ଚର୍ଚିତ ଛଅ ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ : ବିଳମ୍ବ ହେଉଛି ଶୁଣାଣି

ଭୁବନେଶ୍ୱର : ଦିନ ଥିଲା ଏହି ସବୁ ହତ୍ୟାକାଣ୍ଡ ରାଜଧାନୀ ସମେତ ସାରା ରାଜ୍ୟରେ ଖେଳାଇ ଦେଇଥିଲା ଚାଞ୍ଚଲ୍ୟ। ଥରାଇ ଦେଇଥିଲା ଅନେକଙ୍କ ଛାତି। ଅଭିଯୁକ୍ତମାନେ ଘଟାଇଥିଲେ ବୀଭତ୍ସକାଣ୍ଡ। ଘଟଣାର ପର୍ଦାଫାସ ନ ହେବା ପର୍ଯ୍ୟନ୍ତ ରାଜଧାନୀବାସୀ ପ୍ରତ୍ୟେକ ଦିନ ଟିଭି ଦେଖିବା ସହିତ ଓ ଖବରକାଗଜର ପୃଷ୍ଠା ଲେଉଟାଇ ଚାଲୁଥିଲେ। କମିସନରେଟ୍‌ ପୁଲିସ ପାଇଁ ଏହି ସବୁ ହତ୍ୟାକାଣ୍ଡ ଅତ୍ୟନ୍ତ ଚ୍ୟାଲେଞ୍ଜ ଥିଲା। ରାତି ରାତି ଅନିଦ୍ରା ହୋଇ ରାଜ୍ୟ ବାହାରେ ଓ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି, ହତ୍ୟାକାରୀମାନଙ୍କୁ ଗିରଫ କରିଥିଲା ପୁଲିସ। ବିଗତ ୫ ବର୍ଷ ମଧ୍ୟରେ ଏଭଳି ଅନେକ ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ ଘଟିଥିଲା। କେଉଁଠି କେହି ପତ୍ନୀଙ୍କୁ ୩ ଶହ ପିସ୍‌ କରି ହତ୍ୟାକଲାଣି ତ ଆଉ କେଉଁଠି ଖୋଦ ପତ୍ନୀ ସୁପାରି ଦେଇ ନିଜର ଖଣି ବ୍ୟବସାୟୀ ପତିଙ୍କୁ ହତ୍ୟାକଲାଣି। ସେ ଖଣ୍ଡଗିରିବାରୀ ଅଞ୍ଚଳରେ ଘଟିଯାଇଥିବା ତ୍ରିପିଲ୍‌ ମର୍ଡର ହେଉ କିମ୍ବା ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀ ବିହାର ଡାକ୍ତର ଦମ୍ପତି ହତ୍ୟାକାଣ୍ଡ। କିମ୍ବା ରସୁଲଗଡ଼ ଶବରସାହିରେ ରହୁଥିବା ଜଣେ ଶିଳ୍ପପତିଙ୍କ ପତ୍ନୀଙ୍କୁ ହତ୍ୟା, ବା କଟକରୋଡ୍‌ କୋଣାର୍କ ଆପାର୍ଟମେଣ୍ଟରେ ରହୁଥିବା ଗ୍ୟାସ ବ୍ୟବସାୟୀଙ୍କୁ ତାଙ୍କ ପତ୍ନୀ ଓ ସମ୍ପର୍କୀୟମାନେ ହତ୍ୟା କରିବା ଘଟଣା। ଏହି ସବୁ ବହୁ ଚର୍ଚିତ ହତ୍ୟାକାଣ୍ଡର ଶୁଣାଣି ଏବେ ବିଭିନ୍ନ କାରଣରୁ ଧିମେଇ ଯାଇଛି। ସାକ୍ଷ୍ୟଙ୍କଠାରୁ ଆରମ୍ଭ କରି ତଦନ୍ତକାରୀ ଅଫିସରଙ୍କ ଠିକ ଭାବେ ତଦନ୍ତ ନ କରିବା, ମଜଭୁତ ପ୍ରମାଣ ଆଦି ଅଭାବ କାରଣରୁ ମାମଲାର ରାୟ ପ୍ରକାଶ ପାଇବାରେ ବିଳମ୍ବିତ ହେଉଛି। ଅନେକ ମାମଲା ଦୁର୍ବଳ ମଧ୍ୟ ହୋଇ ଯିବା ଆରମ୍ଭ କଲାଣି। ଫଳରେ ଅଭିଯୁକ୍ତମାନେ ନିର୍ଦୋଷରେ ମଧ୍ୟ ଖଲାସ ହେବାର ଆଶଙ୍କା ପ୍ରକାଶ ପାଇଲାଣି।

ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାଶ କୁହନ୍ତି, ବିଭିନ୍ନ ସମୟରେ ମାମଲାର ଶୁଣାଣି ବିଳମ୍ବ ହେବାର କାରଣ ହେଉଛନ୍ତି ଖୋଦ ତଦନ୍ତକାରୀ ଅଫିସର। ତଦନ୍ତକାରୀ ଅଫିସରମାନେ ତାରିଖ ଦିନ କୋର୍ଟରେ ହାଜର ହେଉ ନାହାନ୍ତି। ଖାଲି ହାଜର କାହିଁକି ନିୟମ ଅନୁଯାୟୀ, ତଦନ୍ତକାରୀ ଅଫିସର ସାକ୍ଷୀଙ୍କୁ ନିଜେ ସୁରକ୍ଷିତ ଭାବେ କୋର୍ଟକୁ ଆଣିବା ଆବଶ୍ୟକ। କାରଣ ସାକ୍ଷୀଙ୍କୁ ସୁରକ୍ଷା ଦେବାର କାମ ପୁଲିସର। ଅନେକ ବହୁ ଚର୍ଚିତ ମାମଲାରେ ଦେଖା ଯାଉଛ କି, ତଦନ୍ତକାରୀ ଅଫିସର ଠିକ୍‌ ସାକ୍ଷ୍ୟ ଓ ପ୍ରମାଣ ଯୋଗାଡ଼ କରି ପାରୁନାହନ୍ତି। ଯେଉଁ ସାକ୍ଷୀମାନଙ୍କ ନାଁ ଗାଁ ଓ ଠିକଣା ତଦନ୍ତକାରୀ ଅଫିସର କୋର୍ଟକୁ ଦେଇଥାନ୍ତି, ପରବର୍ତୀ ସମୟରେ ଦେଖା ଯାଉଛି କି, ସେହି ଠିକଣାରେ କୌଣସି ବ୍ୟକ୍ତି ରହୁ ନ ଥିବା ଜଣାପଡ଼ିଛି। ଫଳରେ ବର୍ଷ ବର୍ଷ ଧରି ଏହି ମାମଲାର ଶୁଣାଣି ତାରିଖ ପରେ ତାରିଖ ହୋଇ ଗଡ଼ି ଚାଲିଛି। ତେବେ ଏ ସମ୍ପର୍କରେ କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେବଳ ପୁଲିସକୁ ଦୋଷ ଦେଲେ ଚଳିବ ନାହିଁ। କାରଣ ବିଭିନ୍ନ ସମୟରେ ତଦନ୍ତକାରୀ ଅଫିସରମାନେ ଆଇନଶୃଙ୍ଖଳା ଡ୍ୟୁଟି, ବିଧାନସଭା ଡ୍ୟୁଟି, ଭିଭିଆଇପିଙ୍କ ସୁରକ୍ଷା ଆଦିରେ ନିୟୋଜନ ହେଉଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ କାରଣରୁ କୋର୍ଟ ବନ୍ଦ ରହୁଛି, ଅଧିକାଂଶ ତଦନ୍ତକାରୀ ଅଫିସରଙ୍କର ମଧ୍ୟ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ କୋର୍ଟରେ ସାକ୍ଷ୍ୟ ଦେବାକୁ ତାରିଖ ପଡ଼ୁଛି। ଫଳରେ ତଦନ୍ତକାରୀ ଅଫିସରମାନେ ବିଭିନ୍ନ ସମୟରେ କୋର୍ଟକୁ ଯାଇଥିଲେ ମଧ୍ୟ ଫେରି ଆସିବାକୁ ବାଧ୍ୟ ହେଉଛି। ତେଣୁ ମାମଲାର ଶୁଣାଣିରେ ବିଳମ୍ବ ଘଟୁଛି। ତେବେ କେତେକ ନିର୍ଦିଷ୍ଟ ମାମଲାରେ ଆମେ ହୋଲ୍‌ଡିଂ ଆଇଓମାନଙ୍କୁ ନିଯୁକ୍ତି କରିଛି ବୋଲି ସଂପୃକ୍ତ ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି। ତେବେ ତଦନ୍ତକାରୀ ଅଫିସରମାନେ କୋର୍ଟରେ ହାଜର ହେଉ ନଥିବାର କଣସି ନଜର ଆମ ପାଖରେ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।

ଘଟଣାକ୍ରମ

୨୦୧୨ ଅଗଷ୍ଟ ୩ ତାରିଖ: ନୂଆପଲ୍ଲୀ ଥାନା ଅଧୀନରେ ଖଣି ବ୍ୟବସାୟୀ ସୁଧାଂଶୁ ଦତ୍ତଙ୍କୁ ଅପହରଣ କରି ହତ୍ୟା
୨୦୧୩, ଜୁନ୍‌ ୨୧ ତାରିଖ: ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜ ଉଷାଶ୍ରୀ ହତ୍ୟାକାଣ୍ଡ
୨୦୧୩ ସେପ୍ଟେମ୍ବର ୧୨ ତାରିଖ: ମଞ୍ଚେଶ୍ୱର ଥାନା ଅଧୀନ ରସୁଲଗଡ଼ ସବରସାହିରେ ବଚନ ସୁଧା ପଟ୍ଟନାୟକ ହତ୍ୟାକାଣ୍ଡ
୨୦୧୪ ଅକ୍ଟୋବର ୧୪ ତାରିଖ: ଖଣ୍ଡଗିରି ଥାନା ଅଧୀନ ଖଣ୍ଡଗିରିବରବାରୀରେ ଡାକ୍ତର ଅତ୍ୟୁଲ ମେହେରଙ୍କ ସମେତ ୩ ଜଣଙ୍କୁ ହତ୍ୟା
୨୦୧୪ ନଭେମ୍ବର ୧୧ ତାରିଖ: ଲକ୍ଷ୍ମୀସାଗର ଥାନା ଅଧୀନ କୋଣାର୍କ ଆର୍ପାଟମେଣ୍ଟ୍‌ରେ ରହୁଥିବା ଗ୍ୟାସ ଡିଲର ପ୍ରମୋଦ ରାଉତରାୟଙ୍କୁ ହତ୍ୟା
୨୦୧୫ ନଭେମ୍ବର ୧୫ ତାରିଖ: ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାର ଡାକ୍ତର ଦମ୍ପତ୍ତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ଓ ପତ୍ନୀ ସୁଷମା ମିଶ୍ରଙ୍କୁ ହତ୍ୟା

ସମ୍ବନ୍ଧିତ ଖବର