ଭୁବନେଶ୍ୱରକୁ ୧୯୪୮ମସିହା ଏପ୍ରିଲ ୧୩ତାରିଖରେ ଓଡ଼ିଶାର ରାଜଧାନୀ ମାନ୍ୟତା ମିଳିଲା। ହେଲେ ଏହା ପୂର୍ବରୁ ଭୁବନେଶ୍ୱରକୁ ବହୁ ବାଧାପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା। ଦୀର୍ଘ ୧୫ବର୍ଷର ପ୍ରଶାସନିକ କସରତ ପରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହୋଇଥିଲା। ୧୯୩୩ ମସିହାରେ ଓଡ଼ିଶା ପ୍ରଶାସନିକ କମିଟି ରାଜଧାନୀ ସ୍ଥାପନ ପାଇଁ କଟକସ୍ଥିତ ଚାଉଳିଆଗଞ୍ଜ ଅଞ୍ଚଳକୁ ବାଛି ପ୍ରସ୍ତାବିତ ରିପୋର୍ଟ ସରକାରଙ୍କୁ ଦେଇଥିଲା। କିନ୍ତୁ କଟକର ଉଭୟ ପାର୍ଶ୍ୱରେ ମହାନଦୀ ଓ କାଠଯୋଡ଼ି ପ୍ରବାହିତ ହେଉଥିବାରୁ ଏଠାରେ ରାଜଧାନୀ ପ୍ରତିଷ୍ଠା କରିବା ସୁବିଧାଜନକ ହେବ ନାହିଁ ବୋଲି ବ୍ରିଟିସ୍ ସରକାର ଅନୁଭବ କରିଥିଲେ। ଆଉ ଚାଉଳିଆଗଞ୍ଜ ପ୍ରସ୍ତାବ କାଟ୍ ଖାଇଥିଲା। ପରେ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ପୁନଶ୍ଚ ରାଜ୍ୟରେ ନୂତନ ରାଜଧାନୀ ପ୍ରତିଷ୍ଠା ନେଇ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ବ୍ରିଟିସ ସରକାର ଜୋନ୍୍ସ କମିଟି ଗଠନ କଲେ। ଜୋନ୍ସ୍ କମିଟି ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟବର୍ତ୍ତୀ ରଙ୍ଗେଇଲୁଣ୍ଡା ସମ୍ପର୍କରେ ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରିବା ପରେ ୧୯୩୭ମସିହାରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ଅନୁଧ୍ୟାନ କରାଯାଇଥିଲା। ଏହି ନୂତନ କମିଟି କିନ୍ତୁ ରଙ୍ଗେଇଲୁଣ୍ଡାରେ ରାଜଧାନୀ ପ୍ରତିଷ୍ଠାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଥିଲା। ଏହାପରେ ସରକାର ଡ୍ୟାନ୍ କମିଟି ଗଠନ କଲେ। ଏହି କମିଟିର ପ୍ରସ୍ତାବରେ ଅନେକ ବାଧା ଓ ପ୍ରତିବନ୍ଧକ ଦେଖାଦେବାରୁ ଏହାକୁ ମଧ୍ୟ ବାତିଲ୍ କରିଦିଆଗଲା। ବିଭିନ୍ନ ସମୟରେ କଟକ, ଚୌଦ୍ୱାର ସମେତ ଅନୁଗୁଳ ଓ ଖୋର୍ଦ୍ଧାରେ ନୂତନ ରାଜଧାନୀ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଉଠିଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ଯୋଜନା ବିଭାଗ ଏବଂ ଏହି ବିଭାଗର ଉପଦେଷ୍ଟା ମଣ୍ଡଳୀର ମିଳିତ ଉଦ୍ୟମରେ ଭୁବନେଶ୍ୱର ଓ ମଞ୍ଚେଶ୍ୱର ମଧ୍ୟବର୍ତ୍ତୀ ସ୍ଥାନକୁ ରାଜଧାନୀ ସ୍ଥାପନା ପାଇଁ ଉପଯୁକ୍ତ ସ୍ଥାନ ଭାବେ ବଛାଗଲା। ଶେଷରେ ଓଡ଼ିଶାର ପ୍ରଧାନମନ୍ତ୍ରୀ (ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) ଡକ୍ଟର ହରେକୃଷ୍ଣ ମହତାବ ଭୁବନେଶ୍ୱରରେ ରାଜଧାନୀ ହେବ ବୋଲି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବଟି ତାଙ୍କ ମନ୍ତ୍ରିମଣ୍ଡଳରେ ଏବଂ ପରେ ପରେ ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀ ସ୍ଥାପନ ପାଇଁ ଭୁବନେଶ୍ୱରରେ ସମସ୍ତ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା ଯଥା ସ୍ୱାସ୍ଥ୍ୟକର ପରିବେଶ ଓ ଜଳବାୟୁ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ କୀର୍ତ୍ତିରାଜି, କଳା ସ୍ଥାପତ୍ୟ, ଗମନାଗମନ ପାଇଁ ରାସ୍ତାଘାଟ, କୋଠାବାଡ଼ି ନିର୍ମାଣ କରିବାର ସୁବିଧା, ପର୍ଯ୍ୟଟନସ୍ଥଳୀ ଏବଂ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ପର୍ଯ୍ୟାପ୍ତ ଖୋଲାସ୍ଥାନ ଥିବାରୁ ଭୁବନେଶ୍ୱରକୁ ହିଁ ଉପଯୁକ୍ତ ସ୍ଥାନ ରୂପେ ଚିହ୍ନଟ କରାଗଲା। ଏହା ମଧ୍ୟ ସର୍ବାଦୃତ ହେଲା। ଯେଉଁଥିପାଇଁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୭ ମାସ ପରେ ୧୯୪୮ମସିହା ଏପ୍ରିଲ ୧୩ତାରିଖରେ ନେହରୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।