ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା : ହାଇଟେକ୍‌ କଲେଜକୁ ହେବ ନୋଟିସ୍‌

ସୁରକ୍ଷା ବ୍ୟବସ୍ଥା ଓ ସିସି କ୍ୟାମେରାର ଯାଞ୍ଚ ହେବ

ଭୁବନେଶ୍ୱର : ହାଇଟେକ୍‌ ମେଡିକାଲ୍‌ କଲେଜର ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ସେହି କଲେଜର ଜଣେ ଆଟେଣ୍ଡାଣ୍ଟ ଦୁଷ୍କର୍ମ କରିବା ଅଭିଯୋଗ ହେବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ଖୁବ୍‌ ଶୀଘ୍ର ହାଇଟେକ୍‌ କଲେଜକୁ ନୋଟିସ୍‌ କରାଯିବ। ନୋଟିସ୍‌ ପାଇବା ପରେ କଲେଜ କର୍ତୃପକ୍ଷ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ହାଜର ହୋଇ କଲେଜରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଓ ସିସି କ୍ୟାମେରା ସମ୍ପର୍କରେ ସୂଚନା ଦେବେ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, କମିସନରେଟ ପୁଲିସ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଓ ହଷ୍ଟେଲର ସୁରକ୍ଷା ନେଇ କେତେକ ନିୟମ ରହିଛି। ହାଇଟେକ୍‌ କର୍ତୃପକ୍ଷ ଏହି ନିୟମ ସବୁ ପାଳନ କରୁଥିଲେ ନା ନାହିଁ ତାର ତର୍ଜମା କରାଯିବ। ଯେଉଁ ଭଳି ଭାବେ ଏକ କ୍ୟାମ୍ପସ ଭିତରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଗଲା ଏଥିରୁ ସ୍ପଷ୍ଟ ହେଉଛି, ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ ଢିଲା ଅଛି। ତେଣୁ ଭବିଷ୍ୟତରେ କଲେଜରେ ଏଭଳି ଅଘଟଣ ନ ଘଟିବା ସହିତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କଲେଜ କର୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରାଯିବ ବୋଲି କମିସନର ଖୁରାନିଆ କହିଛନ୍ତି।

କେବଳ ହାଇଟେକ୍‌ କଲେଜ କାହିଁକି କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନ, ହଷ୍ଟେଲ ମାଲିକମାନଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯିବ। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ସେମାନେ କି ପଦକ୍ଷେପ ନେଇଛନ୍ତି ତୁରନ୍ତ ସ୍ଥାନୀୟ ଥାନାକୁ ଜଣାଇବେ। ତେବେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗର ସତ୍ୟତାକୁ ନେଇ ଏବେ ବି ସନ୍ଦେହ ରହିଛି। ଉଭୟ ପୀଡ଼ିତା ଛାତ୍ରୀ ଓ ଅଭିଯୁକ୍ତ ମନୋଜ ଖଟୁଆର ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ। ତେଣୁ ଡାକ୍ତରୀ ମାଇନା ରିପୋର୍ଟକୁ ସମସ୍ତେ ଅପେକ୍ଷା କରିଛନ୍ତି।

ଏଠାରେ ପ୍ରକାଶଥାଉ କି,ମଙ୍ଗଳବାର ରାତିରେ ହାଇଟେକ୍‌ କଲେଜର ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ସେହି କଲେଜର ଜଣେ ଆଟେଣ୍ଡାଣ୍ଟ୍‌(କେୟାର ଟେକର) ମନୋଜ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ମନୋଜକୁ ଗିରଫ କରି ଜେଲ୍‌ ପଠାଇଛି। କିନ୍ତୁ ମନୋଜ ତାଙ୍କ ବିରୋଧରେ ହୋଇଥିବା ଏଭଳି ଅଭିଯୋଗକୁ ଖଣ୍ଡନ କରିିଛନ୍ତି।

ଡାକ୍ତରୀ ଛାତ୍ରୀ ମିଥ୍ୟା ଅଭିଯୋଗ ଆଣିଛନ୍ତି

ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗରେ ଅନେକ ତ୍ରୁଟି ରହିଛି। ଯାହା ଜଣା ପଡ଼ୁଛି ସେ ଅତ୍ୟନ୍ତ ତରବରିଆ ଭାବେ ଏତଲା ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଅଭିଯୁକ୍ତ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି। ଯାହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ। ଏତଲାରେ ଡାକ୍ତରୀ ଛାତ୍ରୀ ଲେଖିଛନ୍ତି ଆଟେଣ୍ଡାଣ୍ଟ ତାଙ୍କୁ ଛାତ୍ରାବାସର ଉପର ମହଲରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ରୁମ୍‌କୁ ନେଇ ଦୁଷ୍କର୍ମ କରିଥିଲେ। ଏହି ସମୟରେ ସେ ମୋତେ ଛାଡି ଦିଅ ଛାଡି ଦିଅ ବୋଲି ପାଟି କରୁଥିଲେ। ଏଠି ପ୍ରଶ୍ନ ଉଠୁଛି, ଯଦି ଛାତ୍ରୀ ଜଣକ ପାଟି କରିଥିଲେ। ଛାତ୍ରାବାସର କ’ଣ କୌଣସି ଛାତ୍ର ଏହା ଶୁଣି ପାରି ନ ଥିଲେ ? ତେବେ ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ଘଟଣା କ’ଣ ସ୍ପଷ୍ଟ ହୋଇଯିବ।
ଅବିନାଶ ମହାନ୍ତି, ଅଭିଯୁକ୍ତଙ୍କ ଓକିଲ

ସତ ଶୀଘ୍ର ପଦାକୁ ଆସିବା ଉଚିତ

ଜଣେ ଡାକ୍ତରୀ ଛାତ୍ରୀଙ୍କୁ କ୍ୟାମ୍ପସ ଭିତରେ ସେହି କଲେଜର ଜଣେ ଆଟେଣ୍ଡାଣ୍ଟ ଦୁଷ୍କର୍ମ କରିବା ଘଟଣା ଯେତିକି ସାଂଘାତିକ ସେତିକି ଆଶ୍ଚର୍ଯ୍ୟଜନକ। ଏଭଳି ସମୟରେ ଅଭିଯୁକ୍ତ ମନୋଜ ଗଣମାଧ୍ୟମକୁ ଦେଇଥିବା ବୟାନ ମଧ୍ୟ ଅନେକକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ତେଣୁ ସତ କ’ଣ ତାହା ପଦାକୁ ଆସିବା ଉଚିତ।
ତାପସ ଦାସ, ସମ୍ପାଦକ, ଭୁବନେଶ୍ୱର ଓକିଲ ସଂଘ

ସମ୍ବନ୍ଧିତ ଖବର