ଭୁବନେଶ୍ୱରକୁ ପୁଣି ହକି ଜ୍ୱର

ଭୁବନେଶ୍ୱର ଏବେ ପାଲଟିଗଲାଣି ଭାରତର ଅନ୍ୟତମ ହକି ହବ୍‌। କେତେବେଳେ ଚାମ୍ପିଅନ୍ସ ଟ୍ରଫି ତ କେତେବେଳେ ହକି ଇଣ୍ଡିଆ ଲିଗ୍‌। ଚଳିତ ବର୍ଷ ଆରମ୍ଭରେ କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ର ବେଶ୍‌ କେତୋଟି ରୋମାଞ୍ଚକର ମ୍ୟାଚ୍‌ ବି ଅନୁଷ୍ଠିତ ହୋଇଥିଲା। କିଛି ମାସର ବ୍ୟବଧାନ ପରେ ଏବେ ପୁଣିଥରେ ଭୁବନେଶ୍ୱରକୁ ଫେରିଛି ଆଉ ଏକ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା। ମାତ୍ର ୫ ଦିନ ପରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ବିଶ୍ୱ ହକି ଲିଗ୍‌ ଫାଇନାଲ। ଏଥିପାଇଁ ସବୁ ପ୍ରସ୍ତୁତି ସରି ଆସିଲାଣି। ରାସ୍ତା ମଝିରେ ଶୋଭା ପାଇଲାଣି ୮ଟି ଦେଶର ଜାତୀୟ ପତାକା। ବିମାନବନ୍ଦରଠାରୁ ତାରକା ହୋଟେଲ ପର୍ଯ୍ୟନ୍ତ ସବୁଠି ହକିକୁ ନେଇ ସରଗରମ ଚର୍ଚା। କେଉଁଠି ରହିବେ ଖେଳାଳି, କ’ଣ ଖାଇବେ, କିଭଳି ସମ୍ବର୍ଧନା ଦିଆଯିବ, ସେନେଇ ବି ଯୋଜନା ସରିଛି। ଭାରତୀୟ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ ଜାରି ରଖିଥିବା ବେଳେ ଆଜି ପହଞ୍ଚିଛି କୋରିଆ ଟିମ୍‌। ୮ଟି ଦେଶକୁ ନେଇ ଅନୁଷ୍ଠିତ ହେବାକୁ ଏହି ପ୍ରତିଯୋଗିତାରେ ପାଇଁ ଚଳଚଞ୍ଚଳ ହୋଇଉଠିଛି ସାରା ରାଜଧାନୀ।

୫ ହୋଟେଲରେ ରହିବେ ଖେଳାଳି, ଅଧିକାରୀ

ବିଶ୍ୱ ହକି ଲିଗ୍‌ ଫାଇନାଲରେ ଭାଗନେଉଥିବା ୮ଟି ଦେଶର ଖେଳାଳିଙ୍କ ସମେତ ଅଧିକାରୀ ଭୁବନେଶ୍ୱର ଆସୁଛନ୍ତି। ସେମାନଙ୍କ ରହିବା ଲାଗି ସହରର ୫ଟି ହୋଟେଲ ବୁକିଂ ହୋଇଛି। ତିନୋଟି ହୋଟେଲରେ ଖେଳାଳିଙ୍କ ରହିବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ଦୁଇଟିରେ ଅଧିକାରୀମାନେ ରହିବେ। ଟ୍ରାଇଡେଣ୍ଟ ହୋଟେଲରେ ଭାରତୀୟ ଖେଳାଳି ରହିଥିବା ବେଳେ ଜର୍ମାନୀ ଦେଶର ଖେଳାଳି ମଧ୍ୟ ସେଠାରେ ରହିବେ। ଅଷ୍ଟ୍ରେଲିଆ ଓ ବେଲଜିୟମ୍‌ର ଖେଳାଳି ହୋଟେଲ ସାଣ୍ଡିଜ୍‌ ଟାଓ୍ଵାର ଏବଂ ଇଂଲଣ୍ଡ, ନେଦରଲ୍ୟାଣ୍ଡ, ଆର୍ଜେଣ୍ଟିନା ଏବଂ ସ୍ପେନ୍‌ ଦେଶର ଖେଳାଳି ହୋଟେଲ ମେ’ ଫେୟାର ଲାଗୁନ୍‌ରେ ରହିବା ଲାଗି ସ୍ଥିର ହୋଇଛି। ମେ’ ଫେୟାରରେ କେତେଜଣ ଅଧିକାରୀ ମଧ୍ୟ ରହିବେ। ହୋଟେଲ ଏଚ୍‌ଏଚ୍‌ଆଇରେ ହକି ଇଣ୍ଡିଆର ବୋର୍ଡ ସଦସ୍ୟ ଏବଂ ବିଦେଶୀ ଗଣମାଧ୍ୟମ ପ୍ରତିନିଧିଙ୍କ ରହିବା ଲାଗି ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ହୋଟେଲ ଫର୍ଚୁନ୍‌ ଟାଓ୍ଵାରରେ ଅନ୍ତର୍ଜାତୀୟ ହକି ମହାସଂଘର ଏକ୍ସୁକେଟିଭ୍‌ ବୋର୍ଡ ସଦସ୍ୟ ରହିବେ।

ଭାରତୀୟ ଖେଳାଳିଙ୍କ ପସନ୍ଦ ଓଡ଼ିଆ ଖାଦ୍ୟ

ଖେଳାଳିଙ୍କ ପସନ୍ଦ ଅନୁଯାୟୀ ଖାଦ୍ୟ ପରଷାଯିବ। ଟିମ୍‌ ମ୍ୟାନେଜ୍‌ମେଣ୍ଟ ଯେଉଁ ଲିଷ୍ଟ ଦେବେ ସେହିଭଳି ଭାବେ ଖାଦ୍ୟ ତିଆରି ହେବ। ଏବେ ହୋଟେଲ ଟ୍ରାଇଡେଣ୍ଟରେ ଭାରତର ଖେଳାଳି ରହୁଥିବାରୁ ସେମାନଙ୍କୁ ଭାରତୀୟ ଖାଦ୍ୟ ପରଷା ଯାଉଛି। ସେମାନଙ୍କ ମଧ୍ୟରୁ କେତେକ ଖେଳାଳି ଓଡ଼ିଆ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ହୋଟେଲ ସାଣ୍ଡିଜ୍‌ ଟାଓ୍ଵାରର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଦୁଇ ଦେଶର ଖେଳାଳି ଦୁଇଟି ଫ୍ଲୋରରେ ରହିବେ। ଟିମ୍‌ ମ୍ୟାନେଜ୍‌ମେଣ୍ଟର ପସନ୍ଦ ଅନୁଯାୟୀ ଆମେ ଖାଦ୍ୟ ପରଷିବୁ। ଏଠାରେ କେବଳ ବିଦେଶୀ ଖେଳାଳି ରହିବେ। ତେଣୁ ସେମାନେ ଅଧିକ ତେଲ ଥିବା ଖାଦ୍ୟ ପସନ୍ଦ କରନ୍ତି ନାହିଁ। କଣ୍ଟିନେଣ୍ଟାଲ ଫୁଡ୍‌କୁ ପସନ୍ଦ କରିଥାନ୍ତି। ସେଭଳି ଖାଦ୍ୟ ତିଆରି କରାଯିବ। ଯଦି ସେମାନେ ଚାହିଁବେ ଓଡ଼ିଆ ଖାଦ୍ୟ ବି ଆମେ ଦେବୁ। ଶନିବାର ସୁଦ୍ଧା ମେ’ ଫେୟାର ହୋଟେଲ କର୍ତୃପକ୍ଷ ଖାଦ୍ୟ ତାଲିକା ପ୍ରସ୍ତୁତ କରିବେ ବୋଲି କହିଛନ୍ତି।

ରାଜଧାନୀ ରାସ୍ତାରେ ଉଡ଼ୁଛି ଜାତୀୟ ପତାକା

ଜୁଲାଇରେ ଏସିଅ ଦୌଡ଼କୁଦ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜିତ ହୋଇଥିବାରୁ ବିଶ୍ୱ ହକି ଲିଗ୍‌ ଫାଇନାଲକୁ ମଧ୍ୟ ସେଭଳି କରିବାକୁ ଲାଗିପଡ଼ିଛନ୍ତି ସମେସ୍ତ। କଳିଙ୍ଗ ଷ୍ଟାଡିୟମ୍‌ ସମ୍ମୁଖ ରାସ୍ତାରେ ୮ଟି ଦେଶର ଜାତୀୟ ପତାକା ଫର ଫର ହୋଇ ଉଡ଼ୁଛି। ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ରାସ୍ତାରେ ଯାଉଥିବା ଲୋକେ ମୁହୂର୍ତେ ଛିଡ଼ା ହୋଇ ଏସବୁ ପତାକାକୁ ଦେଖି ରୋମାଞ୍ଚିତ ହେଉଛନ୍ତି ଏବଂ ବିଭିନ୍ନ ଦେଶର ନିଜ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ଆଗ୍ର୍ରହ ପ୍ରକାଶ କରୁଛନ୍ତି।

ଓଡ଼ିଆ ପରମ୍ପରାରେ ସ୍ୱାଗତ

ବିଭିନ୍ନ ଦେଶର ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା ପରେ ସ୍ୱତନ୍ତ୍ର ବସ୍‌ରେ ସେମାନଙ୍କୁ ହୋଟେଲକୁ ଅଣାଯାଉଛି। ଆଉ ହୋଟେଲକୁ ପ୍ରବେଶ କରିବା କ୍ଷଣି ଓଡ଼ିଆ ପରମ୍ପରା ଅନୁଯାୟୀ ସେମାନଙ୍କୁ ପାଛୋଟି ନିଆଯାଉଛି। ସେମାନଙ୍କ ଉପରେ ଫୁଲ ପକାଯାଉଛି। ମୁଣ୍ଡରେ ଚନ୍ଦନ ଲଗାଯାଉଛି। ଯୁବତୀମାନେ ସମ୍ବଲପୁରୀ ଶାଢ଼ି ପିନ୍ଧି ଖେଳାଳିଙ୍କୁ ସ୍ୱାଗତ କରୁଛନ୍ତି।

ଖେଳାଳିଙ୍କୁ ଦେଖିବାକୁ ଭିଡ଼

ଦୁଇଟି ଦେଶର ଖେଳାଳି ଇତିମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିିଛନ୍ତି। ପୂର୍ବରୁ ଭାରତୀୟ ଖେଳାଳି ଆସିଥିବା ବେଳେ ଆଜି କୋରିଆ ଦଳ ବି ପହଞ୍ଚିଛି। ଖେଳାଳିଙ୍କୁ ଦେଖିବା ଲାଗି ବିମାନବନ୍ଦରରେ ହକିପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲେ ମଧ୍ୟ ଖେଳାଳିଙ୍କ ସହ ସେଲ୍‌ଫି ଉଠାଇବା ଲାଗି ସେମାନେ ଉଦ୍ୟମ କରୁଛନ୍ତି। କାହାକୁ ସଫଳତା ମିଳୁଛି ତ ଆଉ କିଏ ନିରାଶ ହେଉଛି। ଖେଳାଳି ପହଞ୍ଚିବା ପରେ ଟର୍ମିନାଲ ସମ୍ମୁଖରେ ଫଟୋ ସେସନ୍‌ କରାଯାଉଛି।

ଖେଳ ସମୟରେ ହେବ କି ପଥ ଉତ୍ସବ!

ଏସୀୟ ଦୌଡ଼କୁଦ ସମୟରେ ଆକର୍ଷଣ ପାଲଟିଥିଲା ପଥ ଉତ୍ସବ। ପ୍ରତି ରବିବାର ବିଏମ୍‌ସି ପକ୍ଷରୁ ଅନୁଷ୍ଠିତ ପଥ ଉତ୍ସବରେ ଖେଳପ୍ରେମୀଙ୍କ ମନରେ ଏହା ଉତ୍ସାହ ଭରିଥିଲା। ଖେଳାଳିମାନେ ମଧ୍ୟ ସାମିଲ ହୋଇଥିଲେ। ମାଷ୍ଟରକାଣ୍ଟିନ୍‌ ଛକରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାର ମଧ୍ୟ ଭାଗରେ ବିଭିନ୍ନ ଦେଶର ପତାକା ଉଡ଼ୁଥିଲା। ଏଥର କିନ୍ତୁ ସେଭଳି କିଛି ନାହିଁ। ପଥ ଉତ୍ସବ ପାଳିତ ହେଉ ନାହିଁ କି ପତାକା ଲାଗିନି। ରାସ୍ତା ଯେମିତି ଖାଁ ଖାଁ। ୪ ମାସ ହେଲା ପଥ ଉତ୍ସବ ବନ୍ଦ ହୋଇଥିଲେ ମଧ୍ୟ ଏଦିଗରେ ବିଏମ୍‌ସି କୌଣସି ପଦକ୍ଷେପ ନେଉନି। ପଥ ଉତ୍ସବ କେବେ ହେବ ସେନେଇ ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି। ଡିସେମ୍ବର ୧୦ ପର୍ଯ୍ୟନ୍ତ ଖେଳ ଚାଲିବାକୁ ଥିବାରୁ ପଥ ଉତ୍ସବ ପୁନଃ ଆୟୋଜନ ହେଉ ବୋଲି ସମସ୍ତେ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର