ଅଭିନନ୍ଦନଙ୍କ ପ୍ରେମରେ ହୋମଗାର୍ଡ

ଭୁବନେଶ୍ବର: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଧମାନ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ମଝି ଆକାଶରେ ନଷ୍ଟ କରି ସାରା ବିଶ୍ବରେ ଏକ ଚର୍ଚ୍ଚିତ ଚେହେରା ପାଲଟିଗଲେ। ପାକିସ୍ତାନ ସେନାର ମାନସିକ ନିର୍ଯାତନା ପରେ ବି ସେ ନିଜ ଦେଶର ସୁରକ୍ଷା ସହ ଜଡ଼ିତ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ତାଙ୍କର ଏହି ସାହସ ରାତାରାତି ତାଙ୍କୁ ସାରା ଦେଶରେ ନୂଆ ପରିଚୟ ଆଣିଦେଲା। ଅଭିନନ୍ଦନଙ୍କ ସାହସ ସାଙ୍ଗକୁ ତାଙ୍କ ଷ୍ଟାଇଲିସ ନିଶ ତାଙ୍କ ବ୍ୟକ୍ତିତ୍ବକୁ ବଢ଼ାଇ ଦେଇଥିଲା। ତାଙ୍କୁ ଅନୁସରଣ କରି ସାରା ଦେଶରେ ଅନେକ ଯୁବକ ସମାନ ଢ଼ଙ୍ଗରେ ନିଶ ରଖିଛନ୍ତି। ଏହି ଧାରାରେ ଅଭିନନ୍ଦନଙ୍କ ନିଆରା ନିଶ ପ୍ରେମରେ ପଡ଼ିଛନ୍ତି କମିସନରେଟ ପୁଲିସର ଜଣେ ହୋମଗାର୍ଡ। ସେ ହେଉଛନ୍ତି ବିରଞ୍ଚି ନାରାୟଣ ହୋତା। ବିରଞ୍ଚି ଏବେ ଡିସିପିଙ୍କ କାର୍ଯ୍ୟାଳୟରେ ହୋମଗାର୍ଡ ଡ୍ରାଇଭର୍‌ ଭାବେ କାର୍ଯ୍ୟରତ। କିନ୍ତୁ ତାଙ୍କ ନିଶକୁ ନେଇ ସେ ଏବେ ଚର୍ଚାରେ। ଯେଉଁଆଡ଼େ ଗଲେ ତାଙ୍କ ନିଶକୁ ଅନେକ ଦେଖିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି। ଏପରିକି କେତେକ ତାଙ୍କ ସହ ସେଲଫି ନେଉଛନ୍ତି। ଏଭଳି ନିଶ ରଖିବା ସମ୍ପର୍କରେ ବିରଞ୍ଚି କୁହନ୍ତି, ଅଭିନନ୍ଦନଙ୍କ ସାହସକୁ ମୁଁ ସାଲ୍ୟୁଟ କରୁଛି। ଦେଶ ମାତୃକା ପାଇଁ ସେ ଯେଭଳି ନିଜ ଜୀବନକୁ ବାଜିଲଗାଇ ଶତ୍ରୁଙ୍କୁ ଘଉଡ଼ାଇଥିଲେ ତାହା ଭାରତୀୟ ବୀରଙ୍କ ପରାକ୍ରମର ପରିଚୟ ଦେଇଥିଲା। ବଡ଼ କଥା ହେଉଛି ଯେଉଁଭଳି ଭାବେ ସେ ପାକିସ୍ତାନରେ ନିର୍ଯାତନାର ଶିକାର ହୋଇଥିଲେ, ଏଥିରେ ସେ ତିଳେମାତ୍ର ଭାଙ୍ଗି ଯାଇ ନ ଥିଲେ। ବରଂ ଛାତି ଫୁଲାଇ ସ୍ବଦେଶ ପ୍ରତ୍ୟାବର୍ତନ କରିଥିଲେ। ଅଭିନନ୍ଦନଙ୍କ ଏହି ସାହସ ଦେଖି ମୁଁ ତାଙ୍କର ଜଣେ ମୁଗ୍ଧ ପ୍ରଶଂସକ ପାଲଟି ଯାଇଛି ବୋଲି ସେ କହିଛନ୍ତି। ତେଣୁ ତାଙ୍କ ପ୍ରତି ଶ୍ରଦ୍ଧା ଉଦ୍ଦେଶ୍ୟରେ ମୁଁ ଏଭଳି ନିଶ ରଖିଛି। ବିରଞ୍ଚିଙ୍କ ଏଭଳି ନିଶକୁ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ ପ୍ରଶଂସା କରିଛନ୍ତି।  ଏହି ନିଶ ବିରଞ୍ଚିଙ୍କୁ ନୂଆ ପରିଚୟ ଦେବା ଆରମ୍ଭ କରିଛି। ଏମିତି କି, କମିସନରେଟ୍‌ ପୁଲିସରେ ତାଙ୍କୁ ଅଭିନନ୍ଦନ ହୋତା ନାଁ‌’ରେ ଡକା ପଡ଼ିଲାଣି।

ସମ୍ବନ୍ଧିତ ଖବର