ଡଙ୍ଗା ଭସା ହେବ କେମିତି?

ପୁରୁଣା ଭୁବନେଶ୍ୱର: ଦିନ କେଇଟା ପରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ବିନ୍ଦୁସାଗରରେ ଡଙ୍ଗା ଭସାଇବା ସହ ଗାଧୋଇବା ପାଇଁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। କିନ୍ତୁ ପୋଖରୀର ଅବ୍ୟବସ୍ଥା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଜଳର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ବେଳେ ପୋଖରୀଟି ସଂପୂର୍ଣ୍ଣ ଦଳ ଘେରରେ ରହିଛି। ପୋଖରୀ ପାହାଚଗୁଡ଼ିକରେ ଅଳିଆ ଆବର୍ଜନା ପଡ଼ି ରହି ସେଥିରୁ ଦୁର୍ଗନ୍ଧ ବାହାରୁଛି। ମ୍ୟୁଜିକାଲ ଫାଉଣ୍ଟେନ୍‌ କାମ ବି ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏତେ କମ୍‌ ଦିନରେ ଏହି ସମସ୍ୟାଗୁଡ଼ିକର କିପରି ସମାଧାନ କରାଯିବ, ତାହା ଏବେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି। କାର୍ତିକ ପୂର୍ଣ୍ଣିମାରେ ହଜାର ହଜାର ଡଙ୍ଗା ଭସା ବେଳେ ଏହି ଦଳ ସମସ୍ୟା ସୃଷ୍ଟି କରିବ ବୋଲି ଅଧିବାସୀ ଭୀଷ୍ମ ନାରାୟଣ ନାୟକ କହିଛନ୍ତି।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ଥିବା ଏହି ପୁଷ୍କରିଣୀର ପାଣି ପରିଷ୍କାର ପାଇଁ ଗତ ୨୦୧୩ ମସିହାରେ ଉଦ୍ୟମ ଆରମ୍ଭ ହୋଇଥିଲା। ସେତେବେଳେ ବିନ୍ଦୁସାଗର ଜଳର ସ୍ୱଚ୍ଛତା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏହି କାର୍ଯ୍ୟ କରିବାକୁ ପ୍ରଥମେ ଡ୍ରେନେଜ୍‌ ଡିଭିଜନ୍‌ ଦାୟିତ୍ଵ ନେଇଥିଲା। ପରେ ଏହି କାର୍ଯ୍ୟକୁ (ଓସିସି) ଓଡ଼ିଶା ନିର୍ମାଣ ନିଗମକୁ ହସ୍ତାନ୍ତର କରାଯାଇଥିଲା। ଗତବର୍ଷ ଡିସେମ୍ବରରେ ମଧ୍ୟ ପୋଖରୀ ପରିଷ୍କାର କରାଯାଇଥିଲା। କିନ୍ତୁ ଏହାକୁ ଗୋଟିଏ ବର୍ଷ ନ ବିତୁଣୁ ପୁଣି ଥରେ ପୋଖରୀଟି ଦଳଭର୍ତି ହୋଇଯାଇଛି। ସଫେଇ କାର୍ଯ୍ୟ ନାମକୁ ମାତ୍ର କରାଯାଉଥିବାରୁ ଖୁବ୍‌ କମ୍‌ ଦିନରେ ପୋଖରୀର ଅବସ୍ଥା ଏପରି ହୋଇଯାଉଛି ବୋଲି ଅଭିଯୋଗ ହେଉଛି। ବିନ୍ଦୁସାଗରର ଅବ୍ୟବସ୍ଥା ନେଇ କିଛି ଦିନ ପୂର୍ବରୁ ଶତାଧିକ ବ୍ୟକ୍ତି ପୋଖରୀରେ ପଶି ବିକ୍ଷୋଭ କରିଥିଲେ। ଏହାର ପୂର୍ବ ଅବସ୍ଥା ଫେରାଇବାକୁ ବିଜେପି ନେତା ଅମିୟ ଦାଶ ଦାବି କରିଥିଲେ। ତେବେ ସରକାରଙ୍କ ପ୍ରତିନିଧି ସଫେଇ କରାଯାଉଛି ବୋଲି କହି ଚୁପ୍‌ ବସି ରହିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ଏଥିପାଇଁ ପଦକ୍ଷେପ ନ ନେଲେ କାର୍ତିକ ପୂର୍ଣ୍ଣିମା ଦିନ ଏହା ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଅପରପକ୍ଷେ ଡ୍ରେନ୍‌ ପାଣି ମଧ୍ୟ ଧୀରେ ଧୀରେ ଏହି ପୋଖରୀରେ ପ୍ରବେଶ କରି ଦୁର୍ଗନ୍ଧ ବଢ଼ାଇବ। ତେବେ ଏନେଇ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ପଦକ୍ଷେପ ନେବେ ବୋଲି ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର