‘ରାଗମାଳା’ର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ସମାରୋହ ଉଦ୍‌ଯାପିତ

ଭୁବନେଶ୍ୱର: ‘ରାଗମାଳା’ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ‘ଅଷ୍ଟମ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ସମାରୋହ-୨୦୧୮’ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ କଣ୍ଠଶିଳ୍ପୀ ଦୀପଶିଖା ଷଡ଼ଙ୍ଗୀଙ୍କ ପରିବେଷିତ ଏକକ ଶାସ୍ତ୍ରୀୟ କଣ୍ଠ ସଂଗୀତ ପ୍ରେକ୍ଷାଳୟରେ ମାଦକତା ଭରି ଦେଇଥିଲା। ୟମନ୍‌ ରାଗରେ ବଡ଼ା ଖୟାଲ୍‌ରେ ସେ ପ୍ରଥମେ ପରିବେଷଣ କରିଥିଲେ ‘ପଲ୍‌କନ୍‌ ପେ ମଗ୍‌ଝାରୁ ମାଇ….’, ଏହାପରେ ତ୍ରିତାଲ୍‌ ରାଗରେ ଛୋଟା ଖୟାଲ୍‌ ‘ତୁ ଜଗ୍‌ମେ ସରମ୍‌ ରଖ୍‌ ମେରି…’ ଓ ଶେଷରେ ‘ଜିସ୍‌କା ରଖ୍‌ଓ୍ଵାଲା ହୈ ରାମ୍‌….’ ଭଜନ ପରିବେଷଣ କରିଥିଲେ। ଏହାପରେ କଣ୍ଠଶିଳ୍ପୀ ଆୟୂଷ ବିଶ୍ୱାଳ ଓ ସଂଗୀତା ରାଉତ ସଂଗୀତ ଗାନ କରିଥିଲେ। ‘ରାଗମାଳା’ର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶାସ୍ତ୍ରୀୟ ବୃନ୍ଦ ଗାୟନ ବେଶ୍‌ ଚମତ୍କାର ଥିଲା। ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ମୁଖ୍ୟ ଅତିଥି ଓ ବିଶିଷ୍ଟ ନାଟ୍ୟକାର ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଗୁରୁ ରଜନୀକାନ୍ତ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାଗର କୁମାର ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର