ସେକ୍ସ ରୢାକେଟ୍‌ ଠାବ ଘଟଣା: ଘରମାଲିକଙ୍କୁ ନୋଟିସ୍‌, ଘୋଷଣା ହେବ ବେଶ୍ୟାଳୟ

ଭୁବନେଶ୍ୱର: କଟକ ରୋଡ୍‌ରେ ଥିବା ସନ୍‌ସାଇନ୍‌ ପ୍ଲାଜା ସେକ୍ସ ରୢାକେଟ୍‌ରେ ଧରା ପଡ଼ିଥିବା ଦେହଜୀବୀ ଓ ଗ୍ରାହକଙ୍କର ଡାକ୍ତରୀ ମାଇନା କରାଯାଇଛି। ଦେହଜୀବୀଙ୍କୁ ସ୍ବଧାର ଗୃହକୁ ପଠା ଯାଇଥିବା ବେଳେ ଅଧିକ ପଚରାଉଚରା ପାଇଁ ଗ୍ରାହକଙ୍କୁ ଅଟକ ରଖାଯାଇଛି। ‌ସମ୍ପୃକ୍ତ କୋଠାକୁ ବେଶ୍ୟାଳୟ ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଘର ମାଲିକ କୁଲୱନ୍ତ ସିଂଙ୍କୁ ନୋଟିସ୍‌ ଜାରି କରାଯାଇଛି। ସେ ଲକ୍ଷ୍ମୀସାଗର ଥାନାରେ ହାଜର ହୋଇ ପୁଲିସକୁ ତଥ୍ୟ ଦେବେ। ଅନ୍ୟପଟେ ନିଜକୁ ଡାକ୍ତର ଦାବି କରି ଫିଜିଓଥେରାପି କରୁଥିବା କୋରାପୁଟ୍‌ର ସୁଧାଂଶୁ ରଞ୍ଜନ ମାଣିଆଙ୍କୁ ପଚରାଉଚରା ଚାଲିଛି। ତିନିମହଲା କୋଠାର ଗ୍ରାଉଣ୍ଡ ଓ ପ୍ରଥମ ମହଲାରେ ବ୍ୟାଙ୍କ, ତୃତୀୟ ମହଲାରେ ଏକ ଜିମ୍‌ ରହିଛି। ବ୍ୟାଙ୍କ୍‌ ପ୍ରବେଶ କରିବା ପୂର୍ବରୁ ବାମ ପାର୍ଶ୍ବରେ ଏକ ଗଳି ବାଟ ରହିଛି। ଏହି ବାଟ ଦେଇ ଗଲେ ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା ବ୍ୟାଙ୍କ୍‌ର ଠିକ୍‌ ପଛରେ ଏହି ଫିଜିଓଥେରାପି ସେଣ୍ଟର ରହିଛି। ଭିତରେ ରିସେପ୍‌ସନ୍‌ ସହ ଗୋଟିଏ ଡାଏନିଂ ସ୍ପେସ୍‌ ରହିଛି। ଗ୍ରାହକ ସହ ଦର ଛିଣ୍ଡିବା ପରେ ଭିତରେ ଥିବା ୩ଟି ରୁମ୍‌ରେ ବେପାର ଆରମ୍ଭ ହୁଏ।

ସନ୍‌ସାଇନ୍‌ ପ୍ଲାଜାଠାରୁ ମାତ୍ର ଶହେ ପୁଟ୍‌ ଦୂରରେ ରହିଛି ଘର ମାଲିକଙ୍କ ଏକ ଅଟୋମୋବାଇଲ୍ସ ଦୋକାନ। ହେଲେ ଏଠାରେ ସେକ୍ସ ରୢାକେଟ୍‌ ଚାଲିଥିବା କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କ ଜାଣତରେ ଏହି ବେପାର ଚାଲିଥିବା ପୁଲିସ ସନ୍ଦେହ କରୁଛି। ଏଠାରେ କାମ କରୁଥିବା ଦେହଜୀବୀମାନେ ବାହାରକୁ ବାହାରୁ ନ ଥିଲେ। କାହାରିକୁ ମୋବାଇଲ ଫୋନ୍‌ ବ୍ୟବହାର କରିବା ପାଇଁ ଦିଆଯାଉ ନଥିଲା। ପ୍ରାଥମିକ ପର୍ଯ୍ୟାୟରେ ହୋଇଥିବା ପଚରା ଉଚରାରେ ଗ୍ରାହକ ତାଲିକାରେ କେତେକ ଯୁବନେତା ଓ ସରକାରୀ ଅଫିସର ରହିଥିବା ଜଣାପଡ଼ିଛି। ଗତକାଲି ଏସିପି ଜୋନ୍‌-୪ ଅମରେନ୍ଦ୍ର ପଣ୍ଡା ଓ ଲକ୍ଷ୍ମୀସାଗର ଥାନା ଆଇଆଇସି ଦୟାନିଧି ନାୟକଙ୍କ ଅଧୀନରେ ଦୁଇଟି ଦଳ ଗଠନ କରାଯାଇ ଏହି ସେଣ୍ଟର ଉପରେ ଚଢ଼ଉ କରାଯାଇଥିଲା। ଦୁଇ ଗ୍ରାହକଙ୍କ ସମେତ ୪ ଦେହଜୀବୀ ଓ କେନ୍ଦ୍ର ମୁଖ୍ୟ ମଞ୍ଚେଶ୍ବର ଚକେଇସିହାଣୀର ଗିରିଜା ଶଙ୍କର ସେନାପତି ଓ ତାଙ୍କ ପାର୍ଟନର କୋରାପୁଟର ସୁଧାଂଶୁ ରଞ୍ଜନ ମାଣିଆଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର