ଏକାମ୍ର ବିଜେପିରେ ହାଇଡ୍ରାମା: ଟିକେଟ୍‌ ପାଇଁ ‘ଦଲାଲି’ କଲା କିଏ?

ଅମୀୟଙ୍କ ଗତିବିଧି ଉପରେ ନଜର

ଭୁବନେଶ୍ବର: ବିଜେପିର ଟିକେଟ୍‌ ଘୋଷଣା ପରେ ରାତି ଅଧରେ ବିଜେପି ଉପସଭାପତିଙ୍କ ଘରେ ଆକ୍ରମଣ। ତା’ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ। ହୋଲିରେ ଦିନତମାମ ରାଜ୍ୟ କାର୍ଯ୍ୟାଳୟରେ ତାଲା। ପୁଣି ଆଜି ଅଧା ଦିନ ବିକ୍ଷୋଭ, ଧାରଣା। ଏକାମ୍ର ନିର୍ବାଚନମଣ୍ଡଳୀର ବିଜେପି ରାଜନୀତିକୁ ନେଇ ୩୬ ଘଣ୍ଟାର ହାଇଡ୍ରାମା ଏବେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ସାରା ରାଜ୍ୟର ବହୁ ସ୍ଥାନରେ ବିଜେପିରେ ନୂଆ-ପୁରୁଣା ବିବାଦ ଚାଲିଥିବାରୁ ଏକାମ୍ରର ଟିକେଟ୍‌ ବିବାଦ ଅଧିକ ଚର୍ଚ୍ଚାକୁ ଆସିଛି। ବିଶେଷ କରି ଖୋଦ୍ ରାଜଧାନୀ‌େର ଥିବା ରାଜ୍ୟ କାର୍ଯ୍ୟାଳୟରେ ୩୬ ଘଣ୍ଟା ତାଲା ଝୁଲିବା ଓ ରାଜ୍ୟ ନେତାମାନେ କର୍ମୀଙ୍କୁ ଅସନ୍ତୋଷ ସାମ୍ନାରେ ଅସହାୟ ହୋଇପଡ଼ିବା ଘଟଣା ରାଜନୈତିକ ମହଲକୁ ଚକିତ କରିଦେଇଛି। ରାଜଧାନୀରେ ରାଜ୍ୟ ରାଜନୀତିକୁ ନେଇ ସବୁବେଳେ ବିଭିନ୍ନ ଘଟଣା ଘଟୁଥିଲେ ବି ସ୍ଥାନୀୟ ରାଜନୀତିକୁ ନେଇ ବିଶେଷ ସରଗରମ ସ୍ଥିତି ସୃଷ୍ଟି ହୁଏ ନାହିଁ। କିନ୍ତୁ ଦୀର୍ଘ ବର୍ଷ ପରେ ସ୍ଥାନୀୟ ରାଜନୀତି ଏଠାରେ ଫୋକସ୍‌କୁ ଆସିଛି। ଏକାମ୍ର ନିର୍ବାଚନମଣ୍ଡଳୀରେ ଗତ ନିର୍ବାଚନ‌େର ଅମୀୟ ଦାଶ ପ୍ରାର୍ଥୀ ହୋଇଥିଲେ। ଏଥର ମଧ୍ୟ ସେ ପ୍ରାର୍ଥୀ ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଥିଲା। ଗତ ପାଞ୍ଚ ବର୍ଷ ଧରି ଏକାମ୍ରରେ ବିଜେପି ସଂଗଠନ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ଥିଲା। ଗତ ମାସରେ ଏଠାରେ ବିଜେପି ରାଜନୀତି ଓଲଟପାଲଟ ହୋଇଗଲା। ବିଜେଡିର ଯୁବ ନେତା ବାବୁ ସିଂହ ଏକାମ୍ରରୁ ଦଳୀୟ ଟିକେଟ୍‌ ପାଇଁ ଆଶାୟୀ ଥିଲେ। କିନ୍ତୁ ବିଜେଡିରୁ ସବୁଜ ସଙ୍କେତ ନ ମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ। ବିଜେପି ପକ୍ଷରୁ ତାଙ୍କୁ ଏକାମ୍ରରେ ପ୍ରାର୍ଥୀ କରାଯିବା ସର୍ତ୍ତରେ ହିଁ ସେ ଯୋଗ ଦେଇଥିଲେ। ତାଙ୍କର ଏହି ମିଶ୍ରଣରେ ବିଜେପିର ଭୁବନେଶ୍ବର ଲୋକସଭା ଆସନ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଭୂମିକା ନେଇଥିବା କୁହାଯାଉଛି। ତେବେ ବାବୁ ସିଂହ ଯେଉଁଦିନ ଯୋଗ ଦେଲେ, ସେହିଦିନ ତାଙ୍କ ଶୋଭାଯାତ୍ରାରେ ଅମୀୟ ସାମିଲ ଥିବା ଦେଖାଯାଇଥିଲା। କିନ୍ତୁ ତାହା ପରେ ମଧ୍ୟ ଅମୀୟ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଥିଲେ।

ବାବୁ ସିଂହଙ୍କ ଯୋଗଦାନ ପରେ ଏକାମ୍ର ବିଜେପିରେ କୁହୁଳୁଥିବା ଅସନ୍ତୋଷ ୨୧ ତାରିଖରେ ପ୍ରାର୍ଥୀ ଘୋଷଣା ପରେ ଉଗ୍ର ରୂପ ନେଇଥିଲା। ଘୋଷଣାର କିଛି ମିନିଟ୍‌ ପରେ ଅମୀୟଙ୍କ ସମର୍ଥକମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ। ସେମାନେ ପ୍ରଥମେ ଟାର୍ଗେଟ୍‌ କରିଥିଲେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ। ‌ତାଙ୍କ ବା‌ସଭବନକୁ ସେମାନେ ଯାଇଥିଲେ ବି ଶ୍ରୀ ମହାନ୍ତି ସେଠାରେ ନ ଥିଲେ। ଫଳରେ ଉତ୍ତ୍ୟକ୍ତ କର୍ମୀମାନେ ସେଠାରେ ‌ଭଙ୍ଗାରୁଜା କରିବା ସହ ତାଙ୍କ ଗାଡ଼ି ଭାଙ୍ଗି ଦେଇଥିଲେ। ତାହା ପରେ ସିଧା ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରୀ ମହାନ୍ତି ପହଞ୍ଚି ବୁଝାସୁଝା କରିଥିଲେ ବି ସେମାନେ ଶାନ୍ତ ହୋଇ ନ ଥିଲେ। ପର ଦିନ ହୋଲି ଥିବା‌ରୁ ରାଜ୍ୟ କାର୍ଯ୍ୟାଳୟରେ ହୋଲି ପାଳନ ପାଇଁ ପ୍ରସ୍ତୁତି ହୋଇଥିଲା। କିନ୍ତୁ ଅମୀୟଙ୍କ ସମର୍ଥକମାନେ ତାଲା ପକାଇ ରଖିବାରୁ ହୋଲି ଫିକା ପଡ଼ିଯାଇଥିଲା। କେହି ସେଠାକୁ ଆସିବାକୁ ସାହସ କରି ନ ଥିଲେ। ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କିଛି ସମୟ ସେଠାକୁ ଆସି ବୁଝାସୁଝା କରି ଫେରିଯାଇଥିଲେ। ଗତକାଲି ରାତି ତମାମ ଅମୀୟ ଓ ତାଙ୍କ ସମର୍ଥକଙ୍କୁ ବୁଝାଇବା ପାଇଁ କସରତ ଚାଲିଥିଲା। ବିଜେପି ନେତାଙ୍କ ସମେତ ବାବୁ ସିଂହଙ୍କ ସମର୍ଥକମାନେ ନିଜ ନିଜ ବାଟରେ ବୁଝାଇବାକୁ ଉଦ୍ୟମ କରିଥିଲେ। ତଥାପି ଆଜି ସକାଳୁ ସମାନ ଘଟଣା ଘଟିଲା। ଅମୀୟଙ୍କ ବହୁ ସମର୍ଥକ ପୁଣି ରାଜ୍ୟ କାର୍ଯ୍ୟାଳୟରେ ତାଲା ପକାଇ ହୋହଲ୍ଲା କଲେ। ଦଳ ନିଷ୍ପତ୍ତି ନ ବଦଳାଇଲେ ଉଠିବେନି ବୋଲି ଅଡ଼ି ବସିଲେ। ଅପରାହ୍‌ଣ ୧ଟା ପରେ ନିଜେ ଅମୀୟ ସେଠାକୁ ଆସି କର୍ମୀମାନଙ୍କୁ ବୁଝାଇ ଉଠାଇଥିଲେ। ଗଣମାଧ୍ୟମକୁ ସେ କହିଥିଲେ, ଆମେ ବିଜେପିର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ଦଳର ନିଷ୍ପତ୍ତି ଆମେ ସବୁବେଳେ ମାନିଥାଉ। ସାଧାରଣ କର୍ମକର୍ତ୍ତା ଭାବେ ଆମର ମତ ଦଳୀୟ ନେତୃତ୍ବଙ୍କୁ ଜଣାଇଛୁ। ସେମାନେ ଯାହା ନିଷ୍ପତ୍ତି ନେବେ ଆମେ ଗ୍ରହଣ କରିବୁ।

ଅମୀୟଙ୍କ ସମର୍ଥକମାନେ ସେଠାରୁ ଉଠିଯାଇଥିଲେ ବି ବିବାଦ ଥମି ନାହିଁ। ଅମୀୟଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆଜି ଏକାମ୍ର ବିଜେପିର ବହୁ ପୁରୁଣା କର୍ମକର୍ତ୍ତା, ବିଭିନ୍ନ ମଣ୍ଡଳ ସଭାପତି, ୱାର୍ଡ ପ୍ରମୁଖ ଓ ଶତାଧିକ ସଭ୍ୟ ରାଜ୍ୟ ସଭାପତିଙ୍କୁ ପତ୍ର ଲେଖି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି। ପୁନର୍ବିଚାର ନ କଲେ ଏହାକୁ ଇସ୍ତଫା ଭାବେ ଗ୍ରହଣ କରିବାକୁ ବି ସେମାନେ ଜଣାଇ ଦେଇଛନ୍ତି। ତେବେ ଶ୍ରୀ ସିଂହଙ୍କ ପ୍ରାର୍ଥିତ୍ବ ପରିବର୍ତ୍ତନ କରାଯିବାର ସମ୍ଭାବନା କମ୍। ଏହି ସ୍ଥିତିରେ ଦଳୀୟ ନିଷ୍ପତ୍ତିକୁ ମାନି ନେଇ ଅମୀୟ ଓ ତାଙ୍କ ସମର୍ଥକମାନେ ଶ୍ରୀ ସିଂହଙ୍କୁ ସମର୍ଥନ କରିବେ ନା ବିଦ୍ରୋହ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅପର ପକ୍ଷରେ ଅମୀୟଙ୍କ ସମର୍ଥକମାନେ ଧାରଣା ଦେଲା ବେଳେ ‘ବିଜେପିରେ ଦଲାଲି ଚଳିବ ନାହିଁ…’ ବୋଲି ‌ସ୍ଳୋଗାନ୍ ଦେଇଥିଲେ। ଏହା ସହ ଟଙ୍କା ନେଇ ଟିକେଟ୍‌ ବିକାଯାଇଛି ବୋଲି ବି ଅଭିଯୋଗ ଉଠାଇଥିଲେ। ସେମାନଙ୍କର ଏପରି ଅଭିଯୋଗ ରାଜନୈତିକ ଚର୍ଚ୍ଚାକୁ ବେଶ୍‌ ଖୋରାକ ଯୋଗାଇଛି। ପ୍ରଶ୍ନ ଉଠିଛି, ଅମୀୟଙ୍କ ଟିକେଟ୍‌ କାଟିବା ଓ ବାବୁ ସିଂହଙ୍କୁ ଟିକେଟ୍‌ ଦେବା ନେଇ କିଏ ଦଲାଲି କରିଛି ? କିଏ କାହାଠାରୁ ଟଙ୍କା ନେଇ ଟିକେଟ୍‌ ବିକିଛି ? ବିଜେପି କର୍ମୀମାନେ କେଉଁ ନେତାଙ୍କୁ ଇଙ୍ଗିତ କରି ଏପରି ଅଭିଯୋଗ କରୁଛନ୍ତି ? ଏହି ଦଲାଲି ଓ ଟିକେଟ୍‌ ବିକ୍ରି ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ନେତୃତ୍ବ ଅବଗତ ଅଛନ୍ତି ତ? ଆହୁରି ମଧ୍ୟ ୩୬ ଘଣ୍ଟା ଧରି ରାଜଧାନୀର ବିଜେପି କର୍ମୀମାନେ ଦଳୀୟ କାର୍ଯ୍ୟାଳୟକୁ କବ୍‌ଜା କରି ନେଇଥିଲେ ବି ବରିଷ୍ଠ ନେତାମାନେ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ସାହସ କରି ନ ଥିଲେ। ଦଳର ଏକ ମିଶ୍ରଣ ପର୍ବ ବି ହୋଇ ପାରି ନ ଥିଲା। ଏପରିକି ଭୁବନେଶ୍ବର ଲୋକସଭା ଆସନର ପ୍ରାର୍ଥୀ ଭାବେ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଘୋଷଣା ହୋଇଥିଲେ ବି ସେ ମଧ୍ୟ ନିଜ ନିର୍ବାଚନମଣ୍ଡଳୀର କର୍ମୀଙ୍କୁ ସାମ୍ନା କରିବାକୁ ଦଳୀୟ କାର୍ଯ୍ୟାଳୟ ଆସି ନ ଥିଲେ। ଏକାମ୍ର‌େର ବିଜେପିର ଅନ୍ତର୍ଦ୍ବନ୍ଦ୍ବ ଉଗ୍ର ରୂପ ନେଇଥିଲା ବେଳେ ନିର୍ବାଚନ ପ୍ରସ୍ତୁତି ଧୀମା ହୋଇଯାଇଛି। ଶ୍ରୀ ସିଂହ ଟିକେଟ୍‌ ପାଇଥିଲେ ବି ପୂରା ଦମ୍‌ରେ ମଇଦାନକୁ ଓହ୍ଲାଇ ପାରୁ ନାହାନ୍ତି। ଦିନେ ଦୁଇ ଦିନ ଭିତରେ ସମା‌ଧାନର ବାଟ ନ ବାହାରିଲେ ଆଗକୁ ବିଜେପି ପାଇଁ ଅଧିକ ଅଡ଼ୁଆ ସୃଷ୍ଟି ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର