କିପରି ବ୍ୟବହାର କରିବେ ମାଗଣା ୱାଇଫାଇ

ଭୁବନେଶ୍ବର : ରାଜଧାନୀରେ ଆଜିଠାରୁ ମାଗଣା ୱାଇଫାଇ ସେବା ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷକରି ଯୁବପିଢ଼ି ବହୁତ ଉତ୍ସାହିତ ଅଛନ୍ତି।

ମାଗଣାରେ ୱାଇଫାଇ ବ୍ୟବହାର କରିବା ପାଇଁ ସ୍ମାର୍ଟ ଫୋନ୍ କି ଲ୍ୟାପଟପ୍‌ରେ ୱାଇଫାଇ ଅନ୍ କରିବାକୁ ପଡ଼ିବ। ଏହାପରେ ‘ଭୁବନେଶ୍ବର ମି ୱାଇଫାଇ’ ଦେଖାଇବ। ଏହା ଉପରେ କ୍ଲିକ୍ କଲେ ମୋବାଇଲ୍ ନମ୍ବର ମାଗିବ। ମୋବାଇଲ୍ ନମ୍ବର ଟାଇପ୍ କରିବା ପରେ ଆପଣଙ୍କ ନମ୍ବରକୁ ଗୋଟିଏ ଓଟିପି ଆସିବ। ଏହାକୁ ଟାଇପ୍ କଲେ ଆପଣ ୱାଇଫାଇରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ପ୍ରଥମ ଅଧଘଣ୍ଟା ପର୍ଯ୍ୟନ୍ତ ୨ଏମ୍‌ବିପିଏସ୍‌ ସ୍ପିଡ୍‌ରେ ୨୫୦ଏମ୍‌ବି ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ। ଏବେ ଯେଉଁଠି ବି ୱାଇଫାଇ ଆସେସ୍ ପଏଣ୍ଟ ଅଛି ତା’ର ୧୦୦ରୁ ୨୦୦ମିଟର କିମ୍ବା ସର୍ବାଧିକ ୩୦୦ମିଟର ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଗୋଟିଏ ହଟ୍‌ସ୍ପଟ୍ ଅଧୀନରେ ଏକସଙ୍ଗେ ୧୫୦ଜଣ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ୩୦ମିନିଟ୍ ପରେ ଇଣ୍ଟରନେଟ୍ ସଂଯୋଗ ଆପେଆପେ କଟିଯିବ। ଏହାପରେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଥିଲେ ଟପ୍ ଅପ୍ ରିଚାର୍ଜ କରିବାକୁ ପଡ଼ିବ।

ଇଣ୍ଟରନେଟ୍ ସବୁଠି କୋଣ ଅନୁକୋଣରେ ଉପଲବ୍ଧ ହେବ ନାହିଁ। ଉଦାହରଣ ସ୍ବରୂପ ଗୋଟିଏ ବଡ଼ ପାର୍କରେ ଇଣ୍ଟରନେଟ୍ କୋଣ ଅନୁକୋଣରେ ପାଇବାକୁ ହେଲେ ୩ରୁ ୪ଟି ଆସେସ୍ ପଏଣ୍ଟ ଥିବା ଦରକାର। ଗୋଟିଏ ସରକାରୀ କାର୍ଯ୍ୟାଳୟ ପାଇଁ ୩ଟି ଆସେସ୍ ପଏଣ୍ଟ ରହିଲେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଯଦି ଏହିଭଳି ସୁବିଧା ନଥିବ ତେବେ ଗୋଟିଏ ଅଞ୍ଚଳରେ ଆସେସ୍ ପଏଣ୍ଟ ଥିଲେ ବି ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ ନାହିଁ।

ସମ୍ବନ୍ଧିତ ଖବର