ଆବେଦନକାରୀଙ୍କୁ ଜମି ଯୋଗାଇବାକୁ ପଦକ୍ଷେପ ନିଅ: ହାଇକୋର୍ଟ

ହଂସପାଳ ଭୋଇ ସାହି ଉଚ୍ଛେଦ ଉଦ୍ୟମ ମାମଲା

କଟକ: ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ହଂସପାଳ ନିକଟସ୍ଥ ଭୋଇସାହି ବାସିନ୍ଦାଙ୍କୁ ଉଚ୍ଛେଦ ଉଦ୍ୟମ ସଂପର୍କିତ ଆବେଦନର ଶୁଣାଣି କରି ହାଇକୋର୍ଟ ଆବେଦନକାରୀଙ୍କୁ ବିକଳ୍ପ ଭାବେ ଆବାସ‌େଯାଗ୍ୟ ଜମି ଯୋଗାଇବା ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜପଥ ସଂପ୍ରସାରଣ ଯୋଗୁଁ ଭୋଇସାହିର ଜମି ହରାଉଥିବା ବ୍ୟକ୍ତିଙ୍କୁ ବିକଳ୍ପ ସ୍ଥାନରେ ଜମି ପ୍ରଦାନ ନେଇ ଆବେଦନକାରୀ ଓ ଏନଏଚଏଆଇ ସରକାରଙ୍କୁ ଅନୁରୋଧ କରିଥିଲେ। ଏପରି ପ୍ରସ୍ତାବ ଉପରେ ଦୁଇ ମାସ ଭିତରେ ନିଷ୍ପତ୍ତି ନେବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ନରେନ୍ଦ୍ର ଭୋଇ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ନହରକଣ୍ଟା ମୌଜାର ଭୋଇ ସାହିରେ ବର୍ଷବର୍ଷ ଧରି ୧୯ଟି ପରିବାର ରହିଆସୁଛନ୍ତି। ରାଜପଥ ସଂପ୍ରସାରଣ ପାଇଁ ସେମାନଙ୍କୁ ଉଚ୍ଛେଦ କରିବାକୁ ନୋଟିସ ଜାରି ହୋଇଥିଲା। ସେମାନେ ପ୍ରତିବାଦ କରିବାରୁ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ ସ୍ଥାନୀୟ ରୁଦ୍ରପୁର ମୌଜାରେ ୦.୭୨୨ଡିସିମିଲି ଜାଗା ଯୋଗାଇ ଦିଆଯାଇଥିଲା। ସରକାରଙ୍କ ଏହି ନିଷ୍ପତ୍ତିରେ ବାସିନ୍ଦାମାନେ ରାଜି ହୋଇଥିଲେ। ପରେ ଥଇଥାନ କରିବା ଦିଗରେ ଆଉ କୌଣସି ପଦକ୍ଷେପ ନିଆଯାଇନଥିଲା। ଏହାପରେ ସରକାରଙ୍କ ପକ୍ଷରୁ ଜଗନ୍ନାଥ ସଡ଼କରେ ସାମୟିକ ଭାବେ ସେମାନଙ୍କୁ ଥଇଥାନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଥଇଥାନ ପାଇଁ ସେପରି କିଛି ପଦକ୍ଷେପ ନିଆ ନଯାଇ ହଠାତ ଏନଏଚଏଆଇ ପକ୍ଷରୁ ଭୋଇସାହି ବାସିନ୍ଦାଙ୍କୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ମାଇକରେ ପ୍ରଚାର କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଭୋଇସାହିର ୧୯ଟି ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର