ହକି ବିଶ୍ୱକପ୍, କ୍ୟାପିଟାଲ ହସ୍ପିଟାଲରେ ସଂରକ୍ଷିତ ରହିବ ୫୦ ଶଯ୍ୟା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୮ ତାରିଖରୁ ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ବକପ୍‌ ସମୟରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଇଛି। ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକ ଯେପରି କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ଆଜି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ (ମେଡିକାଲ‌ ସେବା) ଓ ସ୍ବାସ୍ଥ୍ୟସେବା ନିର୍ଦେଶକ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି। ସ୍ବତନ୍ତ୍ର ସଚିବ(ମେଡିକାଲ‌ ସେବା) ଡା. ବି.କେ ବ୍ରହ୍ମା କହିଛନ୍ତି, ହକି ବିଶ୍ବକପ୍‌କୁ ନଜରରେ ରଖି କ୍ୟାପିଟାଲ ହସ୍ପିଟାଲରେ ୫୦ଟି ଶଯ୍ୟା ଏଥିପାଇଁ ସଂରକ୍ଷିତ ରଖାଯିବ। ମ୍ୟାଚ୍ ଦେଖିବାକୁ ଆସୁଥିବା ‌ଦର୍ଶକ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତୁରନ୍ତ ‌ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ୨ଟି ଆମ୍ବୁଲାନ୍‌ସ ଯୋଗାଇଦେବେ। କଳିଙ୍ଗ ଷ୍ଟାଡିୟମ୍‌ର ୪ଟି ପ୍ରମୁଖ ଗେଟ୍‌ରେ ୪ଟି ଆମ୍ବୁଲାନ୍‌ସ ରହିବ। ଅଧିକ ସଂଖ୍ୟକ ୪-୮ଟି ଆମ୍ବୁଲାନ୍‌ସ ଯୋଗାଇ ଦେବା ପାଇଁ ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କୁ କୁହାଯାଇଛି। ଏହାସହ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ଭାବେ ଏକ କ‌େଣ୍ଟ୍ର‌ାଲ ରୁମ୍ ଖୋଲିବ। ମ୍ୟାଚ୍ ଚାଲିଥିବା ସମୟରେ ଏହା କାମ କରିବ। ୫୦ଟି ଶଯ୍ୟା ପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କୁ ନିଯୁକ୍ତି କରାଯିବା ଉପରେ ଆଲୋଚନା ହୋଇଛି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏସବୁର ବ୍ୟବସ୍ଥା ଶେଷ ହେବ ବୋଲି ଡା. ବ୍ରହ୍ମା ସୂଚନା ଦେଇଛନ୍ତି। ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ରହିଥିବା ସମସ୍ୟା ସଂପର୍କରେ ମଧ୍ୟ ଅଧିକାରୀମାନେ ଆ‌େଲାଚନା କରିଛନ୍ତି। ଗହଳିକୁ କିଭଳି ନିୟନ୍ତ୍ରଣ କରାଯିବ ଓ ସ୍ବାସ୍ଥ୍ୟ ସେବାରେ କିଭଳି ଅଧିକ ସୁଧାର ଆସିବ, ଏ ନେଇ କେଉଁ କେଉଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି, ତାହା ଉପରେ ପଦକ୍ଷେପ ଗ୍ରହଣ କରାଯିବା ନେଇ ଆଲୋଚନା ହୋଇଥିବା ଡା. ବ୍ରହ୍ମା କହିଛନ୍ତି।

ସମ୍ବନ୍ଧିତ ଖବର