କଳିଙ୍ଗରେ ହକି ମାୟା

ରାଜ୍ୟବାସୀଙ୍କୁ ଲାଗିଛି ହକିର ମାୟା। କେବେ ହକିର ଧାର ଧାରୁ ନଥିବା ବ୍ୟକ୍ତିମାନେ ବି ଏବେ ହକି ମାୟାରେ ବାୟା। ଓଡ଼ିଶାରେ ହକି ବିଶ୍ୱ ଲିଗ୍‌ ଭଳି ଅର୍ନ୍ତଜାତୀୟ ଖେଳ ଦେଖିବାର ଅବସରକୁ ହାତଛଡ଼ା କରିବାକୁ କେହି ଯେମିତି ପ୍ରସ୍ତୁତ ନୁହନ୍ତି। ଖାସ୍‌ ଏଇଥି ପାଇଁ ଆଜି ଉଦ୍‌ଘାଟନୀରେ ଖେଳ ଆରମ୍ଭର ଦୁଇ ଘଣ୍ଟା ପୂର୍ବରୁ ଷ୍ଟାଡିୟମ୍‌ ଆଗରେ ଲମ୍ବିଥିଲା ଲମ୍ବା ଲାଇନ୍‌। ହାତରେ, ମୁହଁରେ ଏବଂ ମଥାରେ ତ୍ରିରଙ୍ଗାର ପିଟି ପିନ୍ଧି ଷ୍ଟାଡିୟମ୍‌କୁ ପ୍ରବେଶ କରିଥିଲେ। ଷ୍ଟାଡିୟମ ସାରା ଇଣ୍ଡିଆ ଇଣ୍ଡିଆ..ଧ୍ୱନିରେ ପ୍ରକମ୍ପିତ ହେଉଥିଲା। ଓଲିର ମନ ମତାଣିଆ ନୃତ୍ୟ, ରଙ୍ଗବେରଙ୍ଗ ଆଲୁଅର ଆଖିଖୋସା ଦୃଶ୍ୟ ମନ କିଣି ନେଉଥିଲା।

ଛାଇଗଲା ତ୍ରିରଙ୍ଗା

ଦେହ, ମୁହଁ ସବୁଠି ଛାଇଗଲା ତ୍ରିରଙ୍ଗା। ଷ୍ଟାଡିୟମ୍‌କୁ ପ୍ରବେଶ ପୂର୍ବରୁ ଯୁବବର୍ଗ ଗାଲରେ ତ୍ରିରଙ୍ଗା ଆଙ୍କିବାକୁ ଭୁଲୁ ନଥିଲେ। ପୁଣି ତ୍ରିରଙ୍ଗା ପତାକା ସହ ମଥା ପାଇଁ ତ୍ରିରଙ୍ଗାର ଟୋପି, ମଲିଙ୍ଗା ଟୋପି, ଜର୍ସି ଆଦି ଉପଲବ୍ଧ ହେଉଥିଲା। କ୍ରୀଡ଼ାପ୍ରେମୀ ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ କିଏ ବିଶାଖାପାଟଣାରୁ ତ କିଏ ଉତ୍ତରପ୍ରଦେଶର କାନପୁରରୁ ଚାଲି ଆସିଥିଲେ। କାନପୁରର ବିଜୟ କୁମାର ତିଓ୍ଵାରି ୧୩ ବର୍ଷ ବୟସରୁ ଏଭଳି ବେପାର ସହିତ ସମ୍ପୃକ୍ତ ଥିବା ବେଳେ ପ୍ରତ୍ୟେକ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ସ୍ଥଳରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳିଥାଏ।

ଓଡ଼ିଆରେ କହିଲେ ଫ୍ରାନ୍ସ ପ୍ରଶଂସକ

ଫ୍ରାନ୍ସ ଯୁବକ ଥିଓ ଆଜି ଭାରତର ତ୍ରିରଙ୍ଗା ଧରି ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିଥିଲେ। ଗତ ଅଗଷ୍ଟ ମାସରେ ସେ ଜୀବନ ରେଖା ପରିଷଦ ଭଳି ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ମିଶି ଓଡ଼ିଶାରେ କିଛି କାର୍ଯ୍ୟକ୍ରମ କରିବାକୁ ଆସିଥିବା ବେଳେ ଓଡ଼ିଶା ମାୟାରେ ବାନ୍ଧି ହୋଇଯାଇଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ସେ ବହୁତ ଭଲ ଓଡ଼ିଆ ବି କହିପାରୁଥିଲେ। ମୁଁ ଭାରତକୁ ଭଲ ପାଏ ଏବଂ ଭାରତକୁ ଜିତାଇବାକୁ ଉତ୍ସାହିତ କରିବି ବୋଲି କହି ଭିତରକୁ ପ୍ରବେଶ କରିଥିଲେ।

ଖୁଚୁରା ପାଇଁ କଲବଲ

ଷ୍ଟାଡିୟମ୍‌କୁ ପ୍ରବେଶ ପାଇଁ ଅପରାହ୍ଣ ୩ଟାରୁ ଭିଡ଼ ଆରମ୍ଭ ହୋଇଥିଲା। ମାତ୍ର ଟିକେଟ୍‌ରେ ଥିବା ସର୍ତ ପଢ଼ି ନଥିବାରୁ ଅନେକଙ୍କ ହଇରାଣ ହେବାକୁ ପଡ଼ିଥିଲା। ପାଣି ବୋତଲ, ବାହାର ଖାଦ୍ୟ, ବ୍ୟାଗ୍‌ ଭିତରକୁ ପ୍ରବେଶ ମନା ଥିବା ସତ୍ତ୍ୱେ ଅନେକ ଏସବୁ ନେଇ ଆସିଥିବାରୁ ତାଙ୍କୁ ବାହାରେ ଏସବୁ ରଖି ଭିତରକୁ ପ୍ରବେଶ କରିବାକୁ ପଡ଼ିଥିଲା। ଖୁଚୁରା ପଇସା ବି ଭିତରକୁ ଛାଡ଼ିବାକୁ ଅନୁମତି ନଥିଲା। ପୁଲିସ୍‌ କର୍ମଚାରୀମାନେ ଏନେଇ ବାରଣ କରିବା ପରେ ଅନେକ ପକେଟ୍‌ରୁ ଖୁଚୁରା ପଇସା କାଢ଼ି କାହାକୁ ଦେବେ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଖୁଚୁରା ଥୋଇ ଯିବା ବେଳେ ଅନେକଙ୍କ ମନ ଆମ୍ବିଳା ହେଇ ଯାଉଥିଲା।

ନିଆରା ପ୍ରଶଂସକ କାଳନ୍ଦୀ

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେଉଥିବା ବେଳେ ଭାରତକୁ ଚିୟର ଅପ୍‌ କରିବାକୁ ଯାଉଥିବା କିଛି ବ୍ୟକ୍ତିଙ୍କ ନିଆରା ବ୍ୟକ୍ତିତ୍ୱ ବାରି ହୋଇ ପଡ଼ିଥିଲା। କଟକ ମଧୁପାଟଣାର କାଳନ୍ଦୀଚରଣ ମିଶ୍ର ସମ୍ପୂର୍ଣ୍ଣ ମୁହଁକୁ ତ୍ରିରଙ୍ଗାରେ ରଙ୍ଗିନ୍‌ କରିବା ସହ ହାତରେ ତ୍ରିରଙ୍ଗା ଧରି ଭିତରକୁ ପ୍ରବେଶ କରିଥିଲେ। ହକି ତାଙ୍କର ସବୁଠୁ ପ୍ରିୟ ଖେଳ ହୋଇଥିବାରୁ ସେ ନିଜକୁ ଏମିତି ଢଙ୍ଗରେ ଉପସ୍ଥାପନ କରି ଭାରତ ହକି ବାହିନୀକୁ ଉତ୍ସାହିତ କରିବାକୁ ଆସିଛନ୍ତି ବୋଲି କହିଛନ୍ତି।

ଓଏନ୍‌ଜିସି ପକ୍ଷରୁ ବ୍ୟାଣ୍ଡ୍‌, ଚକଲେଟ୍‌ ବଣ୍ଟନ

ହକି ଲିଗ୍‌ର ପ୍ରାୟୋଜକ ଥିବା ଓଏନ୍‌ଜିସି ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଏକ ଷ୍ଟଲ୍‌ ପଡ଼ିଛି। ଏହି ଷ୍ଟଲ୍‌ରେ କମ୍ପାନି ପକ୍ଷରୁ ମାଗାଣା ବ୍ୟାଣ୍ଡ୍‌ ଏବଂ ଚକଲେଟ୍‌ ବଣ୍ଟନ୍‌ କରାଯାଇଥିଲ। ଏଥିସହ ଏଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଭିଡିଓ ମଧ୍ୟ ପ୍ରଦର୍ଶିତ ହେଉଥିଲା।

ଖାଦ୍ୟ ଷ୍ଟଲ୍‌ରେ ଭିଡ଼

ହକି ଲିଗ୍‌ର ଦର୍ଶକଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ଖାଦ୍ୟ ଷ୍ଟଲ୍‌ ଖୋଲାଯାଇଛି। ଏଥିସହ ଓଡ଼ିଶା ସରକାରଙ୍କ ଦୁଇ ସଂସ୍ଥା ଉତ୍କଳିକା ଏବଂ ବୟନିକାର ଷ୍ଟଲ୍‌ ମଧ୍ୟ ପଡ଼ିଛି। ଖାଦ୍ୟ ଷ୍ଟଲ୍‌ ଗୁଡ଼ିକରେ ଭିଡ଼ ଜମିଥିଲା ବେଳେ ଉତ୍କଳିକା ଏବଂ ବୟନିକା ଷ୍ଟଲ୍‌କୁ କେହି ଯିବାର ଦେଖା ଯାଇନଥିଲା।

ଆଫ୍ରିକାନ୍‌ ଧମାଲରୁ ଆରମ୍ଭ

ଅପେକ୍ଷାର ଅବସାନ ହେଲା। ରଙ୍ଗାରଙ୍ଗ ମାହୋଲ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱ ଲିଗ୍‌ ଉଦଘାଟିତ ହେଲା। ଦୁଇ ୟୁରୋପୀୟ ଦଳ ଜର୍ମାନ୍‌ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ମୁକାବିଲା ହେଲା। ଗୁଜୁରାଟରୁ ଆସିଥିବା ଆଫ୍ରିକାନ୍‌ ଧମାଲ କଳାକାରଙ୍କ ନିଆରା ଢଙ୍ଗରେ ଉଭୟ ଦେଶର ପତାକାକୁ ସ୍ୱେଚ୍ଛାସେବୀମାନେ ସମ୍ମାନର ସହ ଭିତରକୁ ଆଣିବା ପରେ ଜାତୀୟ ସଂଗୀତ ଗାନର ଔପଚାରିକତା ପୂରଣ କରାଯାଇଥିଲା। ଏହା ପରେ ବଲ୍‌ ଗଡ଼ିଥିଲା ଏବଂ ହକି ବିଶ୍ୱ ଲିଗର ତୃତୀୟ ତଥା ଶେଷ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା। ପାଖରେ ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ଏବଂ କ୍ରୀଡ଼ା ସଚିବ ବିଶାଲ ଦେବ ଉପସ୍ଥିତ ଥିଲେ। ଅଙ୍ଗଭଙ୍ଗୀ ଏବଂ ବାଦ୍ୟର ତାଳେ ତାଳେ ଦୁଇ ଦଳର ଖେଳାଳି ପଡ଼ିଆ ଭିତରକୁ ପ୍ରବେଶ କଲେ। ଆଫ୍ରିକାନ ଧମାଲ ଆଫ୍ରିକା ମହାଦେଶର ଲୋକନୃତ୍ୟ ହୋଇଥିଲେ ମଧ୍ୟ ଗୁଜରାଟରେ ରହୁଥିବା ଆଫ୍ରିକୀୟ ବଂଶୋଦ୍ଭବମାନେ ଏହାକୁ ଭାରତରେ ଲୋକପ୍ରିୟ କରାଇଛନ୍ତି।

ସମ୍ବନ୍ଧିତ ଖବର