ନନ୍ଦନକାନନରେ ଗ୍ରୀଷ୍ମ ପ୍ରକୋପ: ଆରାମ ପାଇଁ ଦିନକୁ ୩ଥର ଗାଧୋଉଛନ୍ତି ହାତୀ

ଘର ଉପରେ ନଡ଼ା ଓ ତାଟ ଛପର, ଭିତରେ କୁଲର୍‌ ଓ ବରଫ ପାଣି ବ୍ୟବସ୍ଥା

ବାରଙ୍ଗ: ରାଜ୍ୟବ୍ୟାପୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୩ ସର୍ବାଧିକ ଉତ୍ତପ୍ତ ସହର ମଧ୍ୟରେ ଗତ କିଛି ଦିନ ହେଲା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ରହି ଆସୁଛି। ଦିନ ୧୦ଟା ପରେ ସୂର୍ଯ୍ୟଙ୍କ ପ୍ରକୋପ ବଢ଼ିବା ସହ ତାପମାତ୍ରା ୪୦ ଡିଗ୍ରି ଡେଇଁ ଯାଉଛି। ମଣିଷଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ; ସମସ୍ତେ କଲବଲ ହେଉଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ପଶୁପକ୍ଷୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଗରମରେ ଛଟପଟ ହେବା ସହ ନିଜ ନିଜ ଖୁଆଡ଼ ମଧ୍ୟରେ ଶୋଇ ରହୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଭଳି ଚଳିତବର୍ଷ ନନ୍ଦନକାନନ କର୍ତୃପକ୍ଷ ଗ୍ରୀଷ୍ମ ଦାଉରୁ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ବ୍ୟାପକ ବ୍ୟବସ୍ଥା କରିଛନ୍ତି।

ଦିଆଯାଉଛି ଶୀତଳ ଖାଦ୍ୟ
ସିମ୍ପାଞ୍ଜି, ଓରାଙ୍ଗ-ଉଟାନଙ୍କୁ ଦିଆଯାଉଛି
ପଇଡ଼ ପାଣି ଓ ତରଭୁଜ

ପୂର୍ବ ପ୍ରସ୍ତୁତ ଯୋଜନା ମୁତାବକ, ଚଳିତ ମାସ ୧ ତାରିଖରୁ ନନ୍ଦନନକାନନର ମୋଟ ୨୦୧୦ ଖୁଆଡ଼ ମଧ୍ୟରେ ରହୁଥିବା ୧୧୭୫ ସ୍ତନ୍ୟପାୟୀ, ୧୫୫୬ ପକ୍ଷୀ, ୨୬୨ ସରୀସୃପ ଓ ୨୧ ପ୍ରଜାତିର ଉଭୟଚର ଜୀବଙ୍କୁ ନେଇ ୧୫୪ ପ୍ରଜାତିର ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ବ୍ୟାପକ ବ୍ୟବସ୍ଥା ଲାଗୁ କରାଯାଇଛି। ସମସ୍ତ ଜୀବଜନ୍ତୁଙ୍କ ଘରକୁ ଥଣ୍ଡା ରଖିବା ଲାଗି ସେମାନଙ୍କ ଘର ଉପରେ ନଡ଼ା ଓ ବାଉଁଶ ତାଟରେ ଛପର କରାଯାଇଛି। ବାଘ, ଭାଲୁ, ସିଂହ ଘରେ ଥଣ୍ଡା ବରଫ ପାଣି ପକାଇବା ଓ ସେମାନଙ୍କ ଖୁଆଡ଼ର କୁଣ୍ଡରେ ପର୍ଯ୍ୟାପ୍ତ ପାଣି ରଖିବାର ବ୍ୟବସ୍ଥା ହୋଇଛି। ଅଧିକ ଗରମ ଅନୁଭୂତ ହେବାରୁ ସେମାନେ ସେହି ପାଣିରେ ବାରମ୍ବାର ଗାଧୋଇ ଦେହକୁ ଥଣ୍ଡା କରୁଥିବା ଦେଖିବାକୁ ମିଳୁଛି। ଧଳା ବାଘୁଣୀ ବିଜୟା ଓ କଳା ହିମାଳୟ ଭାଲୁ ଗୌରୀ ଗରମ ସହ୍ୟ କରିନପାରି ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ସିମ୍ପାଞ୍ଜି, ଓରାଙ୍ଗ-ଉଟାନ ଓ ସରୀସୃପମାନଙ୍କ ଘରକୁ ଥଣ୍ଡା ରଖିବା ଲାଗି ସେମାନଙ୍କ ଘରେ କୁଲର ଲଗାଯାଇଛି। ସେମାନଙ୍କୁ ଶୀତଳ ଖାଦ୍ୟ ଆକାରରେ ତରଭୁଜ ଓ ଫଳ ଦିଆଯାଉଛି। ପଇଡ଼ ପାଣି ମଧ୍ୟ ପିଇବାକୁ ଦିଆଯାଉଛି। ହାତୀମାନଙ୍କୁ ଦିନକୁ ୩ଥର ଗାଧୋଇବା ସହ ଆଖୁ, କଦଳୀ ଖାଇବାକୁ ଦିଆଯାଉଛି। ଇଷ୍ଟର୍ଣ୍ଣ ରୋଜେଲା, ଜାଣ୍ଡିଆ କନର, ଲରିପାରକିଟ୍‌, କକାଟିଲ, ପ୍ରେମ ପକ୍ଷୀ ପ୍ରଭୃତିଙ୍କ ଲାଗି କାକୁଡ଼ି, ତରଭୁଜ, କଦଳୀ, ଅଙ୍ଗୁର, ସେଓ ଖାଦ୍ୟ ଆକାରରେ ଦିଆଯାଉଛି।ସେହିପରି ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନେ ମୁଣ୍ଡରେ ଗାମୁଛା, ଟୋପି, ଆଖିରେ ଚଷମା ଲଗାଇ ହାତରେ ପାଣି ବୋତଲ ଧରି ବୁଲୁଥିବା ଦେଖିବାକୁ ମିଳୁଛି। କେତେକ ପର୍ଯ୍ୟଟକ ମଧ୍ୟ ଖରା ଦାଉରୁ ରକ୍ଷା ପାଇବା ପାଇଁ ହାତରେ ଛତା ଧରି ବୁଲୁଥିବା ଦେଖିବାକୁ ମିଳୁଛି।

ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ପ୍ରାଣୀ ଚିକିତ୍ସକ ବଳରାମ ସାହୁଙ୍କ ସମେତ ନନ୍ଦନକାନନ ଚିକିତ୍ସକ, ରେଞ୍ଜ ଅଫିସର୍‌, କର୍ମଚାରୀମାନଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ପ୍ରତି ମୁହୂର୍ତରେ ଜୀବଜନ୍ତୁଙ୍କ ସ୍ଥିତି ନିରୀକ୍ଷଣ କରାଯାଇ ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯାଉଛି। ଜୀବଜନ୍ତୁଙ୍କ ହାଲିଆ ମେଣ୍ଟାଇବା ପାଇଁ ସେମାନଙ୍କ ପାନୀୟରେ ଗ୍ଲୁକୋଜ ମିଶ୍ରଣ କରି ଦିଆଯାଉଛି। ଆବଶ୍ୟକ ପଡ଼ିଲେ ଚିକିତ୍ସା ଲାଗି ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ୍‌ ରଖାଯାଇଛି। ଖରା ଦିନ ସରିବା ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ଲାଗୁ ରହିବ। ବର୍ଷା ଆଗମନରେ ବାୟୁମଣ୍ଡଳ ଉଷ୍ମତା ହ୍ରାସ ପାଇବା ପରେ ବ୍ୟବସ୍ଥାରେ ପରିବର୍ତନ କରାଯିବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର