କଡ଼ା ସୁରକ୍ଷାରେ ଷ୍ଟ୍ରଙ୍ଗ୍‌ରୁମ୍‌

ଭୁବନେଶ୍ୱର : ଇଭିଏମ୍‌ରେ କଏଦ୍‌ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଗତକାଲି ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଇଭିଏମ୍‌ଗୁଡ଼ିକୁ ସିଲ୍‌ କରାଯାଇଛି। ରାଜନେତା ଓ ନେତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ସିଲ୍‌ କରାଯିବା ପରେ ସେଗୁଡ଼ିକୁ ବିଜେବି କଲେଜ୍‌ ପରିସରରେ ହୋଇଥିବା‌ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରଖାଯାଇଛି। ଆସନ୍ତା ମେ’ ୨୩ ତାରିଖ ପର୍ଯ୍ୟନ୍ତ ଏହାକୁ ସୁରକ୍ଷିତ ରଖାଯିବା ପାଇଁ ସରକାରୀ କୋଷାଗାର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଷ୍ଟ୍ରଙ୍ଗ୍‌ରୁମ୍‌କୁ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଛି। ସିସିଟିଭି କ୍ୟାମେରା ସହ ଟ୍ରେଜେରି କର୍ମଚାରୀ, ବନ୍ଧୁକଧାରୀ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଏହି ଷ୍ଟ୍ରଙ୍ଗ୍‌ ରୁମ୍‌କୁ ଘେରି ରହିଛନ୍ତି। ମେ ୨୩ ତାରିଖରେ ଇଭିଏମ୍‌ ଖୋଲିବ, ଆଉ ଏହା ସହିତ ଖୋଲିବ ଭୁବନେଶ୍ବରର ଏମ୍‌ପି ଓ ଅନ୍ୟ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ବିଧାୟକ ପ୍ରାର୍ଥୀମାନଙ୍କ ଭାଗ୍ୟ।

ଭୁବନେଶ୍ବର ଲୋକସଭା ଓ ୫ଟି ବିଧାନସଭା ଆସନରେ ମତଦାନ ପାଇଁ ହୋଇଥିବା ୧୧୫୬ବୁଥ୍‌ରୁ ଇଭିଏମ୍‌ ଓ ଭିଭିପାଟ୍‌ ମେସିନ୍‌କୁ ସିଲ୍‌ କରି ଷ୍ଟ୍ରଙ୍ଗ୍‌ରୁମ୍‌କୁ ଅଣାଯାଇଥିଲା। ମତଦାନ ଶେଷ ହେବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିଂ ଅଧିକାରୀମାନେ ମେସିନ୍‌ ଧରି ବିଜେବି କଲେଜ୍‌ର ଥିବା ନିୟନ୍ତ୍ରଣ କକ୍ଷରେ ପହଞ୍ଚୁଥିଲେ। ରାତି ପ୍ରାୟ ୪ଟା ୨୦ ମିନିଟ୍‌ରେ ଶେଷ ଇଭିଏମ୍‌ ଦାଖଲ ହୋଇଥିଲା। ସକାଳ ପର୍ଯ୍ୟନ୍ତ ଏହି ନିୟନ୍ତ୍ରଣ କକ୍ଷ ପ୍ରିଜାଇଡିଙ୍ଗ୍‌ ଓ ପୋଲିଂ ଅଫିସରଙ୍କ ସମେତ ପୁଲିସ ଓ ନିୟନ୍ତ୍ରଣ କକ୍ଷର କର୍ମଚାରୀଙ୍କ ଭିଡ଼ରେ ଗହଳ ଚହଳ ଲାଗି ରହିଥିଲା‌। ଆଜି ପୂର୍ବାହ୍ନ ୧୦ଟା ବେଳେ ବିଭିନ୍ନ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ୍‌ ରୁମ୍‌କୁ ସିଲ କରାଯାଇଥିଲା। ବିଜେଡି ପକ୍ଷରୁ ଅରବିନ୍ଦ ଢାଲି ଉପସ୍ଥିତ ଥିଲେ। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସହ ଗୋଟିଏ ଲେଖାଏଁ ସଂସଦୀୟ କ୍ଷେତ୍ର ହିସାବରେ ଷ୍ଟ୍ରଙ୍ଗ୍‌ ରୁମ୍‌ କରାଯାଇଛି। ଅର୍ଥାତ୍‌ ୫ଟି ବିଧାନସଭା ମଣ୍ଡଳୀ ଓ ଗୋଟିଏ ସଂସଦୀୟ କ୍ଷେତ୍ରର ୫ଟି ଏଭଳି ମୋଟ ୧୦ଟି ଷ୍ଟ୍ରଙ୍ଗ୍‌ ରୁମ୍‌ ତିଆରି ହୋଇ ଇଭିଏମ୍‌ ସୁରକ୍ଷିତ ରଖାଯାଇଛି। ଅବଜରଭର୍‌ ମତଦାତାଙ୍କ ସିଲ୍‌ ଓ ଅନ୍‌ସିଲ୍‌ ତାଲିକା ଯାଞ୍ଚ କରିବା ପରେ ତାହା ସମାନ ଥିବା ଜଣାପଡ଼ିଛି। ଅନେକ ଇଭିଏମ୍‌ ମତଦାନ ବେଳେ ସମସ୍ୟା ଦେଖାଇଥିଲେ ମଧ୍ୟ ରିଜର୍ଭ ଥିବା ଅତିରିକ୍ତ ୨୦ ପ୍ରତିଶତ ମେସିନ୍ ଜରିଆରେ ମତଦାନ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଇଥିବା ରିଟର୍ଣ୍ଣିଂ ଅଫିସର କହିଛନ୍ତି। ୨୯୯ଟି ‘ଉତ୍ତେଜନା ପ୍ରବଣ’ ବୁଥ୍‌କୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିବାରୁ ଉତ୍ତେଜନା ହୋଇ ନଥିବା ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।

ଟ୍ରେଜେରିରେ ଅଛି ପୋ‌ଷ୍ଟାଲ୍‌ ବାଲଟ୍‌

ବିଭିନ୍ନ ଜାଗାରେ ନିର୍ବାଚନ ଡ୍ୟୁଟିରେ ଥିବା ଅଫିସର ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ ବ୍ୟବହାର ହେଉଥିବା ପୋଷ୍ଟାଲ ବାଲଟ୍‌ ସମ୍ପୃକ୍ତ ରିଟର୍ଣ୍ଣି ଅଫିସରଙ୍କ ପାଖରେ ପହଞ୍ଚିବା ପାଇଁ ‌ଶେଷ ତାରିଖ ମେ ୨୩ ଧାର୍ଯ୍ୟ କରାଯାଇଛି। ଉକ୍ତଦିନ ସକାଳ ୭ଟା ୫୯ ମିନିଟ୍‌ ପର୍ଯ୍ୟନ୍ତ ଏହି ବାଲଟ୍‌ଗୁଡ଼ିକୁ ଗ୍ରହଣ କରାଯିବା ପାଇଁ ସ୍ଥିର ହୋଇଛି। ଏହି ସମୟ ଅବଧି ପରେ ବାଲଟ୍‌ ପହଞ୍ଚିଲେ ଆଉ ଗ୍ରହଣୀୟ ହେବ ନାହିଁ। ଏବେ ଏହି ବାଲଟ୍‌ ଆଉ ଇସ୍ୟୁ ହେଉନାହିଁ। କେବଳ ଗ୍ରହଣ କରାଯାଉଛି। ଏଗୁଡ଼ିକୁ ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଓ ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ଗ୍ରହଣ କରାଯାଉଛି। ପ୍ରତ୍ୟେକ ଅପରାହ୍‌ଣ ୫ଟା ପରେ ବାଲଟ୍‌ ସଂଗ୍ରହ ହେଉଥିବା ବାକ୍ସକୁ ସରକାରୀ ଟ୍ରେଜେରିରେ ଦାଖଲ କରାଯାଉଛି। ମେ ୨୩ ତାରିଖ ଦିନ ୭ଟା ୫୯ ପରେ ଷ୍ଟ୍ରଙ୍ଗ୍‌ ରୁମ୍‌ ଅଣାଯାଇ ଗଣତି ପ୍ରକ୍ରିୟାରେ ସାମିଲ କରାଯିବ।

ସମ୍ବନ୍ଧିତ ଖବର