ହକି ବିଶ୍ବକପ ପରିଚାଳନା ପୁଲିସ ପାଇଁ ଆହ୍ବାନ ଥିଲା

ଧନ୍ୟବାଦ ଜଣାଇଲେ ପୁଲିସ କମିସନର

ଭୁବନେଶ୍ବର‌ : ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ ପରିଚାଳନା କମିସନରେଟ୍‌ ପୁଲିସ ପାଇଁ ଏକ ଆହ୍ବାନ ଥିଲା। ଏହି ଆହ୍ବାନକୁ ସମସ୍ତ ଅଧିକାରୀ ସୁରୁଖୁରୁରେ ସମ୍ପନ୍ନ କରିଥିବାରୁ ପୁଲିସ କମିସନର୍‌ ଆଜି ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରତ୍ୟେକ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସ୍ବତନ୍ତ୍ର କ୍ୟାମ୍ପେନ୍‌: ଏଭଳି ଏକ ଗୁରୁ ଦାୟିତ୍ବ ସମ୍ଭାଳିବା ପୂର୍ବରୁ ପୁଲିସ୍‌ ଏକ ସ୍ବତନ୍ତ୍ର କ୍ୟାମ୍ପେନ୍‌ ଆରମ୍ଭ କରିଥିଲା। ବିଶ୍ବକପ୍‌ ସମୟ‌ରେ କୌଣସି ପ୍ରକାରର ଅପରାଧ ଯେ ଭଳି ନ ଘଟିବ ସେଥିପାଇଁ ବିଭିନ୍ନ ଥାନା ଅଧୀନରୁ ୩୧ଜଣ ଅଭିଯୁକ୍ତଙ୍କୁ ଆଗୁଆ ଗିରଫ କରାଯାଇଥିବା ବେଳେ ଜାମିନ ବିହୀନ ପରୱାନାରେ ୧୬୩ ଜଣଙ୍କୁ ଗିରଫ କରାଯାଇଥିଲା। ୬୩ଟି ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ୮ଟି ସ୍ଥାନରୁ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା। ୯ଟି ଜୁଆ ଆଡ଼ାରୁ ୨ଲକ୍ଷ ୩୬ ହଜାର ୮୧୩ଟଙ୍କା ଜବତ କରାଯାଇଥିବା ବେଳେ ୭ ଚୋରା ବନ୍ଧୁକ ବ୍ୟବସାୟୀ ରୢାକେଟ୍‌କୁ ଧରିବା ସହ ୧୨ଟି ଗୁଳି ଜବତ ହୋଇଥିଲା। ସେହିପରି ୨୯ହଜାର ୯୦୫ଜଣ ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କଠାରୁ ୧୬ଲକ୍ଷ ୭୪ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି। ଆଜିର ଏହି ଉତ୍ସବରେ ଅତିରିକ୍ତ ପୁଲିସ କମିସନର୍‌ ସଞ୍ଜୟ ସିଂ, ଡିସିପି ଅନୁପ ସାହୁଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

୧,୫୭୭ ବିଦେଶୀ ପର୍ଯ୍ୟଟକ: ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରକୁ ଆସିଛନ୍ତି ୧, ୫୭୭ ବିଦେଶୀ ପର୍ଯ୍ୟଟକ। ବିଶ୍ବକପ୍‌ର ୮ ଦିନ ପୂର୍ବରୁ ଏଠାକୁ ବିଦେଶୀଙ୍କ ସୁଅ ଛୁଟିଥିବା କହିଛନ୍ତି ଡିସିପି ଶ୍ରୀ ସାହୁ। ସେ କହିଛନ୍ତି, ୩୫୦ ପୁଲିସ୍‌ ଅଫିସରଙ୍କ ସହ ୨, ୫୦୦ କନ୍‌ଷ୍ଟେବଲ୍‌ ଓ ୭୫ ପ୍ଲାଟୁନ୍‌ ଫୋର୍ସଙ୍କୁ ନେଇ ଏହି ଖେଳର ସୁରକ୍ଷା କାର୍ଯ୍ୟ ତଦାରଖ ହୋଇଥିଲା। ଏହି ସମୟରେ ବିଦେଶୀ ଖେଳାଳି, ତାଙ୍କ ପରିଜନ ଓ ପର୍ଯ୍ୟଟକ ତଥା ଖେଳପ୍ରେମୀଙ୍କ ସୁରକ୍ଷା ନେଇ ସ୍ବତନ୍ତ୍ର ଧ୍ୟାନ ରହିଥିଲା। କୌଣସି ପ୍ରକାରର ଅଭିଯୋଗ ଆମର ହସ୍ତଗତ ହୋଇ ନାହିଁ ବରଂ ବିଦେଶୀ ପର୍ଯ୍ୟଟକଙ୍କ ସମେତ କେତେକ ଖେଳାଳିଙ୍କ ପରିଜନ ଶୃଙ୍ଖଳା ପାଇଁ ଧନ୍ୟବାଦ ଜଣାଇଛନ୍ତି।।

୩ଶହ ନୂଆ ଏସ୍‌ଆଇ: ନୂଆ କରି ଚାକିରି ପାଇଥିବା ୩ଶହ ଏସ୍‌ଆଇ(ସବ୍‌ଇନ୍‌ସ୍‌ପେକ୍ଟର) ଏଠାରେ ତାଙ୍କର ପ୍ରଥମ ଡ୍ୟୁଟି କରିଥିଲେ। ସମଗ୍ର ବିଶ୍ବର ନଜର ଏହି ଖେଳ ଉପରେ ଥିବା ବେଳେ ରାଜ୍ୟ ସରକାର ଏହାକୁ ଆୟୋଜନ କରୁଥିବାରୁ ଏହି ନୂଆ ଅଧିକାରୀଙ୍କ ପାଇଁ ଏହା ସବୁଠାରୁ ବଡ଼ ଅହ୍ବାନ ଥିଲା। ତେବେ ଏହି ଅଧିକାରୀମାନେ ସେମାନଙ୍କର ପ୍ରଥମ କାମ ଶୃଙ୍ଖଳାର ସହ କରିଥିଲେ। ସବ୍‌-ଇନ୍‌ସ୍‌ପେକ୍ଟର ଅବିନାଶ ମିଶ୍ର କହିଛନ୍ତି, ମୁଁ ଉତ୍ସାହିତ ଥିଲି ଯେ, ଏଭଳି ଏକ କାମରୁ ଚାକିରି ଜୀବନ ଆରମ୍ଭ କରିବାକୁ ପଡ଼ିଲା। ସେଥିପାଇଁ ମୋର ଦାୟିତ୍ବ ବଢ଼ି ଯାଇଥିଲା। ଫ୍ରାନ୍‌ସ୍‌ ଟିମ୍‌ଠାରୁ ବେଶ୍‌ ପ୍ରଶଂସା ପାଇଥିବା ବେଳେ ଆଜି କମିସନର୍‌ଙ୍କ ପ୍ରଶଂସା ପାଇବା ପରେ ମୋ ଲକ୍ଷ୍ୟରେ ସଫଳ ହୋଇଛି ବୋଲି ଅନୁଭବ କରୁଛି।

ସମ୍ବନ୍ଧିତ ଖବର