ବିଦ୍ୟୁତ୍ କାଟ୍‌ ଆଉ କେତେ ଦିନ?

ଗ୍ରାମାଞ୍ଚଳ ସେସୁର ସାବତ ପୁଅ!

ଖଣ୍ଡଗିରି: ପ୍ରାୟ ୬ ମାସ ହେଲାଣି। ସକାଳ ଓ ସନ୍ଧ୍ୟାରେ ବିଦ୍ୟୁତ୍ କାଟ୍‌ ହେଉଛି। କୌଣସି ସନ୍ତୋଷଜନକ କାରଣ ନଥାଇ ଦିନକୁ ଦୁଇ ବେଳା ବିଦ୍ୟୁତ୍ କାଟ୍‌ ହେଉଛି। ଏକା ଗ୍ରିଡ୍‌ରୁ ବିଦ୍ୟୁତ୍ ବଣ୍ଟନ ହେଉଥିଲେ ମଧ୍ୟ ‌ଖୋର୍ଧା ସହରାଞ୍ଚଳରେ ବିଦ୍ୟୁତ୍ କାଟ୍ ହେଉନାହିଁ। ଅଥଚ ଗ୍ରାମାଞ୍ଚଳରେ ଚାଲିଛି ସେସୁର ମନମାନି। ଫଳରେ ଯାଁଳା ସେସୁ କାର୍ଯ୍ୟାଳୟ ଅନ୍ତର୍ଗତ ଗ୍ରାମାଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗ୍ରାମାଞ୍ଚଳ ସେସୁର ସାବତପୁଅ ବୋଲି ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ଆଗକୁ ଏହି ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ସୂଚନା ମିଳିଲାଣି। ଯାଁଳା ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଅଭିଯୋଗ ଅନୁସାରେ ଗତ ପ୍ରାୟ ୬ ମାସ ହେଲାଣି ଏମିତି ବିଦ୍ୟୁତ୍ କାଟ୍ ଚାଲିଛି। ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ସବୁଦିନ ବିଦ୍ୟୁତ୍ କାଟ୍‌ କରାଯାଉଛି। ପ୍ରଥମେ ଗ୍ରିଡ୍‌ ମରାମତି ନାଁରେ ବିଦ୍ୟୁତ୍ କାଟ୍ ଚାଲିଥିଲା। କିନ୍ତୁ ମରାମତି ସରିବା ପରେ ମଧ୍ୟ ବିଦ୍ୟୁତ୍ କାଟ୍ ଜାରି ରହିଛି। ଖୋର୍ଧା ଗ୍ରିଡ୍‌ରୁ ଏହି ଅଞ୍ଚଳକୁ ବିଦ୍ୟୁତ୍ ବଣ୍ଟନ କରାଯାଉଛି। ମାତ୍ର ଖୋର୍ଧା ସହରରେ ବିଦ୍ୟୁତ୍ କାଟ୍ ହେଉନାହିଁ। ତେଣୁ ଗ୍ରାମାଞ୍ଚଳ ପ୍ରତି ସେସୁର ଏହି ବୈମାତୃକ ମନଭାବ ପଛରେ କି କାରଣ ରହିଛି, ତାହା ପ୍ରଶ୍ନବାଚୀ ହୋଇ ରହିଛି। ଜାଣିଶୁଣି ସେସୁ ପାତରଅନ୍ତର କରୁଛି ବୋଲି ଅଭିଯୋଗ ହେଉଛି। ଏବେ ଛାତ୍ରଛାତ୍ରୀମାନଙ୍କର ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଗଲାଣି। ଫଳରେ ବିଦ୍ୟୁତ୍ କାଟ୍ ସେମାନଙ୍କ ପରୀକ୍ଷା ପ୍ରସ୍ତୁତିରେ ଘୋର ଅନ୍ତରାୟ ସାଜୁଛି ବୋଲି ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ଖୋର୍ଧା ନିର୍ବାହୀ ଯନ୍ତ୍ରୀ ମନୋଜ ଦାସଙ୍କ କହିବା କଥା ସେ ଏ ସଂପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଛନ୍ତି। ଖୁବ୍‌ ଶୀଘ୍ର କିଛି ପଦକ୍ଷେପ ଗ୍ରହଣ କରାଯିବ। କିନ୍ତୁ ଏଭିତରେ ମାସେ ବିତିବା ପରେ ବି ଫଳ ଶୂନ। ସୂଚନାଯୋଗ୍ୟ ଯେ ଖୋର୍ଧା ଗ୍ରିଡ୍‌ରୁ ବିଦ୍ୟୁତ୍ ବଣ୍ଟନ ହେଉଥିବା ସମସ୍ତ ଗ୍ରାମାଞ୍ଚଳରେ ଏମିତି ବିଦ୍ୟୁତ୍ କାଟ୍ ଜାରି ରହିଛି। ଫଳରେ ସବୁଆଡ଼େ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର