ଏବେର କବିମାନେ ପ୍ରସିଦ୍ଧି ପାଇବାକୁ ବେଶି ତତ୍ପର

‘ହଣ୍ଡ୍ରେଡ୍‌ ଇୟର୍ସ ଅଫ୍‌ ଓଡ଼ିଆ ପୋଏଟ୍ରି’ ଲୋକାର୍ପିତ

ଭୁବନେଶ୍ୱର: ୧୯୧୬ରୁ ୨୦୧୬, ବିଗତ ଶହେ ବର୍ଷ ମଧ୍ୟରେ ୭୪ଜଣ କବିଙ୍କ ବଛାବଛା ୧୦୬ଟି ଓଡ଼ିଆ କବିତାର ଇଂରାଜୀ ଅନୁବାଦ ପୁସ୍ତକ ‘ହଣ୍ଡ୍ରେଡ୍‌ ଇୟର୍ସ ଅଫ୍‌ ଓଡ଼ିଆ ପୋଏଟ୍ରି’ ଲୋକାର୍ପିତ ହୋଇଛି। ଆଜି ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ‘ଅଥର୍ସ ପ୍ରେସ୍‌’ ପ୍ରକାଶିତ ଏହି ପୁସ୍ତକଟି ଆତ୍ମପ୍ରକାଶ କରିଛି। ବିଶିଷ୍ଟ ସମାଲୋଚକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ବିଶିଷ୍ଟ କବି ଫନୀ ମହାନ୍ତି ଏବଂ ଅନୁବାଦକ ଚିତ୍ତରଂଜନ ଭୋଇଙ୍କ ସମ୍ପାଦିତ ଏହି ପୁସ୍ତକରେ ବହୁ କାଳଜୟୀ କବିତାମାନ ରହିଛି। ପ୍ରଖ୍ୟାତ କବି ରମାକାନ୍ତ ରଥ ପୁସ୍ତକ ଉନ୍ମୋଚନ କରି କହିଲେ, ସବୁଜ ଯୁଗର କବିମାନଙ୍କର ଦୃଷ୍ଟିଭଙ୍ଗୀ ବେଶି ବ୍ୟାପକ ଥିଲା। ବିଶ୍ୱର ଅନେକ କଥା ଚେତନାର ପରିସରଭୁକ୍ତ ଥିଲା। କିନ୍ତୁ ବର୍ତମାନ ତାହା ବ୍ୟକ୍ତି ଚେତନାରେ ସୀମିତ ରହିଯାଇଛି। ଏବେର କବିମାନେ ନିଜର ପ୍ରସିଦ୍ଧି ଉପରେ ବେଶି ଧ୍ୟାନ ଦେଉଛନ୍ତି। ଦୃଷ୍ଟିଭଙ୍ଗୀ ସଙ୍କୁଚିତ ହୋଇଯାଇଛି। ଏହା ଆମ ସାହିତ୍ୟ ଜଗତ ପ୍ରତି ଶୁଭଙ୍କର ନୁହେଁ ବୋଲି ସେ କହିଥିଲେ। ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ସଂପ୍ରତି ସାହିତ୍ୟ ସଙ୍କୁଚିତ ହୋଇଯିବା ଏବଂ ସମାଜ ଅନୁକୂଳ ନହେବା ଭଳି ସମସ୍ୟାର ପ୍ରତିକାର ଉତ୍ତରପିଢ଼ି ପାଇଁ ଏକ ଆହ୍ଵାନ। ସେ ଏକଥା ବି କହିଲେ, ବିଶ୍ୱବିଦ୍ୟାଳୟ ସ୍ତରରେ ଅନୁବାଦକୁ ଗୁୁରୁତ୍ୱ ଦିଆଗଲେ ଭଲ ଅନୁବାଦକ ସୃଷ୍ଟି ହୋଇପାରିବେ। ନଚେତ ଆମ ସାହିତ୍ୟ ସଙ୍କୁଚିତ ହୋଇଯିବ ବୋଲି ସେ କହିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଲେ, ଆଗରୁ ବଜେଟ୍‌ ଅଭାବ ଥିବା ବେଳେ ଏବେ ଓଡ଼ିଆ ଭାଷା, ସାହିତ୍ୟ ପାଇଁ ବଜେଟ୍‌ର ଅଭାବ ନାହିଁ। କିନ୍ତୁ ଓଡ଼ିଶାରେ ଅନୁବାଦକମାନଙ୍କର ସଂଖ୍ୟା ବେଶି ନ ଥିବାରୁ ବଜେଟ୍‌ ଥାଇ ବି ଖର୍ଚ ହୋଇପାରୁନି। ତେଣୁ ବର୍ତମାନ ନୂଆପିଢ଼ିକୁ ଅନୁବାଦକ ଭାବେ ପ୍ରସ୍ତୁତ କରିବାର ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ସେ କହିଥିଲେ। ପ୍ରଫେସର ପ୍ରଫୁଲ୍ଲ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଓଡ଼ିଆ ସାହିତ୍ୟରେ ଥିବା ସ୍ୱତନ୍ତ୍ର ସୃଷ୍ଟିକୁ ଅନୁବାଦ କରାଯିବା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। କବି ଫନୀ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଅନୁବାଦକ ଚିତ୍ତରଂଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କବି କେଦାର ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର