ଭୁବନେଶ୍ବର: ଆସନ୍ତାକାଲିଠାରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା। ମେଳାରେ ବିକ୍ରିବଟା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାରର ଷ୍ଟଲ୍ ଖୋଲିବ। କିନ୍ତୁ ଏଥର ଏଥିରେ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ବା ଓସାକ୍ସ୍ ପକ୍ଷରୁ ଏକ ନିଆରା ଷ୍ଟଲ ଖୋଲିବାକୁ ଯାଉଛି। ଏହି ଷ୍ଟଲ୍ରେ ମାଗଣାରେ ଏଚ୍ଆଇଭି ପରୀକ୍ଷା କରାଯିବ। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆଦିବାସୀ ମେଳାରେ ପ୍ରବଳ ଲୋକ ଗହଳିକୁ ନଜରରେ ରଖି ଓସାକ୍ସ ପକ୍ଷରୁ ଏହି ଷ୍ଟଲ୍ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଷ୍ଟଲ୍ରେ ସ୍ବେଚ୍ଛାସେବୀମାନଙ୍କୁ ନିଯୁକ୍ତ କରାଯିବ। ଯେଉଁ ବ୍ୟକ୍ତିମାନେ ନିଜ ଆଡ଼ୁ ଏହି ପରୀକ୍ଷା କରିବା ପାଇଁ ଚାହିଁବେ ସେମାନଙ୍କ ଏହି ପରୀକ୍ଷା କରାଯିବ। ଓସାକ୍ସ ପକ୍ଷରୁ ରାଜ୍ୟବ୍ୟାପୀ ସ୍କ୍ରିନିଂକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଆଦିବାସୀ ମେଳା ଏ ଦିଗରେ ସହାୟକ ହୋଇପାରିବ ବୋଲି କୁହାଯାଇଛି।
ଏହା ସହିତ ଓସାକ୍ସ ପକ୍ଷରୁ ଏଚ୍ଆଇଭି/ଏଡ୍ସ ସଚେତନତା ପାଇଁ ରବିବାର ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଏକ ପ୍ରଜ୍ଞାପନ ମେଢ଼ ଶୋଭା ପାଇବ। ୨୪ଫୁଟ୍ ଲମ୍ବ, ୧୬ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ମେଢ଼ରେ ଗତ ବିଶ୍ବ ଏଡ୍ସ ଦିବସର ବିଷୟବସ୍ତୁ ଶୋଭାପାଇବ। ଗତ ବିଶ୍ବ ଏଡ୍ସ ଦିବସର ବିଷୟବସ୍ତୁ ରହିଥିଲା ‘ ଗୋଷ୍ଠୀ ଦ୍ବାରା ପରିବର୍ତନ’।
ଆୟୁଷ ଚିକିତ୍ସାର ଷ୍ଟଲ୍
ଆଦିବାସୀ ମେଳାରେ ଆୟୁଷ ବିଭାଗ ନିଜର ଷ୍ଟଲ ଖୋଲୁଛି। ଏହି ଷ୍ଟଲ୍ରେ ଆୟୁଷର ପଞ୍ଚକର୍ମ, କ୍ଷାରସୂତ୍ର, ମା-ଶିଶୁ ଯତ୍ନ ଭଳି ଚିକିତ୍ସା ସମ୍ବନ୍ଧରେ ଲୋକମାନଙ୍କୁ ସୂଚନା ଦିଆଯିବ। ପ୍ରତ୍ୟେକ ଦିନ ୨ଜଣ ଡାକ୍ତର ଏହି ଷ୍ଟଲରେ ଉପସ୍ଥିତ ରହି ଲୋକମାନଙ୍କୁ ଏ ସଂପର୍କରେ ସୂଚନା ଦେବେ। ଏହାସହ ବଡ଼ ଡିସ୍ପ୍ଲେ’ ଜରିଆରେ ମଧ୍ୟ ଆୟୁଷ ଚିକିତ୍ସା ସମ୍ବନ୍ଧରେ ସୂଚନା ଦିଆଯିବ। ଆୟୁଷକୁ ଅଧିକ ଲୋକପ୍ରିୟ କରିବା ଲାଗି ଲିଫଲେଟ୍, ଆଇଇସି ପୁସ୍ତିକା ମଧ୍ୟ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।