ଏଆର୍‌ ରେହମାନଙ୍କ ଷ୍ଟୁଡିଓରେ ହକିର ଓଡ଼ିଆ ଟାଇଟଲ୍‌ ଗୀତ

ମିକା ସିଂହଙ୍କ କଣ୍ଠରେ ‘ଆସ କରିବା ଏତେ ବୋବାଲ୍‌...

ହକି ବିଶ୍ବକପ୍‌ରେ ଶୁଭିବ ଓଡ଼ିଆ ଗୀତ ‘ଆସ କରିବା ଏତେ ବୋବାଲ୍‌, ଓଡ଼ିଶା ନାଁ ହେବ ଗ୍ଲୋବାଲ୍‌…। ବଲିଉଡ୍‌ର ଖ୍ୟାତନାମା ଏ ଆର୍‌ ରେହମାନ୍‌ଙ୍କ ଚେନ୍ନାଇ ସ୍ଥିତ ଷ୍ଟୁଡିଓରେ ଏହି ଓଡ଼ିଆ ଟାଇଟଲ୍‌ ଗୀତର ରେକର୍ଡିଂ ଶେଷ ହୋଇଛି। ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ ଏବଂ ମାନବ ରଥଙ୍କ ତତ୍ତ୍ବାବଧାନରେ ଏହି ସଂଗୀତ ପ୍ରସ୍ତୁତ କରାଯାଇଛି। ଗୀତକୁ ତଡ଼କା ସଂଗୀତ ଦେଇ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର ଜଣାଶୁଣା ସଂଗୀତଜ୍ଞ ଗୁଡ୍‌ଲି ରଥ। ଏ ଆର୍‌ ରେହମାନଙ୍କୁ ନିଜର ଆଦର୍ଶ ମାନୁଥିବା ଗୁଡ୍‌ଲି ରଥଙ୍କ ସଂଗୀତର ଜଲ୍‌ୱା ଏହି ଗୀତରେ ଦର୍ଶକଙ୍କୁ ନଚା‌ଇବ। ଗୀତଟିକୁ ସଚ୍ଚିନ୍‌ ଦାସ ଲେଖିଥିବା ବେଳେ ଗାଇଛନ୍ତି ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ ମିକା ସିଂହ ଏବଂ ଓଲିଉଡ୍‌ର କଣ୍ଠଶିଳ୍ପୀ ଲିପ୍‌ସା ମହାପାତ୍ର। ସିନେ ନିର୍ଦେଶକ ସୁଶାନ୍ତ ମଣି ଏହାର ନିର୍ଦେଶନା ଦେଇଛନ୍ତି।

ମିକା ସିଂହ ପ୍ରଥମ କରି ଓଡ଼ିଆ ଗୀତ ଗାଇଥିବା ବେଳେ ଜାତୀୟ କ୍ରୀଡ଼ା ହକି ପାଇଁ ଗୀତ ଗାଇବା ମୋ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି। ଏଥିସହ ସେ ଭାରତୀୟ ଦଳର ବିଜୟ କାମନା କରିଛନ୍ତି। ଗୁଡ୍‌ଲି ରଥ ଗୀତ ପ୍ରସ୍ତୁତି ସମ୍ପର୍କରେ ନିଜ ମତ ରଖି କହିଛନ୍ତି, ଏହି ଗୀତ କେବଳ ବିଶ୍ବକପ୍‌ ହକିକୁ ଦର୍ଶାଉ ନାହିଁ। ବରଂ ଏହି ଗୀତରେ ସମଗ୍ର ଓଡ଼ିଶାକୁ ଉପସ୍ଥାପିତ କରାଯାଇଛି। ଏ ଆର୍‌ ରେ‌ହମାନ୍‌ଙ୍କ କଣ୍ଠରେ ହକି ବିଶ୍ବକପ୍‌ର ହିନ୍ଦୀ ସଂଗୀତ ପ୍ରସ୍ତୁତ ହେବାକୁ ଥିବା ବେଳେ ମିକା ଓ ଲିପ୍‌ସାଙ୍କ କଣ୍ଠରେ ଓଡ଼ିଆ ଗୀତ ହକି ବିଶ୍ବକପ୍‌ରେ ଆହୁରି ରଙ୍ଗ ମାଖିଦେବ ବୋଲି ଗୁଡ୍‌ଲି ରଥ କହିଛନ୍ତି।

ସମ୍ବନ୍ଧିତ ଖବର