ହକି ବିଶ୍ବକପ୍ ଖୁଚୁରା ନେବାକୁ ଭିଡ଼

ଭୁବନେଶ୍ବର: ହକି ବିଶ୍ବକପ୍‌ରେ ମ୍ୟାଚ୍ ଯାଉଥିବା ଦର୍ଶକଙ୍କୁ କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ୁଛି। ଷ୍ଟାଡିୟମ୍‌ ଭିତରକୁ ଖୁଚୁରା, ପେନ୍, ପାନିଆ, ଲିପଷ୍ଟିକ୍‌କୁ ନେବାକୁ ଅନୁମତି ନାହିଁ। ଷ୍ଟାଡିୟମ୍‌ରେ ପ୍ରବେଶ କରିବା ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଏହାକୁ କାଢ଼ି ନେଉଛନ୍ତି। ଏପରିକି ପର୍ସ ଖୋଲି ଖୁଚୁରା ଟଙ୍କା ଅଛି କି ନାହିଁ ତାହାର ଯାଞ୍ଚ କରୁଛନ୍ତି। ଏହିସବୁ ଜିନିଷକୁ ଏକ ଟେବୁଲରେ ରଖି ଦିଆଯାଉଛି। ଷ୍ଟାଡିୟମର ପ୍ରତ୍ୟେକ ଗେଟ୍‌ରେ ଏଭଳି ଟେବୁଲ ଦେଖିବାକୁ ମିଳୁଛି। ମ୍ୟାଚ୍ ସରିବା ପରେ ଏହି ଟେବୁଲରେ ପ୍ରବଳ ଭିଡ଼ ହେଉଛି। ପୁଲିସ ଅଧିକାରୀ ଗେଟ୍‌ ଅନୁଯାୟୀ ଧାଡ଼ି ଧାଡ଼ି କରି ଖୁଚୁରା ସଜାଡ଼ି ରଖି ଦେଉଛନ୍ତି। ଗେଟ୍‌ ନମ୍ବର ଅନୁସାରେ ଯେଉଁ ବ୍ୟକ୍ତି ଯିବା ସମୟରେ ଯେତିକି ଖୁଚୁରା ଟଙ୍କା ରଖିଥିଲେ ତାହା ଦାବି କରୁଛନ୍ତି। ହେଲେ ଅନେକ ଖୁଚୁରା ନେବା ସମୟରେ ଅସନ୍ତୁଷ୍ଟ ହୋଇ ଫେରୁଥିବା ଦେଖିବାକୁ ମିଳୁଛି। ଅନେକ ଖୁଚୁରା ନେବାକୁ ଆସୁଥିଲେ ହେଁ ଭିଡ଼ ଦେଖି ଚାଲି ଯାଉଛନ୍ତି।

ଷ୍ଟାଡିୟମ୍‌ରେ ନେଟୱାର୍କ ସମସ୍ୟା
ଷ୍ଟାଡିୟମ୍‌ରେ ଭୟଙ୍କର ନେଟୱାର୍କ ସମସ୍ୟା ଦେଖା ଦେଉଛି। ବାରମ୍ବାର କଲ ଲଗାଇଲେ ମଧ୍ୟ ଯାଉନି। ଏହାସହ ଇଣ୍ଟରନେଟ୍‌ ମଧ୍ୟ ଚାଲୁନାହିଁ। ଷ୍ଟାଡିୟମ୍‌ ଭିତରେ ଆଉ ବାହାରେ ଏହି ସମସ୍ୟା ଦେଖିବାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମ୍‌ ସମେତ ରାଜଧାନୀର ୭୫ଟି ସ୍ଥାନରେ ମାଗଣା ୱାଇଫାଇ ସେବା ମିଳିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ମାତ୍ର ଷ୍ଟାଡିୟମ୍‌ କିମ୍ବା ଆଖପାଖରେ ୱାଇଫାଇ ନାହିଁ। ଅପରପକ୍ଷରେ ଷ୍ଟାଡିୟମ୍‌ରେ ଭିଡ଼କୁ ଦେଖି ସେହି ଅଞ୍ଚଳଗୁଡ଼ିକରେ ଥିବା ମୋବାଇଲ ଟାୱାରଗୁଡ଼ିକରେ ସିଗ୍‌ନାଲ୍‌ ଦକ୍ଷତା ବଢ଼ାଇବାକୁ ସାଧାରଣରେ ଦାବି ହେଉଛି। ଫଳରେ ଷ୍ଟାଡିୟମରେ ନେଟୱାର୍କ ଜନିତ ସମସ୍ୟା ହ୍ରାସ ପାଇପାରିବ।

ଦୋକାନ ସମ୍ମୁଖରେ ପାର୍କିଂ
ହକି ବିଶ୍ବକପ୍‌କୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଭାବେ ପାର୍କିଂ ସ୍ଥାନ ଚୟନ କରାଯାଇଛି। ୮ଟି ସ୍ଥାନକୁ ପାର୍କିଂ ପାଇଁ ଚୟନ କରାଯାଇଛି। ମାତ୍ର ଏସବୁ ପାର୍କିଂ ସ୍ଥାନକୁ ଛାଡ଼ି ଷ୍ଟାଡିୟମ୍ ଆଖପାଖରେ ଥିବା ଦୋକାନୀମାନେ ମଧ୍ୟ ଗାଡ଼ି ପାର୍କିଂ ପାଇଁ ଅନୁମତି ଦେଉଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଚୟନ କରାଯାଇଥିବା ପାର୍କିଂ ସ୍ଥାନରେ ବାଇକ୍ ପାଇଁ ୨୫ଟଙ୍କା ନେଉଥିବା ବେଳେ ଏସବୁ ‌ସ୍ଥାନରେ ୧୫/୨୦ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ବିଏମ୍‌ସି ପାର୍କିଂ ସ୍ଥାନରୁ ଷ୍ଟାଡିୟମ୍‌ ଦୂର ହେଉଥିବାରୁ ଲୋକମାନେ ଏସବୁ ଦୋକାନ ସମ୍ମୁଖରେ ପାର୍କିଂ କରୁଥିବା ଦେଖିବାକୁ ମିଳୁଛି। ମ୍ୟାଚ୍ ଶେଷ ହେବା ପରେ ଏସବୁ ସ୍ଥାନରେ ପାର୍କିଂ କରୁଥିବା ଗାଡ଼ିଗୁଡ଼ିକ ଭୁଲ ବାଟରେ ଆସୁଥିବାରୁ ରାସ୍ତାରେ ପ୍ରବଳ ଗହଳି ହେଉଛି।

ସମ୍ବନ୍ଧିତ ଖବର