ହକି ବିଶ୍ୱକପ୍‌ ପ୍ରସ୍ତୁତି: ଅଡ଼ୁଆରେ ପକାଇଛି ବିଶ୍ୱକର୍ମା ମନ୍ଦିର

ଭିତ୍ତିଭୂମି କାମ ଆଗେଇ ପାରୁନି

ଭୁବନେଶ୍ୱର: ବିଶ୍ୱକପ୍‌ ହକି ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ନୂଆ ରୂପ ନେଉଛି। ଷ୍ଟାଡିୟମ୍‌ ଭିତର ସମେତ ଚତୁଃପାର୍ଶ୍ୱରେ ଭିତ୍ତିଭୂମି କାମ ଜୋର୍‌ଦାର୍‌ ଆଗେଇ ଚାଲିଛି। ନିକଟସ୍ଥ ବସ୍ତି, ଉଠା ଦୋକାନ, କେନ୍ଦ୍ର ସରକାରଙ୍କ କୁକଟ ଗବେଷଣା କେନ୍ଦ୍ର ସବୁ ଉଠାସରିଲାଣି। କିନ୍ତୁ ଷ୍ଟାଡିୟମ୍‌ର ୫ ନମ୍ବର ଫାଟକ ନିକଟରେ ଥିବା ବିଶ୍ୱକର୍ମା ମନ୍ଦିରକୁ ନେଇ ସରକାର ନିଷ୍ପତ୍ତି ନେଇ ପାରୁ ନାହାନ୍ତି। ଯଦିଓ ଏହା ସରକାରୀ ଜାଗା ଉପରେ ନିର୍ମାଣ ହୋଇଛି, ତେବେ ଅଦାଲତି କଟକଣା ଯୋଗୁଁ ମନ୍ଦିରରେ ବିଡିଏ ହାତ ଲଗାଇ ପାରୁନି। ଫଳରେ ଷ୍ଟାଡିୟମ୍‌ ସାମ୍ନା ପଟେ ଭିତ୍ତିଭୂମି କାମ ଆଗେଇ ପାରୁନି। କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବିଶ୍ୱକପ୍‌ ହକି। ସେଥିପାଇଁ ହକି ଷ୍ଟାଡିୟମ୍‌କୁ ସମ୍ପ୍ରସାରିତ କରାଯାଇଛି। ବସିବା କ୍ଷମତା ୭ ହଜାରରୁ ୧୫ ହଜାର କରାଯାଇଛି। ଏହି ହକି ଷ୍ଟାଡିୟମ୍‌ଟି ଠିକ୍‌ ବିଶ୍ୱକର୍ମା ମନ୍ଦିର ପଛ ପଟେ ଥିବା ପାଚେରିକୁ ଲାଗି ରହିଛି। ଷ୍ଟାଡିୟମ୍‌ର ୨ ନମ୍ବର ଓ ୫ ନମ୍ବର ଫାଟକ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇଟି ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣ ହେଉଛି। ଠିକ୍‌ ମନ୍ଦିର ପାଖରେ ହିଁ ଗୋଟିଏ ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣ ଚାଲିଛି। କେବଳ ମନ୍ଦିରଟି ୩୦୦ ଡିସିମିଲ୍‌ରୁ ଅଧିକ ଜାଗାରେ ନିର୍ମାଣ ହୋଇଥିବାବେଳେ ପ୍ରାୟ ୬୫୦ ଡିସିମିଲ୍‌ ଜାଗା ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧୀନରେ ରହିଛି।

ସରକାରଙ୍କ ପକ୍ଷରୁ ନିକୋ ପାର୍କ ଛକରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ଷ୍ଟାଡିୟମ୍‌ ସାମ୍ନା ପଟେ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଯେହେତୁ ବିଶ୍ୱକପ୍‌ ହକିର ସଫଳ ଆୟୋଜନ ଓଡ଼ିଶାର ସମ୍ମାନ ସହ ଜଡ଼ିତ ହୋଇ ରହିଛି, ତେଣୁ କୌଣସି କାମ ସହ ସାଲିସ୍‌ ନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥି ପାଇଁ ସରକାରୀ ଜାଗାରୁ ସମସ୍ତ ନିର୍ମାଣ ଉଚ୍ଛେଦ ହୋଇଥିଲେ ବି ବିଶ୍ୱକର୍ମା ମନ୍ଦିରକୁ ନେଇ କିଛି ନିଷ୍ପତ୍ତି ନିଆଯାଇପାରୁନି। ଅପରପକ୍ଷରେ ମନ୍ଦିର ଯୋଗୁଁ କିଛି ଭିତ୍ତିଭୂମି କାମ ବି ଅଟକିଯାଇଛି। ମନ୍ଦିର ଭଙ୍ଗା ହେବ କି ନାହିଁ, ତାହା ସ୍ଥିର ହୋଇପାରୁ ନ ଥିବାରୁ ସେହି ଅଞ୍ଚଳରେ କାମ କିପରି କରାଯିବ ତାହା ଚୂଡ଼ାନ୍ତ ହୋଇପାରୁ ନାହିଁ। ଯଦି ମନ୍ଦିର ରହିବ, ତେବେ ଭିତ୍ତିଭୂମି କାମର ନକ୍ସା ବଦଳିବ। କାରଣ ସେହି ଜାଗାକୁ ବାଦ୍‌ ଦେଇ କର୍ତ୍ତୃପକ୍ଷଙ୍କୁ ବିକଳ୍ପ ଚିନ୍ତା କରିବାକୁ ପଡ଼ିବ। ବିଭିନ୍ନ ଦୃଷ୍ଟିକୋଣରୁ ଶେଷ ମୁହୂର୍ତ୍ତରେ ଏହା ଅଡ଼ୁଆ ସୃଷ୍ଟି କରିବାର ଆଶଙ୍କା ରହିଛି। ଯଦି ମନ୍ଦିର ଭଙ୍ଗାଯିବ, ତେବେ ବିଳମ୍ବ ହେଲେ କାମ ବି ଠିକ୍‌ ସମୟରେ ସରିବା ନେଇ ଆଶଙ୍କା ରହିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ହକି ଷ୍ଟାଡିୟମ୍‌ର ଜରୁରୀକାଳୀନ ଫାଟକ ସେହି ମନ୍ଦିର ଜାଗାରେ ହିଁ ରହିବ ବୋଲି ଅଗ୍ନିଶମ ବିଭାଗ ରିପୋର୍ଟ ଦେଇଛି। ଏତେ ପରିମାଣର ଲୋକ ଏକା ସମୟରେ ଷ୍ଟାଡିୟମ୍‌ ଭିତରେ ରହୁଥିବାରୁ ଏହି ପ୍ରସ୍ତାବିତ ଫାଟକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ। ମନ୍ଦିରକୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ ମନ୍ଦିର କମିଟି କର୍ମକର୍ତ୍ତାଙ୍କ ସହ ବିଏମ୍‌ସି ଓ ବିଡିଏ ପକ୍ଷରୁ ଆଲୋଚନା ହୋଇଥିଲା। ଅନ୍ୟତ୍ର ଜାଗା ଦେବାକୁ ମଧ୍ୟ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେହି ଆଲୋଚନା ଫଳପ୍ରଦ ହୋଇପାରି ନ ଥିଲା। ବିଡିଏ ପକ୍ଷରୁ ଷ୍ଟାଡିୟମ୍‌ର ଚାରିପଟେ ଜବରଦଖଲ ଉଚ୍ଛେଦ କରାଯାଇଥିଲେ ବି ମନ୍ଦିର ନେଇ କୋର୍ଟରେ ମାମଲା ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହା ମଧ୍ୟରେ ହାଇକୋର୍ଟ ଏହି ମାମଲାର ବିଚାର କରି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପଦକ୍ଷେପ ନେବାକୁ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏର ଓଡିଏ କୋର୍ଟରେ ଏ ନେଇ ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି। ତେବେ ବିଶ୍ୱକପ୍‌ ହକି ଓଡ଼ିଶା ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଚାଲିଛି।

ବିଶ୍ୱକର୍ମା ମନ୍ଦିର ସମିତିର ସଭାପତି ପର୍ଶୁରାମ ମହାରଣାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, କେବଳ ମନ୍ଦିର ନିର୍ମାଣ ସ୍ଥଳକୁ ଛାଡ଼ି ଅନ୍ୟ ଜାଗାରେ ସରକାର ଭିତ୍ତିଭୂମି କାମ କରିବାରେ କୌଣସି ସମସ୍ୟା ନାହିଁ। ସେଠାରେ କାମ ମଧ୍ୟ ଆରମ୍ଭ ହେଲାଣି। ମନ୍ଦିର ସେଠାରେ କୌଣସି କାମରେ ପ୍ରତିବନ୍ଧକ ସାଜୁ ନାହିଁ। ତେବେ ଅଦାଲତଙ୍କ ରାୟ ଅନୁଯାୟୀ ସରକାର ଯାହା ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର