ନିଯୁକ୍ତି ଦେଇ ବଟି ନେଉଛନ୍ତି ଘରୋଇ ସଂସ୍ଥା!

ପିପିପି ମୋଡ୍‌ରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ୱର : ପିପିପି ମୋଡ୍‌ରେ ଚାଲିଥିବା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର-କର୍ମଚାରୀଙ୍କଠାରୁ ବଟି ଆଦାୟ ହେଉଥିବା ଅଭିଯୋଗ ହୋଇଛି। ଘରୋଇ ସଂସ୍ଥା ଦ୍ୱାରା ପରିଚାଳତ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର-କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ପରେ ସେମାନଙ୍କଠାରୁ ବଟି ନିଆଯାଉଛି। ତେବେ ନିର୍ଦ୍ଦିଷ୍ଟ କେଉଁ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ବଟି ଆଦାୟ ହେଉଛି ତାହା ସ୍ପଷ୍ଟ ହୋଇନାହିଁ।

ଜାତୀୟ ସ୍ୱାସ୍ଥ୍ୟ ମିସନ ନିକଟରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ସଂଗଠନ, ଓଡ଼ିଶା ନାଁରେ ଏକ ଅଭିଯୋଗ ପତ୍ର ପହଞ୍ଚିବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଭାଗ ପକ୍ଷରୁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଘଟଣା ସଂପର୍କରେ ଏକ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି।

ରାଜଧାନୀରେ ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍‌ସି ଓ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା ୟୁସିଏଚ୍‌ସି କାର୍ଯ୍ୟ କରୁଛି। ତେବେ ନୀଳାଦ୍ରିବିହାର, ସାମନ୍ତପୁରୀ, ଶିଖରଚଣ୍ଡୀ, ପୋଖରୀପୁଟ ଓ ଘାଟିକିଆ ୟୁପିଏଚ୍‌ସିକୁ ପିପିପି ମୋଡରେ ଘରୋଇ ସଂସ୍ଥା ଚଳାଉଛନ୍ତି। ଏସବୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦେଇଥିବା ବେଳେ ସମସ୍ତଙ୍କ ଦରମା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଛି। ଗତ ଅକ୍ଟୋବର ମାସ ୪ତାରିଖରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ସଂଗଠନ, ଓଡ଼ିଶା ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିସନର ଅତିରିକ୍ତ ପରିଚାଳନା ନିର୍ଦେଶକଙ୍କ ନିକଟକୁ ଏକ ଅଭିଯୋଗପତ୍ର ପହଞ୍ଚିଥିଲା। ଏଥିରେ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିବା ଦରମାରୁ ଟଙ୍କା କାଟି ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏପରିକି ଏହାକୁ ବିରୋଧ କରୁଥିବା କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେବାର ଧମକ ଦିଆଯାଉଥିବା ଉଲ୍ଲେଖ ରହିଥିଲା।

ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ଗତମାସ ୨୩ ତାରିଖରେ ଏଡିଏମ୍‌ଓ(ଜନସ୍ୱାସ୍ଥ୍ୟ)ଙ୍କୁ ଏ ସଂପର୍କରେ ଏକ ଚିଠି ଦିଆଯାଇଥିଲା। ଏହି ଚିଠି ପହଞ୍ଚିବା ପରେ ଏଡିଏମ୍‌ଓ ଏଥିପାଇଁ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏଥିରେ ସିଟି ପ୍ରୋଗ୍ରାମ ମ୍ୟାନେଜର, ସିଟି ଆକାଉଣ୍ଟ ମ୍ୟାନେଜର ଓ କମ୍ୟୁନିଟି ପ୍ରେସେସ୍‌ରେ ଥିବା ଅଧିକାରୀ ରହିଛନ୍ତି। ଏହି କମିଟି ପିପିପି ମୋଡରେ ଚାଲୁଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏଭଳି ଅଭିଯୋଗ ସଂପର୍କରେ ଯାଞ୍ଚ କରିବା ପରେ ଏକ ରିପୋର୍ଟ ପ୍ରଦାନ କରିବେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପିପିପି ମୋଡରେ ଚାଲୁଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ଡାକ୍ତର-କର୍ମଚାରୀଙ୍କଠାରୁ ଦରମା ମିଳିବା ପରେ ବଟି ଆକାରରେ ସେମାନଙ୍କଠାରୁ ଅର୍ଥ ନିଆଯାଉଛି। ଡାକ୍ତରଙ୍କଠାରୁ ୫ହଜାର ଓ ଅନ୍ୟାନ୍ୟ କର୍ମଚାରୀଙ୍କଠାରୁ ସେମାନଙ୍କ ପଦବି ଅନୁଯାୟୀ ଏହି ଟଙ୍କା ନିଆଯାଉଛି। ଯାହାକୁ ନେଇ ଅନେକ କର୍ମଚାରୀ ଅସନ୍ତୁଷ୍ଟ ରହିଥିଲେ ହେଁ, ଚାକିରି ବଞ୍ଚାଇବା ପାଇଁ ଅଭିଯୋଗ କରୁ ନ ଥିବା ଜଣାପଡ଼ିଛି। ନିଯୁକ୍ତି ପର ମାସଠାରୁ ଏଭଳି ବଟି ନିଆଯାଉଥିବା ଅନେକ ଅଭିଯୋଗ କରିଛନ୍ତି।

ଏଡିଏମ୍‌ଓ(ଜନସ୍ୱାସ୍ଥ୍ୟ) ଡା. ଆର.ଜେନା କହିଛନ୍ତି, ଜାତୀୟ ସ୍ୱାସ୍ଥ୍ୟ ମିସନ ନିକଟରୁ ପିପିପି ମୋଡରେ ଚାଲୁଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଟଙ୍କା ଆଦାୟ ହେଉଥିବା ଚିଠି ପହଞ୍ଚିଥିଲା। ତେବେ କେଉଁ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଟଙ୍କା ନିଆଯାଉଥିବା ତାହା ଉଲ୍ଲେଖ ହୋଇନାହିଁ। ଅଭିଯୋଗର ଯାଞ୍ଚ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଯାଞ୍ଚ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ସେହିପରି ମେଡିକାଲ ଅଧିକାରୀ ଡା.ସରୋଜ ବାସିନୀ ପଟ୍ଟନାୟକଙ୍କ ୨ମାସ ଦରମା ପ୍ରଦାନ କରିବାକୁ ସଂପୃକ୍ତ ଘରୋଇ ସଂସ୍ଥାକୁ ୨ଥର ଚିଠି କରାଯାଇଛି। ନିକଟରେ ଆଉ ଏକ ରିମାଇଣ୍ଡର ଦିଆଯାଇଥିବା ଡା.ଜେନା ସୂଚନା ଦେଇଛନ୍ତି।

୨ମାସ ବକେୟା ଦରମା ମିଳିନଥିବା ଅଭିଯୋଗ ଆଣିଲେ ଡାକ୍ତର
ଭୁବନେଶ୍ୱର,୧୫|୧୨(ଇମିସ): ୯ତାରିଖରେ ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟ ଉପରେ ମତ ରଖିଛନ୍ତି ଡା. ସରୋଜ ବାସିନୀ ପଟ୍ଟନାୟକ। ସେ କହିଛନ୍ତି, ଚଳିତବର୍ଷ ମାର୍ଚ ୧ତାରିଖରୁ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ସେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଉପସ୍ଥାନ ଖାତାରେ ଦସ୍ତଖତ କରିଛନ୍ତି। ବାଇଓମେଟ୍ରିକ୍‌ରେ ତାଙ୍କର ଆଙ୍ଗୁଠି ଚିହ୍ନ ନ ନେବାରୁ ତାଙ୍କୁ ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ କୁହାଯାଇଥିଲା। ଅନେକ ଲୋକଙ୍କ କ୍ଷେତ୍ରରେ ମଧ୍ୟ ବାଇଓମେଟ୍ରିକ୍‌ରେ ଆଙ୍ଗୁଠି ଚିହ୍ନ ନେଉ ନାହିଁ। ମାତ୍ର ହଠାତ୍‌ ସେ କାର୍ଯ୍ୟ କରୁଥିବା ୟୁପିଏଚ୍‌ସିର ସଂସ୍ଥା ପକ୍ଷରୁ ତାଙ୍କୁ ଡ୍ୟୁଟିକୁ ନ ଆସିବାକୁ ଚିଠି ଦିଆଯାଇଥିଲା। ଏହି ସମୟରେ ତାଙ୍କର ୨ମାସ ବକେୟା ଦରମା ରହିଥିଲା। ସେପ୍ଟେମ୍ବର ଓ ଅକ୍ଟୋବର ମାସ ଦରମା ନ ମିଳିବାରୁ ସେ ଏଡିଏମ୍‌ଓ(ଜନସ୍ୱାସ୍ଥ୍ୟ)ଙ୍କୁ ଜଣାଇଥିଲେ। ମାତ୍ର ତାଙ୍କୁ ଏ ପର୍ଯ୍ୟନ୍ତ ଦରମା ମିଳି ନ ଥିବା ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର