ହିନ୍ଦୁତ୍ୱ ଏକ ସ୍ୱଦେଶୀ ଚିନ୍ତାଧାରା ନୁହେଁ: ଗୁହା

୨୭ତମ ଗୋପୀନାଥ ମହାନ୍ତି ସ୍ମାରକୀ ବକ୍ତତା

ଭୁବନେଶ୍ୱର: ହିନ୍ଦୁତ୍ୱ ଏକ ସ୍ୱଦେଶୀ ଚିନ୍ତାଧାରା ନୁହେଁ। ଏହା ଅଧା ୟୁରୋପୀୟ ଓ ଅଧା ମୌଳବାଦୀ ମୁସଲିମ୍‌ ଚିନ୍ତାଧାରା। ଏହାର ରାଜନୈତିକ ଚିନ୍ତାଧାରା ହେଉଛି ଭାରତକୁ ଏକ ମଧ୍ୟଯୁଗୀୟ ଇସଲାମିକ୍‌ ଦେଶରେ ପରିଣତ କରିବା। ତେଣୁ ଏଭଳି ଚିନ୍ତାଧାରାକୁ ରୋକା ନଗଲେ ଦେଶ କ୍ଷତିଗ୍ରସ୍ତ ହେବ। ଆଜି ଜୟଦେବ ଭବନରେ ଓଡ଼ିଶା ସାହିତ୍ୟ ଏକାଡେମି ଓ ଗୋପୀନାଥ ଇଣ୍ଟରନ୍ୟାସନାଲ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଗୋପୀନାଥ ମହାନ୍ତିଙ୍କ ୨୭ତମ ସ୍ମାରକୀ ବକ୍ତତା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ବିଶିଷ୍ଟ ଐତିହାସିକ ତଥା ସ୍ତମ୍ଭକାର ରାମଚନ୍ଦ୍ର ଗୁହା।

ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହରି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ଦେଶପ୍ରେମ ବନାମ ଅନ୍ଧ ରାଷ୍ଟ୍ରବାଦ’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ଶ୍ରୀ ଗୁହା କହିଲେ, ଊନ୍ନବିଂଶ ଶତାବ୍ଦୀରେ ୟୁରୋପରେ ରାଷ୍ଟ୍ରବାଦ ଚିନ୍ତାଧାରାର ବିକାଶ ଘଟିଥିଲା। ଏହି ମଡେଲର ମୁଖ୍ୟ ବୈଶିଷ୍ଟ୍ୟ ଥିଲା ସମସ୍ତଙ୍କର ଗୋଟିଏ ଧର୍ମ, ଭାଷା ଓ ସାଧାରଣ ଶତ୍ରୁ। ପାକିସ୍ତାନ ଓ ଇସ୍ରାଇଲ ହେଉଛି ଏହାର ଦୁଇଟି ପ୍ରମୁଖ ଉଦାହରଣ। ମାତ୍ର ଭାରତରେ ଏଭଳି ରାଷ୍ଟ୍ରବାଦ ଚିନ୍ତାଧାରା ଜନ୍ମ ନେଇନାହିଁ। ଭାରତୀୟ ରାଷ୍ଟ୍ରବାଦର ମଡେଲ ହେଉଛି ଏହାର ଓଲଟା। ଏହା ମୁଖ୍ୟତଃ ୫ଟି କ୍ଷେତ୍ର ଉପରେ ପର୍ଯ୍ୟବସିତ। ବିବିଧତାକୁ ସ୍ୱୀକୃତି, ବିଭିନ୍ନସ୍ତରରେ ରାଷ୍ଟ୍ରବାଦକୁ ପାଳନ କରିବା, କୌଣସି ଧର୍ମ କିମ୍ବା ରାଜ୍ୟ ତ୍ରୁଟିଶୂନ୍ୟ ନୁହେଁ, ସମାଜରେ ଘଟୁଥିବା ବିଲକ୍ଷଣରେ ନିଜକୁ ଲଜ୍ଜିତ ମନେ କରିବା ଏବଂ ଅନ୍ୟ ସଂସ୍କୃତି ଓ ଧର୍ମଠାରୁ ଶିକ୍ଷା ଗ୍ରହଣ କରିବା ଉପରେ ଭାରତୀୟ ରାଷ୍ଟ୍ରବାଦର ମଡେଲ କାର୍ଯ୍ୟ କରିଥାଏ। ମାତ୍ର ଏହି ମଡେଲକୁ ବର୍ତମାନର ମଡେଲ ଚ୍ୟାଲେଞ୍ଜ କରୁଛି। ଗୋଟିଏ ଭାଷା, ଧର୍ମ ଓ ସାଧାରଣ ଶତ୍ରୁକୁ ନେଇ ଆଜିର ଭାରତୀୟ ରାଷ୍ଟ୍ରବାଦକୁ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ଦେଶପ୍ରେମ ବନାମ ଅନ୍ଧ ରାଷ୍ଟ୍ରବାଦ ମଧ୍ୟରେ ଯଥେଷ୍ଟ ଫରକ ରହିଛି। ନିଜ ଦେଶକୁ ଭଲ ପାଇବା ଓ ପରସ୍ପର ମଧ୍ୟରେ ଭଲ ପାଇବା ବାଣ୍ଟିବା ଦେଶପ୍ରେମ। ମାତ୍ର ଅନ୍ଧ ରାଷ୍ଟ୍ରବାଦ ଘୃଣା ଓ ପ୍ରତିଶୋଧ ଉପରେ ପର୍ଯ୍ୟବସିତ। ସେହିପରି ଦେଶପ୍ରେମୀମାନେ ସମାଲୋଚନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ବେଳେ ଅନ୍ଧ ରାଷ୍ଟ୍ରବାଦୀମାନେ ସମାଲୋଚନାକୁ ଦେଶଦ୍ରୋହୀର ଆଖ୍ୟା ଦେଇଥାନ୍ତି। ଦେଶପ୍ରେମୀମାନଙ୍କର କୌଣସି ରାଜନୈତିକ ଦଳ ନ ଥିବା ବେଳେ ଅନ୍ଧ ରାଷ୍ଟ୍ରବାଦୀମାନଙ୍କ ଦଳ ରହିଛି। ସେମାନେ ନିଜକୁ ପ୍ରତିନିଧିତ୍ୱ କରିପାରୁଛନ୍ତି।

ଆଜିର ସମୟରେ ଅନ୍ଧ ରାଷ୍ଟ୍ରବାଦ ଗଢ଼ି ଉଠିବା ପଛରେ ଅନେକଗୁଡ଼ିଏ କାରଣ ମଧ୍ୟ ରହିଛି। ବାମପନ୍ଥୀ ଦଳମାନଙ୍କ ମଧ୍ୟରେ ଦେଶକୁ ନେଇ ଛଳନା ରହିଛି। ବାମପନ୍ଥୀମାନେ ସବୁବେଳେ ନିଜ ଦେଶ ଅପେକ୍ଷା ଅନ୍ୟ ଦେଶକୁ ଅଧିକ ପ୍ରଶଂସା କରିଥାନ୍ତି। ସେହିପରି କଂଗ୍ରେସ ଦଳରେ ବ୍ୟାପକ ଦୁର୍ନୀତି ଓ ପରିବାରବାଦ, ବିଶ୍ୱର ପ୍ରତ୍ୟେକ ଦେଶ ଅନ୍ୟଠାରୁ ନିଜକୁ ଅସୁରକ୍ଷିତ ମନେ କରିବା ଓ ଇସଲାମିକ୍‌ ମୌଳବାଦୀ ହେଉଛି ଅନ୍ଧ ରାଷ୍ଟ୍ରବାଦର ପ୍ରମୁଖ କାରଣ। କଂଗ୍ରେସ ଓ ବାମପନ୍ଥୀମାନଙ୍କ ତ୍ରୁଟି ଯୋଗୁଁ ଦେଶରେ ଅନ୍ଧ ରାଷ୍ଟ୍ରବାଦ ଗଢ଼ି ଉଠିଛି ବୋଲି ଶ୍ରୀ ଗୁହା ମତବ୍ୟକ୍ତ କରିଥିଲେ।
ଟ୍ରଷ୍ଟର ଅଧ୍ୟକ୍ଷ ଓଁକାରନାଥ ମହାନ୍ତି କହିଲେ, ଓଡ଼ିଶାର ପ୍ରଗତିଶୀଳ ସାହିତ୍ୟ ଓ ଅନ୍ୟ ରାଜ୍ୟର ସାହିତ୍ୟ ମଧ୍ୟରେ ଏକ ସେତୁ ସୃଷ୍ଟି କରିବା ହେଉଛି ଏହି ସ୍ମାରକୀ ବକ୍ତତାର ମୁଖ୍ୟ ଉଦ୍ଦେଶ୍ୟ। ପୂର୍ବରୁ ସ୍ୱର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଥିବା େଓ୍ଵବ୍‌ସାଇଟକୁ ପୁନର୍ବାର ଚାଲୁ କରାଯାଇଛି। ଏଥିରେ ୨୩ଟି ଅଧ୍ୟାୟରେ ସ୍ୱର୍ଗତ ମହାନ୍ତିଙ୍କ ରହିଥିବା ଲେଖା ଓ କାର୍ଯ୍ୟକୁ ସ୍ଥାନ ଦିଆଯାଇଛି। ଏହାସହ ବିଭିନ୍ନ ସମୟର ୪ଟି କଥୋପକଥନକୁ େଓ୍ଵବସାଇଟ୍‌ରେ ସ୍ଥାନିତ କରାଯାଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଏହି ଅବସରରେ ୩ଟି ପୁସ୍ତକ ଲୋକାର୍ପିତ ହୋଇଥିଲା। ପ୍ରାରମ୍ଭରେ ଏକାଡେମିର ସଚିବ ଜୟନ୍ତୀ ରଥ ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟର ସଚିବ ଅମୃତନାଥ ମହାନ୍ତି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର