ଜଣଙ୍କର ଅସ୍ତ୍ରୋପଚାର ହେଉଛି। ତେବେଏହାସହ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅସ୍ତ୍ରୋପଚାର ଜରିଆରେ ହେଉଥିବା ପ୍ରସବ ପାଇଁ ଠିକା ଡାକ୍ତର ନିଯୁକ୍ତ ହୋଇଛନ୍ତି। ମାତ୍ର ସେମାନେ ପ୍ରସୂତି ବିଭାଗରେ ହେଉଥିବା ଅନ୍ୟାନ୍ୟ ଅସ୍ତ୍ରୋପଚାର ପାଇଁ ଏହି ଡାକ୍ତର ଅସ୍ତ୍ରୋପଚାର କରିପାରିବେ ନାହିଁ। ଏଭଳି ପରିସ୍ଥିତିରେ ଆଉ ଦିନ କେଇଟା ପରେ କ୍ୟାପିଟାଲ ହସ୍ପିଟାଲରେ ଅସ୍ତ୍ରୋପଚାର ସଂପୂର୍ଣ୍ଣଭାବେ ବନ୍ଦ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି ଆର ଦାସ କହିଛନ୍ତି, ହସ୍ପିଟାଲରେ ୪ଜଣ ଆନେସ୍ଥେଟିକଙ୍କ ଡାକ୍ତରଙ୍କ ମଧ୍ୟରେ ୨ଜଣ ଉପଲବ୍ଧ ଥିଲେ। ଜଣଙ୍କର ମେଡିକାଲ କଲେଜକୁ ବଦଳି ହୋଇ ଯାଇଥିବା ବେଳେ ଆସନ୍ତା ମାସରେ ଆଉ ଜଣଙ୍କର ମଧ୍ୟ ମେଡିକାଲ କଲେଜ ବଦଳି ହୋଇଯିବାର ସମ୍ଭାବନା ରହିଛି। ତେଣୁ ହସ୍ପିଟାଲରେ ଅସ୍ତ୍ରୋପଚାର ପାଇଁ ସମସ୍ୟା ଉପୁଜୁଛି। ତେବେ ପ୍ରସବ ପାଇଁ ୮ଜଣ ଠିକା ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି। ହସ୍ପିଟାଲରେ ଆନେସ୍ଥେଟିକ୍‌ ସମସ୍ୟା ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିବା ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର