ହାଇଦ୍ରାବାଦ ଏନ୍‌କାଉଣ୍ଟର୍‌ ପ୍ରସଙ୍ଗରେ ମତ ରଖିଲେ ନେତା, ମନ୍ତ୍ରୀ, ଆଇନଜୀବୀ ଓ ସମାଜସେବୀ : ଲୋକଙ୍କର ଆଇନ ବ୍ୟବସ୍ଥା ପ୍ରତି ବୋଧେ ଆସ୍ଥା ନାହିଁ

ହାଇଦ୍ରାବାଦ ଗଣଦୁଷ୍କର୍ମର ଅଭିଯୁକ୍ତଙ୍କ ଯାହା ପରଣାମ ହୋଇଛି ତାହା ଠିକ୍ ଅଛି। କିନ୍ତୁ ସେମାନଙ୍କ ମୃତ୍ୟୁ ଯେଭଳି ଭାବେ ହୋଇଛି ତାହା ଆଇନର ବାଟ ନୁହେଁ। ଆଇନ ଅନୁସାରେ ମଧ୍ୟ ସେମାନଙ୍କ ଦୋଷ ପାଇଁ ମୃତ୍ୟୁ ଦଣ୍ଡ ମିଳିଥାନ୍ତା। କିନ୍ତୁ କୋର୍ଟରେ ବିଚାର ହୋଇ ସେମାନଙ୍କୁ ମୃତ୍ୟୁ ଦଣ୍ଡ ମଳିବା ଓ ଏଭଳି ଏନ୍‌କାଉଣ୍ଟରରେ ସେମାନଙ୍କ ମୃତ୍ୟ ହେବା ପୃଥକ୍‌ ଘଟଣା। ସାରା ଦେଶରେ ବହୁ ସେଲିବ୍ରିଟି, ରାଜନୈତିକ ବ୍ୟକ୍ତି, ଏମପି, ଏମଏଲଏ ଅଭିଯୁକ୍ତଙ୍କ ଏପରି ମୃତ୍ୟୁକୁ ନେଇ ଖୁସି ଜାହିର କରୁଛନ୍ତି। କିନ୍ତୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଲୋକମାନଙ୍କର ଆଇନ ବ୍ୟବସ୍ଥା ପ୍ରତି ବୋଧେ ଆସ୍ଥା ନାହିଁ। ଆଇନ ଅନୁସାରେ ନିମ୍ନ ଅଦାଲତରେ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିଥାନ୍ତା। ଏହାପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲାର ବିଚାର ହୋଇଥାନ୍ତା। ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ଉପରେ ନିଷ୍ପତ୍ତି ହୋଇଥାନ୍ତା। କିନ୍ତୁ ଏସବୁ ପାଇଁ ସମୟ ଲାଗି’ଥାନ୍ତା। ଏପରି ପରିସ୍ଥିତି ଯୋଗୁଁ ଲୋକମାନେ ଭାବୁଛନ୍ତି ଦୋଷୀଙ୍କୁ ତୁରନ୍ତ ଦଣ୍ଡ ମିଳି ଯାଇଛି। କିନ୍ତୁ ଏହାଦ୍ବାରା ଆଇନର ଶାସନକୁ ନେଇ ପ୍ରଶ୍ନ ଉଠିଛି। ଏଭଳି ଘଟଣାରେ ତଦନ୍ତ ଠାରୁ ଆରମ୍ଭ କରି ଅଦାଲତରେ ମାମଲାର ଶୁଣାଣି ପାଇଁ ତ୍ବରିତ ପଦକ୍ଷେପ ନିଆଯିବା ଉଚିତ। ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନିର୍ଦ୍ଧାରିତ ସମୟସୀମା ଭିତରେ ଏ ସଂପର୍କିତ ଅପିଲର ଶୁଣାଣି କରାଯିବା ସହିତ କ୍ଷମା ଆବେଦନର ୭ ଦିନ ଭିତରେ ରାଷ୍ଟ୍ରପତି ଏ ପ୍ରସଂଗରେ ନିଷ୍ପତ୍ତି ନେବା ପାଇଁ ଆଇନ କରାଯାଉ।
-ଧରଣୀଧର ନାୟକ,
ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ

ହାଇଦ୍ରାବାଦ ପୁଲିସ ଯାହା କରିଛି, ଠିକ୍ କରିଛି
ସେମାନେ ଦୋଷୀ। କଠୋର ଦଣ୍ଡ ମିଳିବାର ଥିଲା। ଅନ୍ୟ ଦେଶରେ ଧର୍ଷଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଅଛି। ସେଠାରେ ରାସ୍ତାରେ ସେମାନଙ୍କୁ ଗୁଳି କରାଯାଉଛି। ଭାରତରେ ବି କଠୋର ଆଇନ ଆସିବା କଥା। ହାଇଦ୍ରାବାଦ ପୋଲିସ ଯାହା କରିଛି, ଠିକ୍‌ କରିଛି। ଏହା ମୋ ବ୍ୟକ୍ତିଗତ ମତ।
– ପ୍ରତାପ ଜେନା, ଆଇନ ମନ୍ତ୍ରୀ

ଏନ୍‌କ‌ାଉଣ୍ଟର କରିବା ଠିକ୍ ହୋଇନାହିଁ
ପୁଲିସ ଅନୁସନ୍ଧାନ କରି ଫାଷ୍ଟଟ୍ରାକ କୋର୍ଟରେ ଅଭିଯୋଗ ପ୍ରମାଣିତ କରି ଦଣ୍ଡିତ କରିଥିଲେ ଉପଯୁକ୍ତ ହୋଇଥାନ୍ତା। ଏନ୍‌କ‌ାଉଣ୍ଟର କରିବା ଠିକ ହୋଇ ନାହିଁ। ଅନେକ ସମୟରେ ପୁଲିସ ମିଥ୍ୟା ଏନ୍‌କ‌ାଉଣ୍ଟର କରିଥିବା ନଜିର ରହିଛି। ଯଦି ପୁଲିସ କଥା ସତ୍ୟ, ତା’ ହେଲେ ଯାହା ଘଟିଛି ତାହା ଠିକ ବୋଲି କହି ହେବ। ଘଟଣାର ବିଚାରବଭାଗୀୟ ତଦନ୍ତ ହେବା ଆବଶ୍ୟକ।
-ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ପୁଲିସ ଅଭିଯୁକ୍ତଙ୍କୁ ଏନ୍‌କ‌ାଉଣ୍ଟର କରିବା ଦୁର୍ଭାଗ୍ୟଜନକ
ପୁଲିସ ଅଭିଯୁକ୍ତମାନଙ୍କୁ ଏନ୍‌କ‌ାଉଣ୍ଟର କରିବା ଦୁର୍ଭାଗ୍ୟଜନକ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତଦନ୍ତ ହେବା ଆବଶ୍ୟକ। ଅଭିଯୁକ୍ତଙ୍କୁ ବିନା ବିଚାରରେ ମାରି ଦେବା ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ। ଏଭଳି ହେବା ଆଦୌ ଉଚିତ ନ ଥିଲା। ତଦନ୍ତ ପରେ ସତ୍ୟ ପଦାକୁ ଆସିବ।
– ଅବସର ବେଉରିଆ, ପୂର୍ବତନ ରାଷ୍ଟ୍ରଦୂତ

ଏନ୍‌କ‌ାଉଣ୍ଟର ସମ୍ପୂର୍ଣ୍ଣ ଭାବେ ସନ୍ଦେହଜନକ
ହାଇଦ୍ରାବାଦ ଏନ୍‌କ‌ାଉଣ୍ଟର ସଂପୂର୍ଣ୍ଣ ଭାବେ ସନ୍ଦେହଜନକ। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ। ତଦନ୍ତ ନ କଲେ ଅଭିଯୁକ୍ତମାନଙ୍କୁ ମାରିବା ପାଇଁ ପୁଲିସ ଏକ ଲାଇସେନ୍ସ ପାଇଯିବ। ପୁଲିସ ରିମାଣ୍ଡରେ ଥିବା ଅଭିଯୁକ୍ତମାନେ ଖସିଲେ କେମିତି, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର।
-ଗୋପାଳ ନନ୍ଦ, ଅବସରପ୍ରାପ୍ତ ପୁଲିସ ଡିଜି

ଆଇନ ଦୃଷ୍ଟିରୁ ଏହା ଠିକ୍ ନୁହେଁ
ହାଇଦ୍ରାବାଦ ଏନ୍‌କ‌ାଉଣ୍ଟର ପରେ ଏବେ ଦୁଇଟି ଦିଗ ସାମନାକୁ ଆସିଛି। ଗୋଟିଏ ହେଲା ଭାବପ୍ରବଣତା , ଅନ୍ୟଟି ଆଇନ। ଭାବପ୍ରବଣତାର ଶିକାର ହୋଇ ଯୁବକଙ୍କଠାରୁ ଆରମ୍ଭ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସମର୍ଥନ କରୁଛନ୍ତି। ଏପରିକି ଦେଶର ବଡ଼ ବଡ଼ ରାଜନୈତିକ ବ୍ୟକ୍ତି ବି‌ଶେଷ, ସେଲିବ୍ରିଟିମାନେ ମଧ୍ୟ ଏହାକୁ ଠିକ ବୋଲି ଦର୍ଶାଉଛନ୍ତି। କିନ୍ତୁ ଆଇନ ଦୃଷ୍ଟିରେ ଏହା ଠିକ ନୁହେଁ। କାରଣ ଆଇନର ବିଭିନ୍ନ ଦିଗ ରହିଛି। ଘଟଣାର ତଦନ୍ତ ହେବା ଆବଶ୍ୟକ।
-ବିପିନି ବିହାରୀ ମିଶ୍ର, ଅବସରପ୍ରାପ୍ତ ଡିଜି

ସାରା ଦେଶରେ ପୁଞ୍ଜିଭୂତ ଅସନ୍ତୋଷ ରହିଛି
ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଦୁଷ୍କର୍ମ ପରି ଘଟଣାରେ ଅଭିଯୁକ୍ତମାନେ ଦଣ୍ଡିତ ହୋଇ ପାରୁନାହାନ୍ତି। ଏହାକୁ ନେଇ ସାରା ଦେଶରେ ପୁଞ୍ଜିଭୂତ ଅସନ୍ତୋଷ ରହିଛି। ବିଚାର ବ୍ୟବସ୍ଥା ଏକ ପ୍ରକାର ସ୍ଥାଣୁ ପାଲଟି ଥିବା ନେଇ ଲୋକଙ୍କ ଧାରଣା ଜନ୍ମିଛି। ସେଥିପାଇଁ ସେମାନେ ଏବେ ପୁଲିସକୁ ଏହି ଏନ୍‌କ‌ାଉଣ୍ଟର ପାଇଁ ସାବାସି ଦେଉଛନ୍ତି। ଦିଲ୍ଲୀ ନିର୍ଭୟାକାଣ୍ଡ ଘଟଣାରେ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଦଣ୍ଡିତ ହୋଇ ନାହାନ୍ତି। ଏଥିପାଇଁ ସିଆରପିସିରେ ସଂଶୋଧନରେ ଆବଶ୍ୟକ। ଭାରତୀୟ ପ୍ରମାଣ ଆଇନକୁ ସଂଶୋଧନ କରି କୋହଳ କରାଯିବା ଦରକାର।
– ସୁରେଶ ପୂଜାରୀ, ସାଂସଦ, ବରଗଡ଼

ନାରୀକୁ ସମ୍ମାନର ସହ ବଞ୍ଚିବାକୁ ଦିଅନ୍ତୁ
ହାଇଦ୍ରାବାଦ ଘଟଣା ଅତି ସମ୍ବେଦନଶୀଳ। ମହିଳା କମିସନଙ୍କ ଆଇନ ଅନୁସାରେ କାମ କରୁଛୁ। ମୋର ଅନୁରୋଧ ସମାଜରେ ସମସ୍ତେ ସଚେତନ ହୁଅନ୍ତୁ। ନାରୀକୁ ସମ୍ମାନ ସହ ବଞ୍ଚିବାକୁ ଦିଅନ୍ତୁ।
– ମିନତି ବେହେରା, ମହିଳା କମିସନ ଅଧ୍ୟକ୍ଷା

ପୀଡ଼ିତାଙ୍କ ପରିବାରକୁ ତ୍ବରିତ ନ୍ୟାୟ ମିଳିଛି
ହାଇଦ୍ରବାଦ ଘଟିଥିବା ଅମାନବୀୟ କାଣ୍ଡ ଦେଶବାସୀଙ୍କ ମନକୁ ବିଚଳିତ କରିଥିଲା। ଦିଲ୍ଲୀର ନିର୍ଭୟା ଘଟଣା ଦେଶବ୍ୟାପୀ ଚର୍ଚାର ବିଷୟ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଶେଷରେ ଫାଶୀ ଦଣ୍ଡ ମିଳିଥିଲା। ମାତ୍ର ଏହି ଘଟଣାରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିଛି। ଏହାସହ ମାନସିକ ଚାପରେ ସେମାନଙ୍କ ପରିବାର ଦିନ କାଟିଛନ୍ତି। ମାତ୍ର ହାଇଦ୍ରାବାଦରେ ଘଟିଥିବା ଘଟଣାରେ ପୁଲିସ ଏନ୍‌କ‌ାଉଣ୍ଟରରେ ଅଭିଯୁକ୍ତ ପ୍ରାଣ ହରାଇବା ଘଟଣାକୁ ମୁଁ ବ୍ୟକ୍ତିଗତ ଭାବେ ସମର୍ଥନ ଜଣାଉଛି। ଏଥିରେ ପୀଡ଼ିତାଙ୍କ ପରିବାରକୁ ଏକପ୍ରକାର ତ୍ବରିତ ନ୍ୟାୟ ମିଳିପାରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
– ଡା. ଦୀପ୍ତି ମହାପାତ୍ର

ନ୍ୟାୟ ପାଇବାରେ ବିଳମ୍ବ ଯୋଗୁଁ ଏଭଳି ଘଟୁଛି
ହାଇଦ୍ରାବାଦରେ ପ୍ରାଣୀ ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣାରେ ଦେଶବାସୀ ଚକିତ ହୋଇ ଯାଇଥିଲେ। ତେବେ ପୁଲିସ ହେପାଜତରୁ ଖସି ପଳାଉଥିବା ବେଳେ ସେମାନେ ପୁଲିସ ଏନ୍‌କ‌ାଉଣ୍ଟରରେ ପ୍ରାଣ ହରାଇବା ଘଟଣାକୁ ମୁଁ ବ୍ୟକ୍ତିଗତ ଭାବେ ସମର୍ଥନ କରୁଛି। ସମସ୍ତେ ଆଇନକୁ ମାନିବା ଉଚିତ୍। ହେଲେ ଅନେକ ଘଟଣାରେ ପୀଡ଼ିତ/ପୀଡ଼ିତାଙ୍କୁ ନ୍ୟାୟ ମିଳିପାରୁ ନାହିଁ। ହ‌ାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ମୃତକଙ୍କୁ ସମସ୍ତେ ରେଷ୍ଟ ଇନ୍ ପିସ୍ ବା ଆର୍‌ଆଇପି ବୋଲି ଲେଖି ସମର୍ଥନ ଜଣାଉଥିଲେ। ମାତ୍ର ବ୍ୟକ୍ତିଗତ ଭାବେ ମତ ଏହା ଭଲ ଲାଗୁ ନ ଥିଲା। ନ୍ୟାୟ ପାଇବାରେ ବିଳମ୍ବ ହେବା ଯୋଗୁଁ ଏଭଳି ଘଟଣା ଘଟୁଛି।
– ଡା. ଆଶାବରୀ ସାମଲ

ଦୁଷ୍କର୍ମକାରୀଙ୍କୁ ଏନ୍‌କ‌ାଉଣ୍ଟର ସ୍ବାଗତଯୋଗ୍ୟ ପଦକ୍ଷେପ
ହାଇଦ୍ରାବାଦ ଘଟଣା ଦେଶକୁ ଦୋହଲାଇ ଦେଇଥିଲା। ଅପରାଧୀ ଖସି ପଳେଇବା ବେଳେ ଏନ୍‌କ‌ାଉଣ୍ଟର ଭୁଲ ନୁହେଁ। ଦୁଷ୍କର୍ମକାରୀଙ୍କୁ ଏନ୍‌କ‌ାଉଣ୍ଟର ସ୍ୱାଗତଯୋଗ୍ୟ ପଦକ୍ଷପ।
– ସାରା ଶର୍ମା, ଗଜପତି ଏସପି

ଦୁଷ୍କର୍ମକାରୀଙ୍କୁ ଏଭଳି ଦଣ୍ଡ ମିଳିବା ଉଚିତ
ଦୁଷ୍କର୍ମକାରୀଙ୍କୁ ଏଭଳି ଦଣ୍ଡ ମିଳିବା ଉଚିତ। ବିଶେଷକରି ହାଇଦ୍ରାବାଦ ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ପରିସ୍ଥିତିକୁ ଦେଖିଲେ ଠିକ ଅଛି।
– ସନ୍ଧ୍ୟାବତୀ ପ୍ରଧାନ,ରାଜ୍ୟ ଶିଶୁ ସୁରକ୍ଷା କମିସନ ଅଧ୍ୟକ୍ଷା

ଓଡ଼ିଶା ପୁଲିସ ସେମାନଙ୍କଠାରୁ ଶିଖିବା ଉଚିତ
ହାଇଦ୍ରାବାଦ ଘଟଣାରେ ଅଭିଯୁକ୍ତମାନଙ୍କୁ ଏନ୍‌କ‌ାଉଣ୍ଟର କରି ପୁଲିସ ଠିକ କରିଛି। ଓଡ଼ିଶା ପୁଲିସ ସେମାନଙ୍କଠାରୁ ଶିଖିବା ଉଚିତ। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଧର୍ଷଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହି ସବୁ କଳଙ୍କମାନଙ୍କୁ ସଫା କରିବା କଥା। ତେଲେଙ୍ଗାନା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରୁଛି।
– ସୁରେଶ ରାଉତରାୟ, ବିଧାୟକ, ଜଟଣୀ

ଏନ୍‌କ‌ାଉଣ୍ଟର ଏକ ନାଟକ ଭଳି ଲାଗୁଛି
ପ୍ରିୟାଙ୍କ ରେଡ୍ଡୀ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତିଙ୍କୁ ହାଇଦ୍ରାବାଦ୍ ପୁଲିସ ଏନ୍‌କ‌ାଉଣ୍ଟର ଘଟଣା ସଂପୂର୍ଣ୍ଣ ନାଟକ ଭଳି ଲାଗୁଛି। ପୁଲିସ ନିଜର ଆତ୍ମରକ୍ଷା କରିବା ପାଇଁ ଏନ୍‌କ‌ାଉଣ୍ଟର କରିଥାଏ। ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା। ରାତିର ଶେଷ ପ୍ରହରରେ ଏହି ଏନ୍‌କ‌ାଉଣ୍ଟର ହୋଇଛି। ଯାହାକି ଘଟଣାକୁ ସନ୍ଦେହ ଘେରକୁ ଟାଣି ନେଇଛି। ତେଣୁ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରାଯିବାର ଆବଶ୍ୟକତା ରହିଛି। ଏହାସହ ଗଣଦୁଷ୍କର୍ମ ଭଳି ଏକ ସ୍ପର୍ଶକାତର ଘଟଣାରେ ରେ ଅଭିଯୁକ୍ତଙ୍କୁ ପୁଲିସ ଏନ୍‌କ‌ାଉଣ୍ଟର ଘଟଣା ବିଚାର ପ୍ରକ୍ରିୟା ଓ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜଣେ ଆଇନଜୀବୀ ଭାବେ ଏହାକୁ ନାପସନ୍ଦ କରୁଛି।
– ମଧୁମାଧବ ଜେନା, ବରିଷ୍ଠ ଆଇନଜୀବୀ

ପୁଲିସ ଜାଣିଶୁଣି ଆଇନ ହାତକୁ ନେଇଛି
ଏନ୍‌କ‌ାଉଣ୍ଟର ସଂପୂର୍ଣ୍ଣ ଭାବେ ଆଇନ ବିରୋଧୀ। ପୁଲିସ ଜାଣିଶୁଣି ଆଇନକୁ ହାତକୁ ନେଇଛି। ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ହତ୍ୟା କରିଛି। ତେଲେଙ୍ଗାନା ପୁଲିସ ଏଭଳି ଏକ ସମ୍ବେଦନଶୀଳ ମାମଲ‌ାରେ ପକ୍ଷପାତିତା କରିଛି। ଯାହା ତେଲେଙ୍ଗାନା ପୁଲିସ ନିକଟରୁ ଆଶା କରାଯାଉନାହିଁ। ପୁଲିସ ଚାର୍ଜସିଟ ଦାଖଲ କରିବା ପୂର୍ବରୁ ବିଚାର ଶୁଣାଇ ଦେଲା। ଯାହା ସୁସ୍ଥ ସମାଜ ପାଇଁ ଅଶୁଭ ଲକ୍ଷଣ।
-ବନ ମହାନ୍ତି, ବରିଷ୍ଠ ଆଇନଜୀବୀ

ଏନ୍‌କାଉଣ୍ଟର ନିହାତି ଭାବେ ସ୍ବାଗତଯୋଗ୍ୟ
ଦିନକୁ ଦିନ ଏଭଳି ଘଟଣା ବଢ଼ିବାରେ ଲାଗିଛି। ଇତିଶ୍ରୀଠାରୁ ଆରମ୍ଭ କରି ଦେବିନା ପର୍ଯ୍ୟନ୍ତ ଏଯାଏ କେହି ନ୍ୟାୟ ପାଇ ପାରିଲେ ନାହିଁ। ମାତ୍ର ୪ ପ୍ରତିଶତ ମାମଲାରେ ଦଣ୍ଡବିଧାନ ହେଉଛି। ଦେଶର ଅଧା ‌ଜନସଂଖ୍ୟା ମହିଳାମାନଙ୍କର ହୋଇଥିବା ବେଳେ ଏମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି କହିଲେ ଭୁଲ ହେବ ନାହିଁ। ଦୁଷ୍କର୍ମକାରୀମାନେ ନାରୀ ଜାତିର ମଜା ବନେଇ ଦେଇଥିବା ବେଳେ ମାନବାଧିକାର ନାମରେ ତାଙ୍କ ସପକ୍ଷରେ ଆଜି ସ୍ବର ଉତ୍ତୋ‌ଳନ କାହିଁକି? ଦୁଷ୍କର୍ମ ପରେ ନାରୀର ମାନବାଧିକାର ପାଇଁ କେଉଁଠି ଥିଲା ସେ ସ୍ବର? ତେଲେଙ୍ଗାନା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ପୁଲିସର ଏନ୍‌କାଉଣ୍ଟର୍‌ ନିହାତି ଭାବେ ସ୍ବାଗତଯୋଗ୍ୟ। ସରକାର ଏଥିରୁ ଶିକ୍ଷା ଲାଭ କରନ୍ତୁ ଓ ତ୍ବରିତ ନ୍ୟାୟ ତଥା କଠୋର ଦଣ୍ଡ ପାଇଁ ଆଇନ ବ୍ୟବସ୍ଥା ସୁଦୃଢ଼ କରନ୍ତୁ। ନହେଲେ ଦେଶରେ ଆଗକୁ ଆଇନ ଶୃଙ୍ଖଳାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହେବ।
– ଋତୁପର୍ଣ୍ଣା ମହାନ୍ତି, ବିଶିଷ୍ଟ ସମାଜସେବୀ

ଏପରି ନ କଲେ ଏଭଳି ଘଟଣା ବଢ଼ି ବଢ଼ି ଚାଲିବ
କେବଳ ହାଇଦ୍ରାବାଦ ଘଟଣା କାହିଁକି, ଏଭଳି ଯେତକ ନୃଶଂସ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟୁଛି ସମସ୍ତଙ୍କୁ ଏଭଳି ଏନ୍‌କ‌ାଉଣ୍ଟର କରିବା ଉଚିତ। ନଚେତ ଭବିଷ୍ୟତରେ ଏଭଳି ଘଟଣା ବଢ଼ି ବଢ଼ି ଚାଲିବ। ଓଡ଼ିଶା ପୁଲିସ ମଧ୍ୟ ଏଥିରୁ କିଛି ଶିକ୍ଷା ଗ୍ରହଣ କରିବା ଉଚିତ।
-ବବିତା କର, ମହିଳା ଆଇନଜୀବୀ

ପୁଲିସ ନିଜ ଆତ୍ମରକ୍ଷା ପାଇଁ ଗୁଳିଚାଳନା କରିଛି
ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ଦଣ୍ଡ ପାଇବା ଦୂରର କଥା ପୀଡ଼ିତା କୋର୍ଟ ଯିବା ରାସ୍ତାରେ ହିଁ ତାଙ୍କୁ ପେଟ୍ରୋଲ ପକାଇ ଜାଳିଦେ‌ଲେ। ଏଥିରୁ ବ୍ୟବସ୍ଥାର ଦୁରବସ୍ଥା ସ୍ପଷ୍ଟ ବାରି ହେଉଛି। ଯଦି କୋର୍ଟ ଯିବା ରାସ୍ତାରେ ପୀଡ଼ିତାଙ୍କୁ ପୁଲିସ ସୁରକ୍ଷା ଦେଇପାରୁନି ତେବେ ନିହାତି ଭାବେ ଏହା ଆମ ସମସ୍ତଙ୍କ ବିଫଳତା। ଏଭଳି ପରିସ୍ଥିତିରେ ତେଲେଙ୍ଗାନା ମହିଳା ଡାକ୍ତରାଣୀଙ୍କ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର୍‌ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ପୁଣି ପୁଲିସ ନିଜ ଆତ୍ମରକ୍ଷାରେ ଗୁଳିଚାଳନା କରିଛି। ଆଇନ ଅନୁଯାୟୀ ନିଜ ଆତ୍ମରକ୍ଷାର ଅଧିକାର ସମସ୍ତଙ୍କର ରହିଛି।
– ମୋନାଲିସା ଗନ୍ତାୟତ, ବରିଷ୍ଠ ଆଇନଜୀବୀ

ଏନ୍‌କାଉଣ୍ଟର୍‌ ପୁଲିସର ଅଧିକାରଭୁକ୍ତ
ତେଲେଙ୍ଗାନା ମହିଳା ଡାକ୍ତରାଣୀଙ୍କ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତମାନେ ପୁଲିସ ହେପାଜତରୁ ଖସିଯିବାକୁ ବସିଥିଲେ। ସେଥିପାଇଁ ପୁଲିସ ସେମାନଙ୍କୁ ଏନ୍‌କାଉଣ୍ଟର କରିଛି। ଏହି ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏନେଇ ‌ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ଏପରିକି ସେମାନଙ୍କୁ ଫାଶୀ ହୋଇପାରେ ବୋଲି ସେମାନେ ପୂର୍ବାନୁମାନ କରିସାରିଥିବେ। ଏଣୁ ପୁଲିସ ହେପାଜତରୁ ଖସିବାକୁ ଚେଷ୍ଟା କରିଥିବେ। ପୁଲିସ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇ ଗୁଳି ଚଳାଇଥିବ। ଏହା ପୁଲିସର ଅଧିକାରଭୁକ୍ତ। କିନ୍ତୁ ପୁଲିସ ଜାଣିଶୁଣି ଗୁଳି ଚଳାଇନଥିବ। କାରଣ ଏଭଳି ଅପରାଧୀମାନଙ୍କ ପାଇଁ ଆମ ନ୍ୟାୟ ବ୍ୟବସ୍ଥାରେ ଉଚିତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି।
– ଅନୁରାଧା ମହାନ୍ତି, ସମାଜସେବୀ

ପୁଲିସ ଯାହା କରିଛି, ତାହା ସ୍ବାଗତଯୋଗ୍ୟ
ଅଭିଯୁକ୍ତମାନେ ଦୋଷ ସ୍ବୀକାର କରି ଆସାମୀ ହୋଇ ସାରିଥିଲେ। ଫାଶୀ ପାଇବା ନିଶ୍ଚିତ ଜାଣି ଖସିବାକୁ ଯୋଜନା କରିଥିଲେ। ତେଣୁ ପୁଲିସ ଯାହା କରିଛି, ତାହା ସ୍ବାଗତଯୋଗ୍ୟ। ଅଯଥାରେ ଆଉ ନ୍ୟାୟିକ ପ୍ରକ୍ରିୟାକୁ ଯାଇ କାଳବିଳମ୍ବ କରିବା ଠିକ୍‌ ହୋଇନଥାଆନ୍ତା। ସବୁ ମାମଲାକୁ ଏକା ଭଳି ବିଚାର କରିବା ଠିକ୍ ନୁହେଁ। ଏଭଳି ଜଘନ୍ୟକାଣ୍ଡ ପାଇଁ ଏମିତି ଶାସ୍ତି ସାଧାରଣ ଜନତାକୁ ଆଶ୍ବସ୍ତ କରିଥିବାରୁ ସବୁ ମହଲରୁ ସ୍ବାଗତ କରିବା ଉଚିତ୍।
-ଜ୍ଞାନେନ୍ଦ୍ର କୁମାର ସେନାପତି,
ଆଇନଜୀବୀ, ଯାଁଳା, ଭୁବନେଶ୍ବର

ହିଂସ୍ର ପାଗଳ ପଶୁଙ୍କ ପାଇଁ ନ୍ୟାୟିକ ଲଢ଼େଇ ଦରକାର ନାହିଁ
ଆମ ନ୍ୟାୟିକ ବ୍ୟବସ୍ଥାର ପରିପନ୍ଥୀ ହୋଇଥିଲେ ମଧ୍ୟ ଏହି ଏନ୍‌କାଉଣ୍ଟର ପାଇଁ ହାଇଦ୍ରାବାଦ୍ ପୁଲିସକୁ ସାଧୁବାଦ ଜଣାଉଛି। ହିଂସ୍ର ପାଗଳ ପଶୁଙ୍କ ପାଇଁ ନ୍ୟାୟିକ ଲଢ଼େଇ ଦରକାର ନାହିଁ। ଯେଉଁଠି ଠୋସ୍ ପ୍ରମାଣ ମିଳୁଛି, ସେଠି ଏଭଳି ତ୍ବରିତ୍ ପଦକ୍ଷେପ ନେବା ଠିକ୍‌।
-ରାମେଶ୍ବର ଦାସ,
ଯୁବ ବ୍ୟବସାୟୀ, ଚନ୍ଦ୍ରଶେଖରପୁର

ଏଭଳି ଶାସ୍ତି ଜରୁରୀ ଥିଲା
ପୁଲିସ ହାତରୁ ଅଭିଯୁକ୍ତମାନେ ଖସି ପଳାଇଥିଲେ, ଲୋକେ ପୁଲିସ ଓ ସରକାରଙ୍କ ଚଉଦ ପୁରୁଷଙ୍କୁ ଉଧାରି ସାରନ୍ତେଣି। ତେଣୁ ଏନ୍‌କାଉଣ୍ଟର କରିବା ଠିକ୍‌ ହୋଇଛି। ହାତୀ ଯେତେ ଦାମୀ ହେଲେ ବି ପାଗଳ ହେଲେ ତାକୁ ହତ୍ୟା କରିବା ଜରୁରୀ ହୋଇପଡ଼େ। ସେମିତି ଅଭିଯୁକ୍ତମାନେ ପାଗଳ ଓ ଅମଣିଷ। ତେଣୁ ତାଙ୍କ ପାଇଁ ଏଭଳି ଶାସ୍ତି ଜରୁରୀ ଥିଲା।
-ଦେବରାଜ ପ୍ରଧାନ,
ପୂର୍ବତନ ପ୍ରଧାନ ଶିକ୍ଷକ,
ଛତାବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଆହୁରି ଭୟଙ୍କର ମୃତ୍ୟୁ ଦେବାର ଥିଲା
ଅଭିଯୁକ୍ତମାନଙ୍କୁ ଯେମିତି ବି ହେଉ ମୃତ୍ୟୁଦଣ୍ଡ ଆବଶ୍ୟକ ହେଉଥିଲା। ନୃଶଂସମାନଙ୍କୁ ଆହୁରି ଭୟଙ୍କର ମୃତ୍ୟୁ ଦେବାର ଥିଲା। ନିର୍ଦୟମାନଙ୍କ ପ୍ରତି ଦୟାର ସ୍ଥାନ ନାହିଁ। ତୁରନ୍ତ ଫଇସଲା କରି ହାଇଦ୍ରାବାଦ ପୁଲିସ ଏକ ଉଦାହରଣ ପାଲଟିଛି।
-ରଂଜୁଲତା କର, ଗୃହିଣୀ, ସତ୍ୟନଗର

ଏନ୍‌କାଉଣ୍ଟରର ଯଥାର୍ଥତା ଅଛି
ଏନ୍‌କାଉଣ୍ଟରର ଯଥାର୍ଥତା ଅଛି। ମୋ’ ମତରେ ୟୁଏଇ ଓ ୟୁଏସଏ ଭଳି ଆମ ଆଇନ କଠୋର ହେବା ଆବଶ୍ୟକ। ଜଘନ୍ୟ ଅପରାଧରେ ଧରା ପଡ଼ି ପୁଲିସ ହାତରୁ ଖସି ଯାଉଥିଲେ। ସବୁବେଳେ ଏଭଳି ଏନ୍‌କ‌ାଉଣ୍ଟର ହେବା ଉଚିତ। ଯାହାଦ୍ବାରା ଅନ୍ୟ ଅପରାଧୀ ସାବାଡ଼ ହେବେ।
-ରୋଜାଲିନ୍‌ ମହାନ୍ତି, ଆଇନଜୀବୀ

ତେଲେଙ୍ଗାନା ପୁଲିସକୁ ସାଲ୍ୟୁଟ୍‌
ଯାହା‌ ହୋଇଛି, ଭଲ ହୋଇଛି। ଏଥିପାଇଁ ତେଲେଙ୍ଗାନା ପୁଲିସକୁ ସାଲ୍ୟୁଟ୍‌। ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଥିବା ଖବର ପାଇବା ପରେ ଆମେ ଭୟଭୀତ ହେବା ସହ ମହିଳାମାନଙ୍କ ସୁରକ୍ଷା ନେଇ ଚିନ୍ତାରେ ପଡ଼ି ଯାଇଥି‌ଲୁ। ଭୁବନେଶ୍ବରରେ ଥାଇ ସବୁବେଳେ ‌ତେଲେଙ୍ଗାନାର ବିଭିନ୍ନ ପରିସ୍ଥିତି ନେଇ ପରିବାରଲୋକଙ୍କୁ ବାରମ୍ବାର ଯୋଗଯୋଗ କରି ଚାଲିଥିଲୁ। ଆଜି ସକା‌ଳୁ ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର୍ କରାଯାଇଥିବା ସୂଚନା ପାଇ ଆତ୍ମ‌ସନ୍ତୋ‌ଷ ମିଳିଥିଲା।
-କେ.ଦୁର୍ଗା ରାଓ
(ଭୁବନେଶ୍ବରରେ ରହୁଥିବା, ହାଇଦ୍ରାବାଦ ବାସିନ୍ଦା)

ନାକ ଟେକୁଥିବା ଲୋକ ପରିବାର କଥା ଚିନ୍ତା କରନ୍ତୁ
ଯେଉଁମାନେ ଏପରି ସ୍ବାଗତଯୋଗ୍ୟ ପଦକ୍ଷେପକୁ ନାକ ଟେକୁଛନ୍ତି, ସେମାନେ ପ୍ରଥମେ ନିଜ ପରିବାର କଥା ଚିନ୍ତା କରିବା ଦରକାର। ଯେସାକୁ ତେସାର ଉଦାହରଣ ‌ଏତେ ଦିନ ପରେ ଆମ ଦେଶରେ ଦେଖିବାକୁ ମିଳିଛି। ଦୁଷ୍କର୍ମକାରୀମାନଙ୍କୁ ଗୁଳି କରି ନିହତ କରିବା ଭଳି ସ୍ବାଗତଯୋଗ୍ୟ ପଦକ୍ଷେପକୁ ନାକ ଟେକୁଥିବା ଲୋକମାନଙ୍କ ପରିବାର ଲୋକଙ୍କ ସହ ଯଦି ଏପରି ହୋଇଥା’ନ୍ତା, ତା’ ହେଲେ ସେମାନେ କ’ଣ ଚୁପ୍ ବସିଥାନ୍ତେ। ତେଲେଙ୍ଗାନା ପୁଲିସ୍ ଯାହା କରିଛି ଭଲ କରିଛି। ପୁଲିସ୍ ଉପରକୁ ଆକ୍ରମଣ ହେବା ପୂର୍ବରୁ ସେ ସଠିକ୍ ପଦକ୍ଷେପ ନେଇଛନ୍ତି।
-ଏ.ଉମା ମାହେଶ୍ବେରୀ (ଭୁବନେଶ୍ବରରେ ରହୁଥିବା, ହାଇଦ୍ରାବାଦ ବାସିନ୍ଦା)

ସର୍ବସମ୍ମୁଖରେ ଫାଶୀରେ ଝୁଲାଇଦେବାର ଥିଲା
ଦୁଷ୍କର୍ମକାରୀମାନଙ୍କୁ ପୁଲିସ୍ ଘଟଣାସ୍ଥଳକୁ ନେଇ ଏନ୍‌କାଉଣ୍ଟର୍ ନ କରି ହାଇଦ୍ରାବାଦ ସହରରେ ସର୍ବସମ୍ମୁଖରେ ଫାଶୀରେ ଝୁଲାଇ ଦେବାର ଥିଲା। ଏପରି ଦୃଶ୍ୟ ଦେଖି ଅପରାଧ ଚିନ୍ତାଧାରା ରଖୁଥିବା ବ୍ୟକ୍ତିମାନଙ୍କ ନମରେ କୋକୁଆଭୟ ସୃଷ୍ଟି ହୋଇଥା’ନ୍ତା। ଅମଣିଷଙ୍କ ସହ ପୁଲିସ ଠିକ୍‌ କରିଛି।
-କେ.ଆଦିତ୍ୟନାରାୟଣ ରାଓ
(ଭୁବନେଶ୍ବରରେ ରହୁଥିବା, ହାଇଦ୍ରାବାଦ ବାସିନ୍ଦା)

ଅନ୍ୟମାନେ ଭୟ କରିବେ
ଦୋଷୀ‌କୁ ଏପରି ଦଣ୍ଡ ମିଳିଲେ ଅନ୍ୟମାନେ ଦୁଷ୍କର୍ମ ଅପରାଧ କରିବା ପାଇଁ ଭୟ କ‌ରିବେ। ଆମ ଆଇନ ଅନୁଯାୟୀ ଦୋଷୀଙ୍କୁ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ପାଇଁ କଠୋର ଦଣ୍ଡ କିଛି ନାହିଁ। ନିର୍ଭୟା ଘଟଣା ଏହାର ବଡ଼ ଉଦାହରଣ। ସାକ୍ଷ୍ୟ ପ୍ରମାଣ ଓ ଲମ୍ବା ତାରିଖ ଫଳରେ ଅପରାଧୀ ତଳ କୋର୍ଟରୁ ଉପରକୋର୍ଟରେ ଆବେଦନ କରି ଅନେକ ସମୟରେ ମୁକୁଳି ଯାଉଛନ୍ତି। ପୁଲିସ୍‌ ତଦନ୍ତ ବେଳେ ଘଟଣାସ୍ଥଳ ବୁଲାଇବା ବେଳେ ପୁଲିସ୍ ବନ୍ଧୁକ ଛଡ଼ାଇ ପୁଲିସ୍ ଉପରକୁ ଗୁଳି କରିବା ଅପରାଧୀଙ୍କୁ ପୁଲିସ୍ ଏନ୍‌କାଉଣ୍ଟର୍ କରିବା ଉଚିତ ହୋଇଛି। ଦୋଷୀକୁ ଏପରି ଦଣ୍ଡ ମିଳିଲେ ଅନ୍ୟମାନେ ଦୁ‌ଷ୍କର୍ମ ଅପରାଧ କରିବାପାଇଁ ଭୟ କରିବେ।
-ଏ. ସ୍ବାତୀ (ଭୁବନେଶ୍ବରରେ ରହୁଥିବା, ହାଇଦ୍ରାବାଦ ବାସିନ୍ଦା)

ଫଇସଲା ଅନ୍‌ ଦ’ ସ୍ପଟ୍
ବହୁତ ଭଲ ହୋଇଛି ଫଇସଲା ଅନ୍‌ ଦ’ ସ୍ପଟ୍। ଭୁବନେଶ୍ବରରେ ରହୁଥିବା ଆଖପାଖ ଲୋକମାନେ ଆମକୁ ହାଇଦ୍ରାବାଦରେ ଏପରି କଳଙ୍କିତ ଘଟଣା ପାଇଁ କିଛି ଦିନ ହେଲା ଅନେକ ପ୍ରଶ୍ନ ପଚାରୁଥ‌ିଲେ। ଆଜି ସକାଳୁ ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ପୁଲିସ୍ ଏନ୍‌କାଉଣ୍ଟର୍ କରିବା ଖବର ଶୁଣିବା ପରେ ଆଶ୍ବସ୍ତି ମିଳିଛି। ବହୁତ ଭଲ ହୋଇଛି। ଫଇସଲା ଅନ୍ ଦ ସ୍ପଟ୍‌ରେ ହୋଇଛି।
-ଟି.ଶ୍ରୀଦେବୀ (ଭୁବନେଶ୍ବରରେ ରହୁଥିବା, ହାଇଦ୍ରାବାଦ ବାସିନ୍ଦା)

ସମ୍ବନ୍ଧିତ ଖବର