ହର୍ବାଲ ହୁକ୍କା ବାର୍‌ରେ ନିଶା କାରବାର, ଅବକାରୀ ଓ ପୁଲିସ କମିସନରଙ୍କୁ ନୋଟିସ୍‌

ଭୁବ‌ନେଶ୍ୱର: ହର୍ବାଲ ହୁକ୍କା ବାର୍‌ ଆଢ଼ୁଆଳରେ ଚାଲିଛି ନିଶା ବେପାର। ପ୍ରତିଦିନ ରାଜଧାନୀର ବିଭିନ୍ନ ହୁକ୍କାବାର୍‌ରେ ଶହ ଶହ କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କ ଭିଡ଼ ଜମୁଛି। ଡ୍ରଗ୍ ଆଣ୍ଡ କସ୍‌ମେଟିକ୍‌ ଆକ୍ଟ ବଳରେ ସ୍ବାଦଯୁକ୍ତ ହୁକ୍କାକୁ ରାଜ୍ୟ ସରକାର ନିଷିଦ୍ଧ କରିଛନ୍ତି। କିନ୍ତୁ ହର୍ବାଲ କହି ପୁଲିସ୍‌ ମଧ୍ୟ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ବେଳେ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ଉ କରି ଏହା ନିଷିଦ୍ଧ ନୁହେଁ ବୋଲି ରିପୋର୍ଟ ଦେଇଛି। କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ଏହା ନିଶାଯୁକ୍ତ ବୋଲି ଖବର ପ୍ରକାଶ ପାଇବା ପରେ ରାଜ୍ୟ ମାନବାଧିକାର କମିସନ୍‌ ଏଥିରେ ହସ୍ତକ୍ଷେପ କରିଛନ୍ତି। ଏନେଇ ଆଜି ଏକ ମାମଲା ରୁଜୁ କରିବା ସହ ଅବକାରୀ କମିସନର୍‌ ଓ ପୁଲିସ କମିସନରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ବାସ୍ତବରେ ଏହା ହର୍ବାଲ କିମ୍ବା ନିଶାଯୁକ୍ତ? ବେଆଇନ ଭାବରେ ଚାଲୁଛି ନା ଉପଯୁକ୍ତ ସ୍ବୀକୃତି ନିଆଯାଇଛି? ସେ ନେଇ ୪ ମାସ ମଧ୍ୟରେ ରିପୋର୍ଟ ଉପସ୍ଥାପନ କରିବା ପାଇଁ ଉଭୟ କମିସନରଙ୍କୁ ନୋଟିସ୍ ଦିଆଯାଇଛି। ଅକ୍ଟୋବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧିତ ଖବର