ଆସୁଛି ହୋଲି…ଅବିରରେ ବୁଡ଼ିଲେ ଅତିଥି ଠାକୁର

ଶ୍ୟାମପୁର ଦୋଳମେଳଣରୁ ମେଲାଣି, ସୁଗନ୍ଧ ଅବିର, ଟ୍ୟାଙ୍କ୍‌ ପିଚିକାରି

ଭୁବନେଶ୍ବର: ଫଗୁଣର ରଙ୍ଗରେ ରଙ୍ଗିନ ହେବ ରାଜଧାନୀ। ରଙ୍ଗ ଓ ପିଚିକାରି ଖେଳରେ ପିଲାଠାରୁ ବୁଢ଼ା ଭିଜିବେ। ରଙ୍ଗର ଏହି ନିଆରା ପର୍ବ ଜାତି, ବର୍ଣ୍ଣ ଓ ଧର୍ମକୁ ପଛରେ ପକାଇ ଭାଇଚାରାର ଡୋରିରେ ସଭିଙ୍କୁ ବାନ୍ଧିବ। ଏନେଇ ରାଜଧାନୀର ଗଳିକନ୍ଦି‌ରେ ଖୋଲିଗଲାଣି ରଙ୍ଗ ପସରା। ରାଜଧାନୀର ଗଳିକନ୍ଦିରେ ରଙ୍ଗର ପସରା ଖୋଲିଛି। ନାଲି, ନୀଳ, ହଳଦିଆ, ବାଇଗଣୀ ଓ ଗୋଲାପି ଭଳି ରଙ୍ଗରେ ସଜେଇ ହୋଇଛି ବଜାର। ପୂର୍ବ ଭଳି ଚଳିତ ବର୍ଷ ଅବିରର ଚାହିଦା ରହଛି। ଅବିର କିଲୋ ପିଛା ୧୫୦ ଟଙ୍କା ରହିଛି। ସେହିପରି ରହିଛି ସୁଗନ୍ଧ ଅବିର। ଏହା କିଲୋ ପିଛା ୩୦୦ ଟଙ୍କା ରହିଛି। କିଛି ସ୍ବାସ୍ଥ୍ୟ ସଚେତନ ଲୋକ ହର୍ବାଲ ରଙ୍ଗ ପାଇଁ ଆଗ୍ରହୀ। ଗୋଟିଏ ପ୍ୟାକେଟ୍‌ ହର୍ବାଲ୍‌ ରଙ୍ଗର ମୂଲ୍ୟ ୨୫୦ ଟଙ୍କା ରହିଛି। ଏଥିରେ ୫ଟି ରଙ୍ଗ ଉପଲବ୍ଧ। ଅବିର ରାୟପୁରରୁ ଆମଦାନୀ ହେଉଛି ବୋଲି ୟୁନିଟ୍‌-୧ ହାଟରେ ଦୋକାନ ଖୋଲିଥିବା ଶ୍ରୀପତି ବେହେରା କହିଛନ୍ତି। ପିଲାଙ୍କ ପସନ୍ଦରେ ଥିବା ପିଚିକାରିକୁ ଚଳିତ ବର୍ଷ ନୂଆ ରୂପରେ ଡିଜାଇନ୍‌ କରି ବଜାରକୁ ଛଡ଼ାଯାଇଛି। ସ୍କୁଲ ପିଲାଙ୍କ ବ୍ୟାଗ୍‌ ଭଳି ଆସିଛି ଟ୍ୟାଙ୍କ ପିଚିକାରି। ଏହାକୁ ବ୍ୟାଗ୍‌ ଭଳି ପଛରେ ପକାଇ ପିଚିକାରି ମାରି ଖେଳିବାକୁ ପଡ଼ିବ। ପୁଣି ରହିଛି ‌ପେନ୍‌ସିଲ୍‌ ଓ ବେଲୁନ୍‌ ପିଚିକାରି। ଛୋଟ ପିଲାଙ୍କ ମଧ୍ୟରେ ଏସବୁର ବେଶ୍‌ ଆଦର ରହିଛି। ଦାମ୍‌ ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। କୋଲ୍‌କାତା ଓ ଦିଲ୍ଲୀରୁ ଏସବୁ ଆମଦାନୀ ଦେଉଥିବା ଦୋକାନୀ ମକଦମ ସାହୁ କହିଛନ୍ତି। ଗତ ବର୍ଷ ରଙ୍ଗ ବେପାର ଅଢ଼େଇ ଲକ୍ଷ ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ ଏହା ଆହୁରି ଅଧିକ ହେବ ବୋଲି ଶ୍ରୀ ସାହୁ ଆଶା ରଖିଛନ୍ତି। ରସାୟନ ରଙ୍ଗ ନିଷେଧ ହୋଇଥିଲେ ମଧ୍ୟ ମୁଣ୍ତଫଟା ଓ ବାନିସ୍‌ ଭଳି ରଙ୍ଗ ପାଇଁ ଯୁବପିଢ଼ିଙ୍କ ଆଗ୍ରହ ସର୍ବୋପରି ରହିଛି। ଗ୍ରାହକ ରାକେଶ ମିଶ୍ର କୁହନ୍ତି, ରଙ୍ଗ ଖେଳିବୁ, କିନ୍ତୁ ଯଦି ସେ ରଙ୍ଗ ୪/୫ ଦିନ ନ ରହିବ, ତେବେ ରଙ୍ଗ ଖେଳିବାର କି ଲାଭ। ଏଣୁ ଆମେ ବାନିସ୍‌ ଓ ମୁଣ୍ତଫଟା ରଙ୍ଗ ଖେଳିବାକୁ ପସନ୍ଦ କରୁ। ପିଲାମାନଙ୍କ ପାଇଁ ଭିନ୍ନ ଭିନ୍ନ ଧରଣର କ୍ୟାପ୍‌, ମୁଖା ଓ ମ୍ୟାଜିକ୍‌ ବେଲୁନ୍‌ ମଧ୍ୟ ବଜାରରେ ଉପଲବ୍ଧ ହେଉଛି। ଉପହାର ଦେବା ପାଇଁ ବିଭିନ୍ନ ରଙ୍ଗର ପ୍ୟାକେଜ୍‌ ବ୍ୟବସ୍ଥା ରହିଛି। ଏହାର ଦର ୩୦୦ରୁ ୩୫୦ ଟଙ୍କା ମଧ୍ୟରେ ରହଛି।

ଖଣ୍ଡଗିରି: ସୋମବାର ଶ୍ୟାମପୁର ଦୋଳମେଳଣ ପର୍ବ ମହା ସମାରୋହରେ ଶେଷ ହୋଇଛି। ଅପରାହ୍ଣରେ ଅନୁଷ୍ଠିତ ହରିହର ଭେଟ ପରେ ଆଖପାଖ ୩୦ ଖଣ୍ଡ ପଡ଼ୋଶୀ ଗାଁରୁ ଆସିଥିବା ଅତିଥି ଠାକୁରମାନେ ମେଲାଣି ନେଇଛନ୍ତି। ଫଗୁଖେଳ, ଲଉଡ଼ି ଖେଳ ଓ ଦହିହାଣ୍ଡି ଭଙ୍ଗା ଭଳି ପ୍ରଥା ଅନୁସାରେ ପାଳିତ ହୋଇଥିବା ଏହି ପର୍ବ ଏଥର ଅଧିକ ରଙ୍ଗିନ୍ ହୋଇଥିଲା। ଏକାଦଶୀ ତିଥିରୁ ଆରମ୍ଭ ହୋଇଥିବା ଏହି ମେଳଣର ଆଜି ଥିଲା ଶେଷଦିନ। ଗତକାଲିଠାରୁ ସମସ୍ତ ଅତିଥିଠାକୁର ମେଳଣ ପଡ଼ିଆରେ ଜମା ହୋଇ ସାରିଥିଲେ। ଆଜି ଠାକୁରମାନଙ୍କୁ ବିଧି ମୁତାବକ ପୂଚାର୍ଚ୍ଚନା କରାଯିବା ପରେ ହରି‌ହର ଭେଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ଅବସରରେ ଗ୍ରାମବାସୀମାନେ ଥାନପତି ସିଦ୍ଧ‌େଶ୍ବର ମହାଦେବ ଓ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାଙ୍କ ସହ ଅତିଥିଠାକୁରମାନଙ୍କୁ ଅବିର ଲାଗି କରିଥିଲେ। ଏ ଭିତରେ ମେଳଣ ପଡ଼ିଆରେ ଆରମ୍ଭ ହୋଇ ଯାଇଥିଲା ଅବିର ଖେଳ। ପୁରୁଷ ଓ ମହିଳା ସବୁ ବର୍ଗର ଲୋକମାନେ ଫଗୁ ଖେଳରୁ ମଜା ଉଠାଇଥିଲେ। ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ବେଳକୁ ମେଳଣ ପଡ଼ିଆ‌ରେ ହଜାର ହଜାର ଦର୍ଶକ ଭିଡ଼ ଜମାଇଥିଲେ। ହରିହର ଭେଟ ବେଳକୁ ଆତସବାଜି କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥିଲା।

ସମ୍ବନ୍ଧିତ ଖବର