ମାନବିକତାକୁ ମାରି ଦିଏନା ଆଧୁନିକତା

ଭୁବନେଶ୍ୱର : ସମୟ ଅପରାହ୍ଣ ସାଢ଼େ ୩ଟା। ସ୍ଥାନ ଜୟଦେବ ବିହାରସ୍ଥିତ କେଏଫ୍‌ସି ରେସ୍ତୋଁରା। ଭିତରକୁ ପ୍ରବେଶ କଲେ ଜଣେ ଅତ୍ୟାଧୁନିକ ଯୁବତୀ। ପାଶ୍ଚାତ୍ୟ ପୋଷାକ ସାଙ୍ଗକୁ ସମ୍ଭ୍ରାନ୍ତ ଶ୍ରେଣୀର ଛାପ। ତାଙ୍କ ପଛେ ପଛେ ଦୌଡ଼ୁଥିଲେ କିଛି କୁନି କୁନି ପିଲା। ସେମାନଙ୍କ ଜୀର୍ଣ୍ଣ ଶରୀର ସହ ଦେହରେ ଥିଲା ଛିଣ୍ଡା ମଇଳା ପୋଷାକ। ରାସ୍ତାକଡ଼ରେ ସେମାନେ ଭିକ୍ଷାବୃତ୍ତି କରନ୍ତି। କାନ୍ଥରେ ଲଗା ଖାଦ୍ୟ ଡିସ୍‌ପ୍ଲେକୁ ଦେଖି କହୁଥା’ନ୍ତି… ଦିଦି ୟେ ଖାନା ହୈ… ଓ୍ଵ ଖାନା ହୈ। ମହିଳା ଜଣଙ୍କ ବିରକ୍ତ ହେଉ ନଥାନ୍ତି। ରେସ୍ତୋଁରା କର୍ମଚାରୀଙ୍କୁ କହି ପକାଉଥାନ୍ତି, ଉନ୍‌ ଲୋଗୋଁ କୋ ଯୋ ଚାହିୟେ ପ୍ୟାକ୍‌ କର୍‌ ଦୋ..। କିଛି ସମୟ ପରେ ୪/୫ ଖାଦ୍ୟ ପ୍ୟାକେଟ୍‌ ସହ କିଛି ମୃଦୁ ପାନୀୟ ଆଣି ଅତି ଯତ୍ନରେ ବାଣ୍ଟି ଦେଇଥିଲେ ମହିଳା ଜଣକ। ଖରାର ପ୍ରକୋପ ଜୋର୍‌ ଥିବା ବେଳେ ରାସ୍ତାଘାଟରେ ସାଧାରଣ ଲୋକଟିଏ ଏମାନଙ୍କୁ ପାଣି ଟିକିଏ ଯାଚୁ ନଥିବା ବେଳେ ଯୁବତୀ ଜଣକ ଦାମୀ ରେସ୍ତୋରାଁରୁ ଖାଦ୍ୟ କିଣି ୫ ଶିଶୁଙ୍କ ସହ ତାଙ୍କ ମା’ ୩ ଜଣଙ୍କୁ ପେଟ ଭରି ଖାଦ୍ୟ ଖାଇବାକୁ ଦେବା ଦେଖଣାହାରୀଙ୍କୁ ହତବାକ୍‌ କରିଦେଇଥିଲା। ବଡ଼ ଲୋକଙ୍କ ହୃଦୟ ଯେ ସମାନ ନୁହେଁ ତାହା ଆଜି ସର୍ବସମ୍ମୁଖରେ ଭୁଲ୍‌ ପ୍ରମାଣିତ ହୋଇଥିଲା।

ପରେ ପଚାରିବାରୁ ଜଣାପଡ଼ିଲା ମହିଳାଙ୍କ ନାମ ଶ୍ରୀଷ୍ଟି ବଣ୍ଡ୍‌। ବୟସ ୨୦ ପାଖାପାଖି ହେବ। କିଟ୍‌ ବିଶ୍ୱବିଦ୍ୟାଳୟରେ ବାୟୋଟେକ୍‌ ବିଭାଗରେ ପଢ଼ନ୍ତି। ଘର ମସୁରିରେ। ଭୁବନେଶ୍ୱରରେ ପ୍ରାୟ ୪/୫ ବର୍ଷ ହେଲା ରହୁଛନ୍ତି। ତେବେ କେବଳ ଆଜି ନୁହେଁ, ଶ୍ରୀଷ୍ଟି ଏଭଳି ସେବା ପିଲା ଦିନୁ କରି ଆସୁଛନ୍ତି। ଏନେଇ ଶ୍ରୀଷ୍ଟିଙ୍କୁ ପଚାରିବାରୁ ସେ କୁହନ୍ତି, ଭଗବାନ ଆମକୁ ଏତେ ଦେଇଛନ୍ତି। କିନ୍ତୁ କିଛି ଲୋକଙ୍କ ପାଖରେ ଖାଇବାକୁ ବି ଟଙ୍କା ନାହିଁ ଜାଣିଲେ ଦୁଃଖ ଲାଗେ। ମୋତେ ଲାଗେ ଭଗବାନ ଆମକୁ କିଛି ଅଧିକା ଦେଇଛନ୍ତି ସେମାନଙ୍କ ସହ ବାଣ୍ଟିକୁଣ୍ଟି ଖାଇବାକୁ। ପିଲା ଦିନୁ ସେୟା ହିଁ ମୁଁ କରେ। ମୁଁ ଯାହା ଖାଏ ଅଭାବରେ ଥିବା ଲୋକଙ୍କୁ ତାହା ହିଁ ଦେଇଥାଏ। ଏଥିରେ ଆତ୍ମସନ୍ତୋଷ ପ୍ରାପ୍ତି ହେବା ସହ ତାଙ୍କ ପେଟ ପୂରିଲା ଜାଣି ଖୁସି ଲାଗେ।

ସମ୍ବନ୍ଧିତ ଖବର