ଫଗୁରେ ଭିଜେଇଲା ଫଗୁଣ

0

ଭୁବନେଶ୍ବର: ଏଥର ବି ଫଗୁଣ ଆଣିଥିଲା ରଙ୍ଗର ପେଡ଼ି। ରଙ୍ଗରେ ଭିଜେଇ ଦେଇଥିଲା ତନ ଆଉ ମନ। ଛୋଟବଡ଼ର ପାର୍ଥକ୍ୟ କି ଉଚ୍ଚନୀଚ୍ଚର ଭେଦଭାବ ନଥିଲା। ଯିଏ ଯେଉଁଠି ଯାହାକୁ ପାଉଥିଲା ଫଗୁ ବୋଳି ସଦ୍‌ଭାବନାର ପରଶ ବାଣ୍ଟୁଥିଲା। କେତେ ଅଚିହ୍ନା ମୁହଁ ବି ଚିହ୍ନା ପାଲଟି ଯାଉଥିଲା। କାହିଁ କେତେଦିନର ଅଭିମାନ, ରାଗ ରୁଷା ସବୁରେ ପୂର୍ଣ୍ଣଛେଦ ଟାଣି ଦେଉଥିଲା ମୁଠାଏ ଅବିର। ମିନି ରାଜ୍ୟ ଭାବେ ଗଣା ରାଜଧାନୀ ବି ସଦ୍‌ଭାବନାର ଫଗୁରେ ଭିଜିଥିଲା। ଉପକଣ୍ଠରୁ ନଗର ଯାଏଁ ହୋଲିର ରଙ୍ଗରେ ଉବୁଟୁବୁ ହୋଇଥିଲେ ରାଜଧାନୀବାସୀ। ପୁଲିସ୍‌ଙ୍କଠାରୁ ରାଜନେତା ଯାଏଁ ସଭିଏଁ ସାମିଲ୍ ହୋଇଥିଲେ। କଂଗ୍ରେସ ଭବନରେ ମଧ୍ୟ ବାଜାର ତାଳେତାଳେ ନାଚିବା ସହ ହୋଲି ଉତ୍ସବ ପାଳନ ହେଉଥିଲା। ପୌରାଣିକ କଥାବସ୍ତୁ ମୁତାବକ, ହିରଣ୍ୟକଶିପୁ ରାକ୍ଷସର ଭଉଣୀ ହୋଲିକା କପଟ କରି ଭକ୍ତ ପ୍ରହ୍ଲାଦଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରି ସେଇ ନିଆଁରେ ନିଜେ ପୋଡ଼ି ହୋଇ ମୃତ୍ୟୁମୁଖରେ ପଡ଼ିବା ପରେ ଏହା ପରଦିନ ପାପ ଉପରେ ପୁଣ୍ୟର ବିଜୟ ସ୍ବରୂପ ହୋଲି ପାଳନ ହୋଇଥିବା ବେଳେ ଏହି ପରମ୍ପରାକୁ ସଦ୍‌ଭାବନାର ପର୍ବ ଭାବେ ଜାତି, ଧର୍ମ,ବର୍ଣ୍ଣ, ଛୋଟ ବଡ଼ ନିର୍ବିଶେଷରେ ସଭିଏଁ ପାଳନ କରି ଆସୁଛନ୍ତି।

ଏକାଠି ଗୋଟେଦିନ: କପିଳେଶ୍ବରବାସୀ ଏକାଠି ଗୋଟିଏ ସ୍ଥାନରେ ପରସ୍ପରକୁ ରଙ୍ଗ ବୋଳିବା ସହ ଭୋଜି ଭାତର ଆୟୋଜନ କରିଥିଲେ। କିଛି ସ୍ଥାନରେ ଡିଜେର ଆୟୋଜନ ସହ ପଣା ପିଆ ଜମିଥିଲା। ଜୟଦେବ ବିହାରରେ ଏକ ଇଭେଣ୍ଟ୍ ମ୍ୟାନେଜ୍‌ମେଣ୍ଟ୍ ସଂସ୍ଥା ପକ୍ଷରୁ ରେନ୍ ଡ୍ୟାନ୍ସ ପାର୍ଟିର ଆୟୋଜନ କରାଯାଇଥିଲା। ରଙ୍ଗରେ ପରସ୍ପରକୁ ରଙ୍ଗିନ କରିବା ପରେ ରେନ୍ ଡ୍ୟାନ୍ସ ପାର୍ଟିରେ ରଙ୍ଗ ଛଡ଼େଇବା ସହ ନାଚକୁଦରେ ମାତିଥିଲେ। ମୁହଁରେ ରଙ୍ଗ ଏମିତି ମାଖି ହୋଇଥିଲା ଯେ, କେହି କାହାକୁ ଚିହ୍ନିବା ସମ୍ଭବ ନଥିଲା। ପରସ୍ପରର ଚେହେରାକୁ ଟିକେ ନିଆରା ଢଙ୍ଗରେ ଦେଖିବା ପରେ ଅନେକ ହସିହସି ବେଦମ ହେଇଯାଉଥିଲେ। ତେବେ ଖାଲି ପରିବାର କି ଗାଁ’ ଭିତରେ ସୀମିତ ନଥିଲା ଏହି ରଙ୍ଗର ପର୍ବ। ହୋଲି ପୂର୍ବରୁ ଦିବ୍ୟାଙ୍ଗମାନଙ୍କ ସହ ହର୍ବାଲ ରଙ୍ଗ ଖେଳିବାର ଅବକାଶ ଆଣିଥିଲା ସ୍ବପ୍ନା ପତି ଫାଉଣ୍ଡେସନ୍। ସବ୍ୟସାଚୀ, ବାବୁସାନ୍, ଭୂମିକା, ସ୍ବପ୍ନା ପତିଙ୍କ ସମେତ ଅନେକ ଖ୍ୟାତନାମା ଲୋକେ ଏହି ନିଆରା ରଙ୍ଗ ପର୍ବରେ ସାମିଲ୍ ହୋଇ ହୋଲି ପୂର୍ବରୁ ହୋଲିର ମଜା ଉଠାଇଥିଲେ।

ନିରାଶ୍ରିତଙ୍କ ସହ ହୋଲି: ନିରାଶ୍ରିତଙ୍କ ହୃଦୟ ନିରୀହ ମୁହଁ ତଳେ ଲୁଚି ଯାଇଥିବା ଦୁଃଖକୁ ସୁଖରେ ପରିଣତ କରିବା ପାଇଁ ଚେଷ୍ଟା କରିଥିଲା ଓଡ଼ିଶା ପତିତା ଉଦ୍ଧାର ସମିତି। ବିଏମ୍‌ସି ସହଯୋଗରେ ଗଙ୍ଗନଗର ଓ ଚନ୍ଦ୍ରଶେଖରପୁରସ୍ଥିତ ନିରାଶ୍ରିତ ଆଶ୍ରୟସ୍ଥଳୀରେ ଆୟୋଜିତ ହୋଇଥିଲା ହୋଲି ଉତ୍ସବ। ରଙ୍ଗର ଏହି ପର୍ବ ସହ ସେମାନଙ୍କୁ ସାମିଲ୍ କରିବା ପାଇଁ ଫଗୁ ଖେଳ ସହ ଖାଦ୍ୟପେୟର ଆୟୋଜନ କରାଯାଇଥିଲା। ଏଥିସହ କିଛି ବ୍ୟକ୍ତିବିଶେଷ ସେଠାକୁ ଯାଇ ବୃଦ୍ଧବୃଦ୍ଧାଙ୍କୁ ରଙ୍ଗ ଖେଳରେ ସାମିଲ୍ କରିଥିଲେ। ଓଡ଼ିଶା ପତିତା ଉଦ୍ଧାର ସମିତିର ଆଭାରାଣୀ ଚୌଧୁରୀଙ୍କ କହିବା ଅନୁଯାୟୀ, ସେମାନେ ଯେପରି ସମାଜଠୁ ଦୂରେଇ ଯାଇଛନ୍ତି ବୋଲି କେବେ ହୃଦୟଙ୍ଗମ ନକରନ୍ତୁ ସେଇ ଉଦ୍ଦେଶ୍ୟ ନେଇ ବିଭିନ୍ନ ପର୍ବ ପର୍ବାଣୀ ଆଶ୍ରୟସ୍ଥଳୀରେ ପାଳନ କରିଆସୁଛୁ। ନିରାଶ୍ରିତଟିଏ ବୋଲି ସେ ଯେ, ଏ ସମାଜ ମଧ୍ୟରେ ନାହିଁ ବୋଲି କେବେ ନଭାବୁ ସେଇ ଉଦ୍ଦେଶ୍ୟ ନେଇ ଆମେ ଏହି ପର୍ବ ପାଳନ କରୁଛୁ ବୋଲି କହିଛନ୍ତି ଶ୍ରୀମତୀ ଚୌଧୁରୀ। ଆଇନ୍ ଶୃଙ୍ଖଳାରୁ ଟିକେ ବିରତି: ହୋଲିରେ ଶାନ୍ତି ଶୃଙ୍ଖଳା ତଦାରଖ କରୁଥିବା ଓଡ଼ିଶା ପୁଲିସ୍ ଓ କମିସନରେଟ୍ ପୁଲିସ୍ ମଧ୍ୟ ହୋଲିରେ ମସଗୁଲ ହୋଇଥିଲା। ଏଠି ଅଧିକାରୀଙ୍କୁ ସାଲ୍ୟୁଟ୍ ମାରିବାକୁ ପଡ଼ି ନଥିଲା ବରଂ ପୁଲିସ୍ ଡିଜି ଆର୍.ପି ଶର୍ମାଙ୍କ ଗାଲରେ ଓ ମୁଣ୍ଡରେ ଫଗୁ ମାଖି ସ୍ନେହ ଓ ସଦ୍‌ଭାବନାର ମହକ ବାଣ୍ଟିଥିଲେ ପୁଲିସ୍ ସେବାଧାରୀ। ସେହିପରି କମିସନରେଟ୍ ପୁଲିସ୍ ପକ୍ଷରୁ ମଧ୍ୟ ହୋଲି ପାଳନ କରାଯାଇଥିଲା। ଆଇନ୍‌ ଶୃଙ୍ଖଳାର ଚାରିକାନ୍ଥ ଭିତରୁ କିଛି ସମୟ ପାଇଁ ବିରତି ନେଇ ତେଲିଙ୍ଗି ବାଜାରେ ତାଳ ଦେଇ ନାଚିବା ସହ ରଙ୍ଗର ପର୍ବରେ ଭିଜିଥିଲେ। ଅତିରିକ୍ତ ପୁଲିସ୍ କମିସନର ସଂଜୟ ସିଂହ ଏବଂ ଡିସିପି ଅନୁପ କୁମାର ସାହୁ ମଧ୍ୟ ପୁଲିସ୍ ବାହିନୀଙ୍କ ସହ ଏଥିରେ ସାମିଲ୍ ହୋଇଥିଲେ।

ଦହି ହାଣ୍ଡି ଭାଙ୍ଗିଲେ
ନୟାପଲ୍ଲୀ ବେହେରା ସାହିରେ ଦୋଳପୂର୍ଣ୍ଣିମା ଅବସରରେ ବ୍ୟାପକ ଆୟୋଜନ ସହ ଶ୍ରୀକୃଷ୍ଣ କ୍ଲବ୍‌ରେ ଦହି ହାଣ୍ଡି ଭଙ୍ଗା ପରମ୍ପରା ଦେଖିବାକୁ ମିଳିଥିଲା। ଏହି ଅବସରରେ ପ୍ରତ୍ୟେକ ପରିବାରରେ ଗୋ-ବନ୍ଦାଣ କାର୍ଯ୍ୟକ୍ରମ ଆୟୋଜନ ସହ ଲଉଡ଼ି ଖେଳ ଆକର୍ଷଣ ସାଜିଥିଲା। ତେବେ ପରଦିନ ଦହି ହାଣ୍ଡି ଭଙ୍ଗା ପରମ୍ପରା ଦେଖିବାକୁ ଭିଡ଼ ପରିଲକ୍ଷିତ ହୋଇଥିଲା। ଦୀର୍ଘବର୍ଷ ଧରି ବେହେରା ସାହିରେ ପ୍ରତ୍ୟେକ ପରିବାର ଏହି ପର୍ବକୁ ଏକାଠି ପାଳନ କରି ଆସୁଥିବା ବେଳେ ଦହି ହାଣ୍ଡି ଭଙ୍ଗା ଭଳି ପରମ୍ପରାକୁ ଆଜି ପର୍ଯ୍ୟନ୍ତ ଉଜ୍ଜୀବୀତ ରଖାଯାଇପାରିଛି ବୋଲି ଶ୍ରୀଶ୍ରୀ ରାଧାମୋହନ ଉନ୍ନୟନ କମିଟିର ସମ୍ପାଦକ ନବକିଶୋର ବେହେରା କହିଛନ୍ତି।

କିସ୍‌’ରେ ଓଲିଉଡ୍‌ ଷ୍ଟାର୍‌ଙ୍କ ସହ ହୋଲି ଖେଳିଲେ ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର: ଆଦିବାସୀ ଆବାସିକ ଶିକ୍ଷାନୁଷ୍ଠାନ କିସ୍‌ରେ ପବିତ୍ର ରଙ୍ଗର ପର୍ବ ହୋଲି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଷ୍ଟାର୍‌ମାନେ ଯୋଗଦେଇ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ସହ ଏହି ଉତ୍ସବର ମଜା ଉଠାଇଥିଲେ। ପରସ୍କରକୁ ରଙ୍ଗ ଅବିର ଲଗାଇଥିଲେ। କାଦମ୍ବିନୀ ସଂପାଦିକା ଇତି ସାମନ୍ତ ଓ କିଟ୍ ଓ କିସ୍’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ କଳାକାରମାନଙ୍କୁ ସ୍ବାଗତ କରିବା ସହ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଧିତ କରିଥିଲେ। ଅନୁଷ୍ଠାନର ସାଂସ୍କୃତିକ ବିଭାଗ ଛାତ୍ରଛାତ୍ରୀମାନେ ରଙ୍ଗବତୀ…, ରଙ୍ଗ ବରଷେ… ଆଦି ଧୁନ୍‌ରେ ଓଲିଉଡ୍‌ କଳାକାରମାନଙ୍କ ସହ ମିଶି ନୃତ୍ୟଗୀତ‌ରେ ସାମିଲ ହୋଇଥିଲେ। ସବ୍ୟସାଚ୍ଚୀ ମିଶ୍ର, ଅର୍ଚ୍ଚିତା ସାହୁ, ସ୍ବପ୍ନା ପତି, ଭୂମିକା ଦାଶ, ସନମିରା, ଶିବାନୀ, ମିଲନ୍, ପ୍ରେରଣା, ମଧୁ, ଆଲକା, ହାଡ଼ୁ, ଗୁଡ଼ୁ, ବିକାଶ ଦାସ, ରାଜା, ‌ଦେବ, ଜ୍ୟାକଲିନ୍, ତମ୍ମନା, ବିଦୁସ୍ମିତା, ସୁଲତା, ଟୁଇଁକିଲ୍ ଓ ଦିବ୍ୟା ପ୍ରମୁଖଙ୍କ ସହ ୩୨ଜଣ ସିନେ କଳାକାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.