ହସ୍ପିଟାଲ୍‌ ଅସୁସ୍ଥ, ଅବ୍ୟବସ୍ଥିତ ପାଇଖାନା

ଭୁବନେଶ୍ବର: ହଇଜା ଓ ସଂକ୍ରମଣ ୱାର୍ଡ ଝରକା କଡ଼ ପାଲଟିଛି ଅଘୋଷିତ ଡମ୍ପିଂ। କାନ୍ଥବାଡ଼ ପାଲଟିଛି ପାନଛେପର ଡଷ୍ଟ୍‌ବିନ୍‌। ଧୂମପାନ ପାଇଁ ନିରାପଦ ସ୍ଥାନ ପାଲଟିଛି ପାଇଖାନା। ଇଏ ହେଉଛି ରାଜଧାନୀର ସବୁଠୁ ବିଶ୍ବସ୍ତ ‘କ୍ୟାପିଟାଲ୍‌ ହସ୍ପିଟାଲ୍‌’ର ଚିତ୍ର। ରୋଗୀଟିଏ ସୁସ୍ଥ ହେବା ପାଇଁ ଏଠାକୁ ଆସୁଛି। ଅଥଚ ଖୋଦ୍‌ ହସ୍ପିଟାଲ୍‌ର ଅବସ୍ଥା ଯେ ରୁଗ୍‌ଣ, ତାହା ହଇଜା ଓ ସଂକ୍ରମଣ ୱାର୍ଡ ନିକଟରେ ୧ ମିନିଟ୍‌ ଠିଆ ହେଉଥିବା ଲୋକଟିଏ ଆପେ ବୁଝିଯିବ। ସ୍ବଚ୍ଛତା ପ୍ରତି ଦୃଷ୍ଟି ଦେବାକୁ ଏତେ ଯୋଜନା ହୋଇଛି। ‘କାୟାକଳ୍ପ’ ଭଳି ପୁରସ୍କାରର ଲୋଭ ଦେଖାଯାଇଛି। ମାତ୍ର ସ୍ବାସ୍ଥ୍ୟ କେନ୍ଦ୍ରର ଏ ଅସୁସ୍ଥତାକୁ ଦୂର କରିବାକୁ ଗୁରୁତ୍ବ ଦିଆଯାଉ ନାହିଁ। ଏଥିପାଇଁ କେବଳ ହସ୍ପିଟାଲ୍‌ କର୍ତୃପକ୍ଷ ଦାୟୀ ନୁହନ୍ତି, ବରଂ କିଛି ଲୋକଙ୍କ ଅସ୍ବାଭାବିକ ଆଚରଣ ମଧ୍ୟ ସମପରିମାଣରେ ଦାୟୀ।

ନିରାଶ୍ରିତ ବୋଲି
ହଇଜା ଓ ସଂକ୍ରମଣ ୱାର୍ଡରେ ମୁଖ୍ୟତଃ ନିରାଶ୍ରିତ ଲୋକଙ୍କ ଭିଡ଼ ଜମେ। ସଂପ୍ରତି ଏଠାରେ ରହୁଥିବା ୨୦ରୁ ଅଧିକ ରୋଗୀ ବୃଦ୍ଧ ଏବଂ ନିରାଶ୍ରିତ। ବିଭିନ୍ନ ସଂକ୍ରମଣ ରୋଗ ଯୋଗୁଁ ସେମାନେ ଏଠାରେ ପଡ଼ି ରହିଛନ୍ତି। ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ବଳକା ହେଲେ ତାହା ନେଇ ସେଇ ଝରକା କଡ଼ରେ ପକାଇ ଦିଆଯାଉଛି। ମାତ୍ର ତାହା ନିୟମିତ ସଫା ହେଉନାହିଁ। କିଛି ଦିନ ଅନ୍ତରରେ ସଫେଇ ହେଉଥିବାରୁ ଖାଦ୍ୟ ପଚି ଦୁର୍ଗନ୍ଧ ବାହାରୁଛି। ନିରାଶ୍ରିତ ବୋଲି ଏହି ୱାର୍ଡରେ ଥିବା ରୋଗୀମାନଙ୍କୁ ଏମିତି ହିନିମାନ ହେବାକୁ ପଡ଼ୁଛି। ଆଗରୁ ଏଠାରେ ଡଷ୍ଟ୍‌ବିନ୍‌ ରହିଥିଲା। ମାତ୍ର ଏବେ ଡଷ୍ଟବିନ୍‌ଟିଏ ମଧ୍ୟ ରଖାଯାଇ ନାହିଁ। ଫଳରେ ବାଧ୍ୟ ହୋଇ ବଳକା ଖାଦ୍ୟକୁ ଝରକା କଡ଼ରେ ଗଦେଇ ଦିଆଯାଉଛି।

ଅବ୍ୟବସ୍ଥିତ ପାଇଖାନା
ଆବଶ୍ୟକତାକୁ ଦୃଷ୍ଟିରେ ରଖି ହସ୍ପିଟାଲ୍‌ ପରିସରରେ ପାଇଖାନାର ବନ୍ଦୋବସ୍ତ ଅଛି। ମାତ୍ର ଅଟୋମେଟିକ୍‌ ୱାସ୍‌ ମେସିନ୍‌ ଏଠି ଆରମ୍ଭରୁ ଅଚଳ ପଡ଼ିଛି। ବେସିନ୍‌ ଅଛି, ହେଲେ ଟ୍ୟାପ୍‌ ନାହିଁ। ୱାସ୍‌ ମେସିନ୍‌ ଗୁଟ୍‌ଖା ଓ ଅଧାପୋଡ଼ା ସିଗାରେଟ୍‌ର ଡଷ୍ଟ୍‌ବିନ୍‌ ପାଲଟିଛି। ପାଇଖାନା ମଧ୍ୟରେ ଲାଗିଥିବା ପାଣି ଟ୍ୟାପ୍‌ ଭାଙ୍ଗି ଯାଇଥିବାରୁ ଅନବରତ ପାଣି ବୋହି ନଷ୍ଟ ହେଉଛି। ହେଲେ ଏ ସବୁକୁ ସୁଧାରିବା ପାଇଁ ଗୁରୁତ୍ବ ଦିଆଯାଉନାହିଁ। କିଛି ଅସାମାଜିକ ଲୋକଙ୍କ ଆଚରଣ ଏମିତି ଯେ ଯେଉଁଠି ହସ୍ପିଟାଲ୍‌କୁ ପରିଷ୍କାର ରଖ ବୋଲି ଲେଖାଯାଇଛି ସେଇଠି ହିଁ ପାନ ଛେପ ପକାଉଛନ୍ତି। ଅନେକ ହସ୍ପିଟାଲ୍‌ରେ ଲାଗିଥିବା ପାଣି ମେସିନ୍‌ରୁ ପାଣି ତ ନେଉଛନ୍ତି, କିନ୍ତୁ ପାଣି ନେବା ପରେ ବନ୍ଦ କରିବାକୁ ଗୁରୁତ୍ବ ଦେଉନାହାନ୍ତି।

ହସ୍ପିଟାଲ୍‌ ନା ଧୋବା ତୁଠ
ରୋଗୀଙ୍କ ବ୍ୟବହୃତ ପୋଷାକ ବା ଲୁଗାପଟା ଶୁଖାଇବା ପାଇଁ ନିର୍ଦିଷ୍ଟ ସ୍ଥାନ ନିରୂପିତ ହୋଇଛି। ମାତ୍ର ସେତିକି ଜାଗା ଅଣ୍ଟୁ ନାହିଁ। ହଜାର ହଜାର ରୋଗୀ ହସ୍ପିଟାଲ୍‌ ବେଡ୍‌ରେ ପଡ଼ି ରହୁଥିବା ବେଳେ ତାଙ୍କର ସମ୍ପର୍କୀୟଙ୍କର ମଧ୍ୟ ଭିଡ଼ ଜମୁଛି। ସେଇ ଦୃଷ୍ଟିରୁ ବହୁ ଅପରିଷ୍କାର କପଡ଼ାକୁ ଯିଏ ଯେଉଁଠି ପାରୁଛି, ଶୁଖାଉଛି। ଏପରିକି ୧୦୦ ଶଯ୍ୟା ବିଶିଷ୍ଟ ମା ଓ ଶିଶୁ ଚିକିତ୍ସା କେନ୍ଦ୍ରକୁ ଦିନସାରା ଆଢ଼ୁଆଳ କରି ରଖୁଛି ଧୁଆ ଲୁଗା ଓ ପୋଷାକ, ଯେମିତି ହସ୍ପିଟାଲ୍‌କୁ ସଜାଯାଇଛି। ଏହା ଖାଲି ଅସ୍ବାସ୍ଥ୍ୟକର ପ୍ରଭାବ ପକାଉନାହିଁ ଦୂରଦୂରାନ୍ତରୁ ରାଜଧାନୀକୁ ବହୁ ଆଶା ନେଇ ଆସୁଥିବା ରୋଗୀଙ୍କ ମନରେ ଏହା ନକାରାତ୍ମକ ପ୍ରଭାବ ମଧ୍ୟ ପକାଉଛି ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ କହିଛନ୍ତି। ଏନେଇ ସେ ହସ୍ପିଟାଲ୍‌ର ନିର୍ଦେଶକ ଓ ଅଧୀକ୍ଷକଙ୍କୁ ଜଣାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର