ପଥୋତ୍ସବରେ ହକି

ପାଖାପାଖି ବର୍ଷେ ପରେ ସପ୍ତାହ ତଳେ ରାଜଧାନୀକୁ ଫେରିଛି ପଥୋତ୍ସବ। ଚଳିତ ସଂସ୍କରଣର ଦ୍ବିତୀୟ ରବିବାରର ଶୀତୁଆ ସକାଳରେ ଜନପଥ ଲୋକାରଣ୍ୟ ହୋଇଥିବା ଦେଖାଯାଇଥିଲା। ରୋଜାଲିନ୍‌ ସାହୁଙ୍କ ‘ଦମ୍‌ ମାରୋ ଦମ୍‌’, ପ୍ରିନ୍‌ସ୍‌ ଡ୍ୟାନ୍‌ସ ଗ୍ରୁପ୍‌ର ଦଶାବତାର ନୃତ୍ୟ ସହ ରାସ୍ତାରେ ହକିର ଯାଦୁ ଭୁବନେଶ୍ବରିଆଙ୍କୁ ମନୋରଂଜନର ଅବସର ଆଣିଦେଇଛି। ଆଜି ସବୁଠାରୁ ଆକର୍ଷଣ ଥିଲେ ରୋଜାଲିନ୍‌ ସାହୁ। ମୁଖ୍ୟ ମଞ୍ଚରେ ରୋଜାଲିନ୍‌ ସଙ୍ଗୀତ ପରିବେଷଣ କରିଥିଲେ। ‘ନାହିଁ ମୋ ପାଦେ ଆଜି ନୂପୁର’ ଓଡ଼ିଆ ଗୀତ ସହ ଚର୍ଚ୍ଚିତ ହିନ୍ଦୀ ଗୀତ ‘ମେରେ ରସ୍‌କେ କମର’, ‘ଲୈଲା ମେ ଲୈଲା’ ଭଳି ଗୀତ ବେଶ୍‌ ଉପଭୋଗ୍ୟ ହୋଇଥିଲା। ତା’ ସହ ଆମ କଳାକାର, ତନୁଶ୍ରୀ, ରାହୁଲ, ବିଦୁ ଡ୍ୟାନସ୍‌ ଗ୍ରୁପ୍‌ର ନୃତ୍ୟକୁ ଦର୍ଶକ ଉପ‌ଭୋଗ କରିଥିଲେ। ଉତ୍ସବକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ।

ରଙ୍ଗୋଲିରେ ୧୬ ପତାକା
ନିର୍ମଳାକୃତି ବିକାଶ ନ୍ୟାସ ପକ୍ଷରୁ ଦିଲ୍ଲୀପ ପଟ୍ଟନାୟକ ଓ ସାଥୀଙ୍କ ଦ୍ବାରା ଓଡ଼ିଶାରେ ଆୟୋଜିତ ହକି ବିଶ୍ୱକପରେ ଭାଗ ନେଉଥିବା ୧୬ ଦେଶର ଜାତୀୟ ପତାକାର ରଙ୍ଗୋଲି ଚମତ୍କାର ହୋଇଥିଲା। ହକିକୁ ଭଲ ପାଉଥିବା ପ୍ରତ୍ୟେକଙ୍କ ପାଇଁ ଏହି ରଙ୍ଗୋଲି ସେ ସମର୍ପିତ କରିଥିଲେ। ସେଥିରେ ହକି ପ୍ରତି ଥିବା ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ଜାତୀୟସ୍ତରରେ ଖେଳିବା ପାଇଁ ପ୍ରସ୍ତୁତି ଚଳାଇଥିବା ରୋଲର ହକି ଖେଳାଳି ଶ୍ରୀତମ୍ ମିଶ୍ର ଓ ଉତ୍କଳ ୟୁନିକର୍ଣ୍ଣର ଅନ୍ୟ ସଦସ୍ୟମାନଙ୍କ ଦ୍ବାରା ରାସ୍ତା ଉପରେ ରୋଲର ହକି ଖେଳ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

 

ମୋ ସାଇକେଲ୍‌
ପଥୋତ୍ସବରେ ‘ମୋ ସାଇକେଲ୍‌’ର ଚାହିଦା ଥିଲା। ସକାଳ ସାଢ଼େ ୬ଟାରୁ ପ୍ରତ୍ୟେକ ଷ୍ଟଲ୍‌ ଖାଲି ହୋଇ ଯାଇଥିଲା। ନାରଙ୍ଗୀ ରଙ୍ଗର ନୂଆ ବାଟରେ ଗଡ଼ୁଥିବା ଏହି ମୋ ସାଇକେଲ୍‌ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।

ଖଦିରେ ମନ
ଖଦି ବୋର୍ଡ ପକ୍ଷରୁ ଏଠାରେ ଖଦି ମେଳା ଅନୁଷ୍ଠିତ ହୋଇଥିଲା। କାରିଗରମାନେ ସେଠାରେ ଅରଟ ପକାଇ ସୂତା କାଟିବା ସହ ଲୁଗା ବୁଣୁଥିଲେ। କୁମ୍ଭାର ପାରମ୍ପରିକ ଚକରେ ପାତ୍ର ଗଢ଼ୁଥିବା ବେଳେ ପାରମ୍ପରିକ ଘଣାରେ ସୋରିଷ ତେଲ ତିଆରି ହେବା ଦୃଶ୍ୟ ମଧ୍ୟ ଏକ ଗ୍ରାମୀଣ ଭାରତର ଚିତ୍ର ଆଙ୍କିଥିଲା।

ନାରୀ ସୁରକ୍ଷିତ ହେଲେ ସ୍ମାର୍ଟ ହେବ ଭୁବନେଶ୍ବର
ମହିଳା ଓ ଯୁବତୀଙ୍କ ପାଇଁ ସହର ସୁରକ୍ଷିତ ହେଲେ ଯାଇ ଭୁବନେଶ୍ବର ସ୍ମାର୍ଟ ହେବ। ଏଭଳି ସଚେତନତାର ବାର୍ତ୍ତା ନେଇ ପଥପ୍ରାନ୍ତ ନାଟକ ‘ଆହ୍ବାନ’ ଆୟୋଜନ କରିଥିଲା ଆକ୍ସନଏଡ୍‌। ଲିଙ୍ଗଭିତ୍ତିକ ହିଂସାର ବିଲୋପ ସହ ନାରୀ ସୁରକ୍ଷାର ବାର୍ତ୍ତାକୁ ନାଟକ ମାଧ୍ୟମରେ ଦର୍ଶକ ଉପଭୋଗ କରିଥିଲେ। ଏହା ସହିତ ସରକାରଙ୍କ ଆୟୁଷ ପକ୍ଷରୁ ସ୍ବାସ୍ଥ୍ୟ ଶିବିର, ଫୁଟବଲ୍‌, ମ୍ୟାଜିକ୍‌ ସୋ’, ଅଦରକାରୀ କାଗଜରେ ଦରକାରୀ ଜିନିଷ ପ୍ରସ୍ତୁତିରେ ଦର୍ଶକଙ୍କର ଆଗ୍ରହ ବାରି ହୋଇ ପଡ଼ୁଥିଲା।

ସମ୍ବନ୍ଧିତ ଖବର