ଓଡ଼ିଶାରେ ଖୋଲିବ ହୋମିଓପାଥି ଡ୍ରଗ୍‌ସ ଟେଷ୍ଟିଂ ଲାବୋରେଟାରି

ଗାଜିଆବାଦ ପରେ ଭାରତରେ ହେବ ଦ୍ୱିତୀୟ ଲାବୋରେଟାରି

ଭୁବନେଶ୍ୱର: ହୋମିଓପାଥି ଔଷଧର ଗୁଣାତ୍ମକତା ଓ ମାନ ନିର୍ଧାରଣ ପାଇଁ ଆଉ ଗାଜିଆବାଦ ଯିବାକୁ ପଡ଼ିବନି। ଓଡ଼ିଶାରେ ହିଁ ହୋମିଓପାଥି ଔଷଧର ଗୁଣ ପରଖି ହେବ। ଓଡ଼ିଶାରେ ଖୋଲିବ ‘ହୋମିଓପାଥି ଡ୍ରଗ୍‌ସ ଟେଷ୍ଟିଂ ଲାବୋରେଟାରି’। ଭୁବନେଶ୍ୱରସ୍ଥିତ ଡ.ଅଭିନଚନ୍ଦ୍ର ହୋମିଓପାଥିକ୍‌ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ ପରିସରରେ ପ୍ରତିଷ୍ଠା ହେବ ଏହି ଲାବୋରେଟାରି। ଜାତୀୟ ଆୟୁଷ ମିସନ୍‌ ଅଧୀନରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ସ୍ଥାପିତ ହେବ। ଭାରତରେ ଗାଜିଆବାଦର ହୋମିଓପାଥିକ୍‌ ଫାର୍ମାକୋପିଆ ଲାବୋରେଟୋରି ପରେ ଓଡ଼ିଶା ହିଁ ଏଭଳି ଏକ ହୋମିଓପାଥି ଡ୍ରଗ୍‌ସ ଲାବୋରେଟାରି ସ୍ଥାପନର ଭାଗୀଦାରି ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହୋଇଯାଇଛି। ବର୍ତମାନ ସୁଦ୍ଧା ୩କୋଟି ବଜେଟ୍‌ ଯୋଗାଇ ଦେବା ପାଇଁ ସ୍ଥିର ହୋଇଥିବା ବେଳେ ଏଥିପାଇଁ ବିଲ୍‌ଡିଂ କାମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬୮ ଲକ୍ଷ ଟଙ୍କା ଆସିଥିବା ବେଳେ ପର୍ଯ୍ୟାୟକ୍ରମେ ଟଙ୍କା ଆସି ଆବଶ୍ୟକ ଟେଷ୍ଟିଂ ସରଞ୍ଜାମ ଆସିବ। ଏହା ମଧ୍ୟରେ ନୂଆ କର୍ମ ନିଯୁକ୍ତିର ମଧ୍ୟ ସୁଯୋଗ ସୃଷ୍ଟି ହେବ। ଗାଜିଆବାଦ ଏକମାତ୍ର ହୋମିଓପାଥି ଔଷଧ ପରୀକ୍ଷା ଲାବୋରେଟାରି ଥିବାରୁ ପୂରା ଦେଶ ସେଇ ଗୋଟିଏ କେନ୍ଦ୍ର ଉପରେ ନିର୍ଭର କରୁଥିଲା। ତେଣୁ ପରୀକ୍ଷା ପାଇଁ ଯଥେଷ୍ଟ ସମୟ ଲାଗୁଥିଲା। ମାତ୍ର ଓଡ଼ିଶାରେ ଏହି ବ୍ୟବସ୍ଥା ଉପଲବ୍ଧ ହେବା ପରେ କେବଳ ଓଡ଼ିଶା ନୁହେଁ ଏହାର ଆଖପାଖ ପଡ଼ୋଶୀ ରାଜ୍ୟ ମଧ୍ୟ ଏହାର ସୁବିଧା ନେଇପାରିବେ ବୋଲି ‘ଆୟୁଷ ଓଡ଼ିଶା’ର ନିର୍ଦେଶକ ଗୋପବନ୍ଧୁ ଶତପଥୀ କହିଛନ୍ତି।

ଡ.ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ ପକ୍ଷରୁ ଆୟୁଷ ମନ୍ତ୍ରାଳୟ ସହଯୋଗରେ ଆୟୋଜିତ ଜାତୀୟ ହୋମିଓପାଥିକ ସମ୍ମିଳନୀ ଅବସରରେ ଶ୍ରୀ ଶତପଥୀ ଏହି ସୂଚନା ଦେଇଛନ୍ତି। ଆଜିର ଏହି ସମ୍ମିଳନୀକୁ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉଦ୍‌ଘାଟନ କରି କହିଥିଲେ ଯେ, ଏବେ ବି ଅନେକ ରୋଗ ଅଛି ଯାହାର ସମ୍ପୂର୍ଣ୍ଣ ପ୍ରତିକାର ସମ୍ଭବ ହୋଇପାରିନି। ତେଣୁ ଏ ଦିଗରେ ଗୁରୁତ୍ୱ ଦେଇ ସେଇଭଳି ରୋଗକୁ ଜିତି ପାରିଲେ ହିଁ ଆମେ ସେହିଦିନ ଉତ୍ସବ ପାଳନ କରିପାରିବା ବୋଲି ସେ କହିଥିଲେ। ଏମ୍‌ସ, ଭୁବନେଶ୍ୱରର ନିର୍ଦେଶିକା ଗୀତାଞ୍ଜଳି ବଟ୍‌ମାନବେ ମୁଖ୍ୟବକ୍ତା ଭାବେ ନିଜର ବକ୍ତବ୍ୟ ରଖି କହିଲେ, ଔଷଧର ଗୁଣାତ୍ମକ ମାନ ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ। ଏହା ବଳରେ ହିଁ ଲୋକଙ୍କ ଭରସା ଜିଣି ହେବ ବୋଲି ସେ କହିଥିଲେ। ଆୟୋଜକ କମିଟିର ସମ୍ପାଦକ ଡ.ଜୀବନକୃଷ୍ଣ ପଟ୍ଟନାୟକ କହିଲେ, ସଂପ୍ରତି ୧୨୦ରୁ ଊର୍ଧ୍ୱ ମାଂସପେଶୀ ଓ ଅସ୍ଥିଜନିତ ରୋଗ ଦେଖିବାକୁ ମିଳିଛି। ତେବେ ଏହାକୁ ଏତେଟା ଗୁରୁତ୍ୱ ଦିଆଯାଉ ନାହିଁ। ମାତ୍ର ଏହା ଭବିଷ୍ୟତରେ ମୃତ୍ୟୁ ମୁଖକୁ ଠେଲି ଦେଉଥିବା ବେଳେ ବିକଳାଙ୍ଗ ସଜେଇ ଦେଉଛି। ଯଦିଓ ଏ ବାବଦରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ରହିଛି, ମାତ୍ର ଏହାକୁ ସଂପୂର୍ଣ୍ଣ ପ୍ରତିହତ କରିବାରେ ଚିକିତ୍ସା ବିଜ୍ଞାନ ଏତେଟା ସଫଳ ହୋଇପାରିନି। ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଚିନ୍ତାର କାରଣ ହୋଇଛି। ଅଥଚ ହୋମିଓପାଥି କ୍ଷେତ୍ରରେ କମ୍‌ ଦରରେ ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଓ ଅସ୍ଥିଜନିତ ରୋଗର ନିରାକାରଣ ସମ୍ଭବ ହୋଇପାରୁଥିବା ସେ କହିଥିଲେ। ଏ ବିଷୟରେ ଆଜି ବହୁ ବିଶେଷଜ୍ଞ ନିଜର ମତ ମଧ୍ୟ ରଖିଥିଲେ। ଶେଷରେ ଡ.ଅଭିନଚନ୍ଦ୍ର ହୋମିଓପାଥିକ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର ଅଧ୍ୟକ୍ଷ ତଥା ଅଧୀକ୍ଷକ ପ୍ରଫେସର ସୁଦୀପ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର